ଭୁବନେଶ୍ୱର,୨୫/୦୪: ଭିନ୍ନ ଭିନ୍ନ କଥାବସ୍ତୁକୁ  ନେଇ  ଫ୍ରାଇଡେ ରିଲିଜ୍‌  ଅବସରରେ ଦୁଇ ଓଡ଼ିଆ ସିନେମା ଶୁଭମୁକ୍ତି କରୁଛି  । ପ୍ରେକ୍ଷାଳୟରେ ‘୧୯୯୯’ ଏବଂ ‘ରାକେଟ୍‌' ସହ  ଲଢ଼େଇ ହେବ । ସାରା ଓଡ଼ିଶାରେ ‘୧୯୯୯’ ୧୦ଟି  ଏବଂ ‘ରାକେଟ୍‌' ୪୫ଟି ହଲ୍‌ରେ ମୁକ୍ତିପ୍ରାପ୍ତ କରୁଥିଲା  ବେଳେ କେବଳ ଭବନେଶ୍ୱରର ଏକ ମଲ୍ଟି ଏବଂ  ସିଙ୍ଗଲ୍‌ ସ୍କ୍ରିନ୍‌ରେ ପ୍ରିମିୟର ସୋ’ ଅନୁଷ୍ଠିତ ହେବ ।  ଏଥିରେ ଉଭୟ ସିନେମାର ପୂରା ଟିମ୍‌ ଉପସ୍ଥିତ ରହି  ଦର୍ଶକଙ୍କ ଗହଣରେ ବସି ସିନେମା ଦେଖିବେ । ଓଡ଼ିଆ  ସିନେମାକୁ ଆଗକୁ ନେବାକୁ ହଲ୍‌ ଆସି ସିନେମାକୁ  ଦେଖି କଳାକାରଙ୍କୁ ଉତ୍ସାହିତ କରିବା ଲାଗି ଦୁଇ  ପ୍ରଯୋଜନା ସଂସ୍ଥା ଦର୍ଶକଙ୍କୁ ନିବେଦନ କରିଛନ୍ତି ।  

ଗୁପ୍ତଗଙ୍ଗା କ୍ରିଏସନ୍ସରେ ନିର୍ମିତ ଓଡ଼ିଆ ଫିଲ୍ମ  ‘୧୯୯୯-ଏକ ସଂଗୁପ୍ତ କାହାଣୀ’ । ଅସ୍ଥିଶଲ୍ୟ ବିଭାଗ  ଡାକ୍ତର ତଥା ଲେଖକ, ଗୀତକାର, ସାମାଜିକକର୍ମୀ  ଓ କଳାକାର ଡା. ମନୋଜ ମିଶ୍ର ଏହାର ପ୍ରଯୋଜନା  କରିଛନ୍ତି । ଏହାର କାହାଣୀ, ସଂଳାପ ଓ ଗୀତ ରଚନା  ସାଙ୍ଗକୁ ମୁଖ୍ୟ ଭୂମିକାରେ ଡା. ମିଶ୍ର ଅଭିନୟ ମଧ୍ୟ  କରିଛନ୍ତି । ଓଡ଼ିଆ ସିନେ ଦର୍ଶକଙ୍କୁ ଚିରାଚରିତ ଧାରାରୁ  ବାହାର କରି କିଛି ଭିନ୍ନ ସ୍ୱାଦର ସିନେମା ଭେଟି  ଦେବାକୁ ଏହା ତାଙ୍କର ଏକ ଅନନ୍ୟ ପ୍ରୟାସ ।  ଫିଲ୍ମର କାହାଣୀ ଗୋଟିଏ ଉପକୂଳବର୍ତ୍ତୀ ଅଞ୍ଚଳ  ରାଜଗନଗର ଗାଁରୁ ଆରମ୍ଭ ହେଉଛି ଯାହା ୧୯୯୯  ମସିହା ମହାବାତ୍ୟା ସହ ବି ଜଡ଼ିତ । କିନ୍ତୁ ଏ  କାହାଣୀ ଗତିଶୀଳ ହୋଇଛି ଏକ ଦ୍ୱନ୍ଦ୍ୱ ଭିତରେ ।  ଫିଲ୍ମର ଚିତ୍ରନାଟ୍ୟ, ନୃତ୍ୟ ସଂଯୋଜନା ସହ  ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅମିର୍‌ ପତି ।  ସଙ୍ଗୀତ ପ୍ରଶାନ୍ତ ପାଢ଼ୀ ଦେଇଥିଲା ବେଳେ ଗୀତ  ଗାଇଛନ୍ତି ଶ୍ରୀଚରଣ ଓ ଅନନ୍ତରା ଚକ୍ରବର୍ତ୍ତୀ । ବିଭିନ୍ନ  ଭୂମିକାରେ ଡା. ମିଶ୍ରଙ୍କ ସହ ମନୋରମା ମିଶ୍ର,  ଅପୂର୍ବ, ଦେବୁ ବ୍ରହ୍ମା, କାଳୀଚରଣ ଆଚାର୍ଯ୍ୟ, ମମତା  ପାଢ଼ୀ, ନରେନ୍ଦ୍ର ସେନାପତି, ବବି ରଥ, ଜିତେନ୍ଦ୍ର  ପରିଡ଼ା, ମନୋଜ ସିହ୍ନା, ଶ୍ରୀନାଥ ଜେନା, ସଞ୍ଜୀବ  ପଣ୍ଡା, ପ୍ରିୟଦର୍ଶିନୀ, ସୁକୁମାର, ରବି, ଶଶାଙ୍କ, ବିଜୁ  ବଡ଼ଜେନା, ଏଲିନା ସାହୁ ପ୍ରମୁଖ ଅଭିନୟ କରିଛନ୍ତି ।   

ସେହିପରି ଶ୍ରୀ ମୋସନ୍‌ ପିକ୍‌ଚର୍ସ ନିବେଦିତ  ‘ରାକେଟ୍‌'ର ପ୍ରଯୋଜନା କରିଛନ୍ତି ଶ୍ରୀଲେଖା ପଣ୍ଡା  ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସଂଗ୍ରାମ ମହାନ୍ତି ।  କାହାଣୀ ରଚନା କରିଛନ୍ତି ହେମନ୍ତ ପାତ୍ର । ସଂଳାପ  ଲେଖିଛନ୍ତି ବିଜୟ ମଲ୍ଲ । କ୍ୟାମେରା ପରିଚାଳନା  ଆର୍‌. ଭଗତ ସିଂ କରିଥିଲା ବେଳେ ସମ୍ପାଦନା  କରିଛନ୍ତି ସୁକୁମାର ମଣି । ବିଜୟ ମଲ୍ଲ, ଅରୁଣ  ମନ୍ତ୍ରୀ ଓ ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରେମ୍‌ ଆନନ୍ଦ । ଗୀତଗୁଡ଼ିକୁ ଗାଇଛନ୍ତି  ହ୍ୟୁମାନ୍‌ ସାଗର, ଦୀପ୍ତିରେଖା ପାଢ଼ୀ, ଶିବାଶିଷ ମିଶ୍ର,  ଶ୍ରୀଚରଣ, ଅନନ୍ୟା ଶ୍ରୀତମ୍‌ ନନ୍ଦ, ପ୍ରଜ୍ଞା ଓ ନିଶାନ୍ତ  ମିଶ୍ର । କିଛି ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର  ଜରିଆରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ନୃତ୍ୟ ନିର୍ଦ୍ଦେଶକ  ଏସ୍‌. କେ ମୁରଲୀଧରନ । ପ୍ରମୁଖ ଭୂମିକାରେ  ନମ୍ରତା ଥାପ୍ପାଙ୍କ ସହ ଦୁଷ୍ମନ୍ତ ପଣ୍ଡା, ପୃଥ୍ୱୀରାଜ  ନାୟକ, ଅର୍ଲିନ୍‌ ଅଙ୍କିତା, ହେମନ୍ତ ପାତ୍ର, ଡିସ୍କୋ ରେଡ୍ଡୀ, ସ୍ମୃତି ରଞ୍ଜନ ମହାନ୍ତି(ନଟିଆ), ଧର୍ମାନନ୍ଦ  ମହାକୁଡ଼ ଏବଂ ଶିଶୁ କଳାକାର ଶୀତୁଲ୍‌ ଓ ବବୁଲ୍‌  ଅଭିନୟ କରିଛନ୍ତି । ଏକ ସ୍ୱତନ୍ତ୍ର ଗୀତରେ ଅତିଥି  କଳାକାର ଭାବେ ଅଭିନେତ୍ରୀ ଅଙ୍କିତା ଦାଶ ଅଭିନୟ  କରିଛନ୍ତି । ସାମ୍ପ୍ରତିକ ସମୟକୁ ନେଇ ହୋଇଥିବା  ଏହି ସିନେମାରେ ସସ୍‌ପେନ୍ସ ଓ ଇମୋସନ୍‌କୁ  ବିଶେଷ ଗୁରୁତ୍ୱ ଦିଆଯାଇଛି।