ହାରାରେ,୦୬/୦୨: ଆଜି ଚଳିତ ୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ରେ ଫାଇନାଲ୍ ମ୍ୟାଚ ଖେଳାଯିବ । ୫ଥର ଚାମ୍ପିଅନ୍ ଭାରତ ହାରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡ୍ରେ ଇଂଲଣ୍ଡକୁ ସାମ୍ନା କରିବ । ଉଭୟ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ସେମି ଫାଇନାଲ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ତେଣୁ ଶୁକ୍ରବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଅବଶ୍ୟ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚରୁ ଭାରତ ୩ଟିରେ ଜିତିଥିବା ବେଳେ ଇଂଲଣ୍ଡ ୨ଟିରେ ବିଜୟୀ ହୋଇଛି । ପୂର୍ବରୁ ଇଂଲଣ୍ଡ କେବଳ ଥରେ ୧୯୯୮ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ଶେଷ ଥର ପାଇଁ ୨୦୨୨ ବିଶ୍ୱକପ୍ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ୟଶ ଧୂଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଉକ୍ତ ମ୍ୟାଚ ଜିତି ପଞ୍ଚମ ଥର ପାଇଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା ।
ଆହୁରି ପଢ଼ନ୍ତୁ:- ଗାଲ-ଆଖିରେ ଗଭୀର ଆଘାତ, ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଅବସ୍ଥା ଖରାପ
୪ବର୍ଷ ତଳର ପରାଜୟକୁ ଭୁଲି ନଥିବା ଇଂଲଣ୍ଡ ଏଥର ପ୍ରତିଶୋଧ ନେବାକୁ ସୁଯୋଗ ପାଇଛି । ଅଧିନାୟକ ଥୋମାସ ରିୟୁଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଗତ ସେମି ଫାଇନାଲ୍ରେ ରିୟୁ ଶତକ (୧୧୦) ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । ସେ ଇତି ମଧ୍ୟରେ ୨୯୯ ରନ ସଂଗ୍ରହ କରିସାରିଛନ୍ତି ।
ଭାରତୀୟ ଦଳ ବିସ୍ଫୋରକ ବ୍ୟାଟିଂକୁ ଗୁରୁତ୍ୱ ଦେଉଥିଲେ ହେଁ ଆରନ ଜର୍ଜ, ଭିହାନ ମଲହୋତ୍ରା ଓ ବେଦାନ୍ତ ତ୍ରିବେଦୀଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭର କରିବ । କାରଣ ଦୁଇ ଦୁର୍ଦ୍ଧର୍ଷ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଓ ଆୟୂଷ ମାହତ୍ରେଙ୍କ ପାଇଁ ଇଂଲଣ୍ଡ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତ ।
ଆହୁରି ପଢ଼ନ୍ତୁ :- ପାକିସ୍ତାନର ନିଷ୍ପତ୍ତି ମୋ ନିୟନ୍ତ୍ରଣରେ ନାହିଁ, ଆମେ ଖେଳିବାକୁ ପ୍ରସ୍ତୁତ : କ୍ୟାପ୍ଟେନ୍ ସୂର୍ଯ୍ୟକୁମାର
ହାରାରେ ସ୍ପୋର୍ଟ୍ସ କ୍ଲବ ଗ୍ରାଉଣ୍ଡର ପିଚ୍ରୁ ଅତିରିକ୍ତ ବାଉନ୍ସ ମିଳୁଥିଲେ ହେଁ ବ୍ୟାଟିଂ ପାଇଁ ମଧ୍ୟ ବେଶ୍ ଅନୁକୂଳ ରହିଛି । ଏଠାରେ ଖେଳାଯାଇଥିବା ୬ଟି ମ୍ୟାଚର ହାରା ହାରି ରନ୍ ରେଟ୍ ୫.୪୨ ରହିଛି । ସ୍ପିନରମାନେ ମଧ୍ୟ ପିଚରୁ ଟର୍ଣ୍ଣ ଓ ବାଉନ୍ସ ପାଉଛନ୍ତି । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି ।
ସମ୍ଭାବ୍ୟ ଏକାଦଶ
ଭାରତୀୟ ଦଳ: ବୈଭବ ସୂର୍ଯ୍ୟବଂଶୀ, ଆରନ ଜର୍ଜ, ଆୟୂଷ ମାହତ୍ରେ (ଅଧିନାୟକ), ଭିହାନ ମଲହୋତ୍ରା, ବେଦାନ୍ତ ତ୍ରିବେଦୀ, ଅଭିଜ୍ଞାନ କୁଣ୍ଡୁ, ଆରଏସ ଆମ୍ବ୍ରିସ, କନିଷ୍କ ଚୌହାନ, ଖିଲାନ ପଟେଲ, ହେନିଲ ପଟେଲ, ଦୀପେଶ ଦେବେନ୍ଦ୍ରନ ।
ଇଂଲଣ୍ଡ ଦଳ: ବେନ ଡାଓକିନ୍ସ, ଜୋଶେଫ ମୁର୍ସ, ବେନ ମାୟେସ, ଥୋମାସ ରିୟୁ (ଅଧିନାୟକ), କ୍ୟାଲେବ ଫାଲକୋନର, ରାଲଫି ଆଲବର୍ଟ, ଫରହାନ ଅହମ୍ମଦ, ସେବାଷ୍ଟିଆନ ମୋର୍ଗାନ, ଜେମ୍ସ ମିଣ୍ଟୋ, ମ୍ୟାନି ଲମ୍ସଡେନ, ଆଲେକ୍ସ ଫ୍ରେଞ୍ଚ ।