ଭୁବନେଶ୍ଵର, ୧୬/୦୪ : ଯାହାକୁ ଗଣି ହେବନି ତାକୁ କୁହନ୍ତି ଅଗଣିତ। ଯେମିତିକି ଲୁଣ, ଚିନି। ହେଲେ ଏବେକା ସମୟରେ ଆଉ କିଛି ଅସମ୍ଭବ ହୋଇ ନାହିଁ। ଏବେ ଲୁଣକୁ ବି ଗଣିକି ଥୋଇଦେଲା ମଣିଷ। କଣ ବିଶ୍ଵାସ ହେଉନି ନାଁ ? ଏକଥା ଆମେ କହୁନୁ.. ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି। ଲୁଣ ଗଣିଥିବା ନେଇ ଭିଡିଓରେ ଦାବି କରାଯାଇଛି।
ଏକ କିଲୋ ଲୁଣରେ କେତୋଟି ଦାନା ଥାଏ ? ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଥିବ ନିଶ୍ଚିତ, ହେଲେ ସମୟ ବୃଥା ଯିବ ଭାବି କେବେ କେହି ଗଣିବାକୁ ଚେଷ୍ଟା କରିନଥିବେ। ତେବେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ୪ ଜଣ ସାଙ୍ଗ ମିଶି ୯ ଦିନ କାଳ ପରିଶ୍ରମ କରି ଲୁଣର ଦାନା ଗଣିଛନ୍ତି। ଏହାର ଉତ୍ତର ବି ପାଇଛନ୍ତି। ସେମାନଙ୍କ ଗଣତି ଅନୁଯାୟୀ, କିଲେ ଲୁଣରେ ୧ କୋଟି ୪୨ ଲକ୍ଷ ୧୩ ହଜାର ୭୫୩ ଦାନା ରହିଛି। ୧୦୦ ଗ୍ରାମର ଲୁଣରେ ପ୍ରାୟ ୧୩ ଲକ୍ଷ ୭୫ ହଜାର ଦାନା ଥାଏ। ଏହି ଆଧାରରେ ହିସାବ କଲେ କିଲେ ଲୁଣରେ ୧ କୋଟି ୩୭ ଲକ୍ଷ ୫୦ ହଜାର ଦାନା ରହିବା କଥା। ହେଲେ ତାଙ୍କ ଗଣତିରେ ସାମାନ୍ୟ ତାରତମ୍ୟ ଆସିଛି।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓର ସତ୍ୟାସତ୍ୟ ଜଣାପଡ଼ି ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ସଠିକ୍ ବୋଲି କହିପାରିବା ନାହିଁ। କାରଣ ସବୁ ଲୁଣ ପ୍ୟାକେଟ୍ ରେ ଦାନାର ଆକାର ସମାନ ନଥାଏ। ଟେବଲ ସଲ୍ଟର ଦାନାର ଆକାର ୦.୩ ରୁ ୦.୫ ମିଲିମିଟର ମଧ୍ୟରେ ଥାଏ। ଏହି ହିସାବରେ ୧ କିଲୋ ଲୁଣରେ ୫ କୋଟି ରୁ ୮ କୋଟି ଦାନା ରହିପାରେ। ଆଉ କିଛି ଗଣନାରେ ଏହାକୁ ୭୦ ଲକ୍ଷ ରୁ ୮ କୋଟି ଯାଏଁ ଦାବି କରାଯାଇଛି। ଯଦି ଦାନା ଖୁବ୍ ଛୋଟ ଥାଏ (ପ୍ରାୟ ୦.୧ ମିଲିମିଟର), ତାହେଲେ ୧ କିଲୋ ଲୁଣରେ ପ୍ରାୟ ୮୩ କୋଟି ଦାନା ରହିପାରେ।
ସୋସିଆଲ୍ ମିଡିଆରେ ଏବେ ପ୍ରାୟତଃ ହଟକେ ଏବଂ ମଜାଦାର୍ ଭିଡିଓ ଭାଇରାଲ୍ ହେଉଛି। ଲୋକମାନେ ଅସାଧାରଣ ଜିନିଷକୁ ଭିନ୍ନ ଅନ୍ଦାଜରେ ଉପସ୍ଥାପନ କରି ଭିଡିଓ କରୁଛନ୍ତି। ଯେମିତିକି କିଛି ଦିନ ପୂର୍ବରୁ ଜଣେ ଲୋକ ମିକ୍ସ ଆଚାରରେ ସବୁ ଜିନିଷକୁ ଅଲଗା ଅଲଗା କରି ଏକ ଭିଡିଓ କରିଥିଲେ। ଏହି ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ବି ହୋଇଥିଲା।
ଏହି ଖବରଟିକୁ ପଢନ୍ତୁ- AI Restaurant : ମୁହଁ ଓ ଜିଭ ସ୍କାନ୍ କରି ପସନ୍ଦର ଖାଦ୍ୟ ପରସୁଛି ରୋବୋ, ଜଳବାୟୁ ଅନୁସାରେ ଦେଉଛି ସ୍ୱାସ୍ଥ୍ୟକର ପରାମର୍ଶ