ରାଇକିଆ/ଜି.ଉଦୟଗିରି, ୧୩/୩ : ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ନିକଟସ୍ଥ ଡ଼ାମ୍ବା ପାହାଡ଼ର ଗୁମୀଙ୍ଗାଣ୍ଡ ଜଙ୍ଗଲରେ ଦନ୍ତାହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ସ୍ୱାମୀ ଓ ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଗ୍ରାମର ଧନେଶ୍ୱର ପ୍ରଧାନ, କୀର୍ତ୍ତନ ବଗର୍ତ୍ତୀ ଓ ବାମଦେବ ପ୍ରଧାନ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ। କାମ ସାରି ଫେରୁଥିବାବେଳେ ହଠାତ୍ ଏକ ଦନ୍ତାହାତୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲା । ଧନେଶ୍ୱର ପ୍ରାଣ ବିକଳରେ ଦୌଡ଼ି ପଳାଇବାରେ ସଫଳ ହୋଇଥିଲେ, କିନ୍ତୁ କୀର୍ତ୍ତନ ଓ ବାମଦେବ ଦନ୍ତା ହାବୁଡ଼ରେ ପଡିଥିଲେ। ହାତୀର ଦଳାଚକଟାରେ ସେମାନଙ୍କ ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଆଖପାଖ ଜଙ୍ଗଲରେ ହାତୀ ଚଳପ୍ରଚଳ କରୁଥିବା ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢିଛି। ଖବରପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି। ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।