ନୂଆଦିଲ୍ଲୀ, ୧୭/୦୪ : ଭାରତୀୟ ସଶସ୍ତ୍ରବଳକୁ ସୈନ୍ୟ ଯୋଗାଉଛନ୍ତି ୨ ଗାଁ। ଅଧିକାଂଶ ପରିବାରର ସଦସ୍ୟ ସେନାରେ ନିଯୁକ୍ତ। ଏହି ଦୁଇଟି ଗାଁ ହେଉଛି ବିହାର ନାଳନ୍ଦା ଜିଲ୍ଲାର ସକରୌଧ ଏବଂ ମୋକରାମପୁର ଗ୍ରାମ। ଏଠାକାର ଯୁବକମାନେ ସେନା ପୋଷାକ ପରିଧାନ କରିବାକୁ ସ୍ୱପ୍ନ ଦେଖନ୍ତି ଏବଂ ତାକୁ ସାକାର କରିବାକୁ ଲାଗିପଡ଼ନ୍ତି। ଫଳରେ ଏହି ଦୁଇଟି ଗାଁ ‘ସୈନିକଙ୍କ ଗାଁ’ ଭାବେ ସବୁଠି ଜଣା ।

ନୁରସରାଇ ବ୍ଲକର ଏହି ଗ୍ରାମ ଦୁଇଟି ଦେଶର ସେନାବାହିନୀକୁ ସୈନ୍ୟ ଯୋଗାଇବାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଗ୍ରାମରେ ସକାଳ ଆରମ୍ଭ ହୁଏ ପରେଡରେ ଜୋତାର ଶବ୍ଦରୁ । ଏଠାକାର ଯୁବକମାନେ ଦୌଡ଼ିବା, ଉଚ୍ଚ ଡିଆଁ ସହ ଅନ୍ୟାନ୍ୟ ଶାରୀରିକ ପରିଶ୍ରମ ଏବଂ ଅଭ୍ୟାସ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ‘ଦସ୍ତୁର ଫିଲ୍ଡ’ରେ ଏକାଠି ହୁଅନ୍ତି । ସେନାରେ ନିଯୁକ୍ତି ପାଇବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ରହିଥାଏ । ଉପଲବ୍ଧ ତଥ୍ୟ ଅନୁସାରେ, ସକରୌଧରେ ବସବାସ କରୁଥିବା ୬୦୦ ପରିବାର ମଧ୍ୟରୁ ପ୍ରାୟ ୧୨୫ଟି ପରିବାରର ଜଣେ ଜଣେ ସଦସ୍ୟ ସେନା କିମ୍ବା ପୁଲିସରେ କାର୍ଯ୍ୟରତ । ମୋକରମପୁର ଏହି କ୍ଷେତ୍ରରେ ଆଗୁଆ ରହିଛି । ଏଠାରେ ୬୫ ପରିବାର ମଧ୍ୟରୁ ୩୫ ପରିବାରର ସଦସ୍ୟ ସେନାକୁ ସୈନିକ ପଠାଇଛନ୍ତି ।

ଗ୍ରାମବାସୀଙ୍କ କହିବା ଅନୁସାରେ, ୮୩ ବର୍ଷୀୟ ଅବସର ପ୍ରାପ୍ତ ସେନା ଅଧିକାରୀ କ୍ୟାପ୍ଟେନ୍ କୌଶଳ କିଶୋର ପ୍ରସାଦ ସେନାରେ ଗ୍ରାମର ଯୁବକମାନେ ଯୋଗ ଦେବାର ପ୍ରଥା ଆରମ୍ଭ କରିଥିଲେ । ୧୯୬୧ ମସିହାରେ ସେନାରେ ଯୋଗ ଦେଇଥିବା କୌଶଳ କିଶୋର ୧୯୬୫ ଏବଂ ୧୯୭୧ ମସିହା ଯୁଦ୍ଧରେ ସାମିଲ ଥିଲେ । ସେନା ପୋଷାକରେ ସୈନିକଙ୍କୁ ଦେଖି ସେ ସେନାରେ ଯୋଗ ଦେବାକୁ ଅନୁପ୍ରାଣିତ ହୋଇଥିଲେ । ତାଙ୍କର ଏହି ପରମ୍ପରାକୁ ତାଙ୍କ ପୁଅ ମଧ୍ୟ ବଜାୟ ରଖିଛନ୍ତି ଏବଂ ସେନାରେ କର୍ଣ୍ଣେଲ ଭାବେ କାର୍ଯ୍ୟରତ ଅଛନ୍ତି ।

କ୍ୟାପଟେନ୍ କୌଶଳ କୁମାର କୁହନ୍ତି, ସେ ଗୟାରେ ଆଇଟିଆଇରେ ଟ୍ରେନିଂ ନେଉଥିବାବେଳେ ସେନା କ୍ୟାମ୍ପରେ ସୈନିକଙ୍କ ସ୍ମାର୍ଟ ୟୁନିଫର୍ମ ଦେଖିଥିଲେ । ଏହା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ପରେ ସେ ପାଠପଢ଼ା ଛାଡ଼ି ସେନାରେ ଯୋଗ ଦେଇଥିଲେ । ମୋକରମପୁରର ବିପିନ କୁମାର ସିଂ କୁହନ୍ତି, ସେନା କର୍ମଚାରୀମାନେ ପୋଷାକ ପିନ୍ଧି ଛୁଟିରେ ଘରକୁ ଆସିଲେ ସେମାନଙ୍କୁ ଦେଖି ଛୋଟ ପିଲାମାନେ ପ୍ରେରଣା ପାଇଥାନ୍ତି । ଗ୍ରାମର ୯୫ ପ୍ରତିଶତ ଯୁବକ ସେନା କିମ୍ବା ପୁଲିସରେ ଯୋଗ ଦେବାକୁ ଇଚ୍ଛା ରଖିଥାନ୍ତି । ସେନାରେ ଯୋଗ ଦେବାକୁ ସ୍ୱପ୍ନ ରଖିଥିବା ଯୁବକ ରଘୁବୀର କୁମାର କହିଛନ୍ତି, ‘ଦସ୍ତୁର ଫିଲ୍ଡ’ ଅଗ୍ନିବୀର ହେବାକୁ କିମ୍ବା ଟେରିଟୋରିଆଲ ଆର୍ମି ବା ଆଞ୍ଚଳିକ ସେନା ଓ ପୁଲିସରେ ଯୋଗ ଦେବାକୁ ଚାହୁଁଥିବା ଯୁବକଙ୍କ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଭଳି କାମ କରେ । ତାଙ୍କ ଗ୍ରାମର ଅଧିକାଂଶ ଲୋକ ବିଏସ୍ଏଫ୍ ଏବଂ ସେନାରେ କାର୍ଯ୍ୟରତ ।

ଏହି ଖବରଟିକୁ ପଢନ୍ତୁ- ୧ କିଲୋ ଲୁଣରେ କେତୋଟି ଦାନା ? ୯ ଦିନ ଲାଗି ଗଣିଦେଲେ ୪ ସାଙ୍ଗ, ମିଳିଲା ଉତ୍ତର...