ନୂଆଦିଲ୍ଲୀ,୧୪/୧୨; ୧୯ବର୍ଷରୁ କମ୍ ଏସିଆ କପ୍ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ହାଇଭୋଲ୍ଟେଜ ମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି । ଭାରତ ପ୍ରଥମ ମ୍ୟାଚ୍‌ରେ ୟୁଏଇକୁ ୨୩୪ ରନ୍‌ରେ ପରାସ୍ତ କରିଥିଲା । ସେହିପରି ପାକିସ୍ତାନ ପ୍ରଥମ ମ୍ୟାଚରେ ମାଲେସିଆକୁ ୨୯୭ ରନ୍ରେ ହରାଇଥିଲା ।

ଭାରତୀୟ ଓପନର ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷ ଉକ୍ତ ମ୍ୟାଚରେ ୧୭୧ ରନ୍ର ଏକ ବିସ୍ଫୋରକ ପାଳି ଖେଳିଥିଲେ । ସେହିପରି ପାକିସ୍ତାନ ଓପନର ସମୀର ମିନହାସ ଅପରାଜିତ ୧୭୭ ରନ୍ ସଂଗ୍ରହ କରିଥିଲେ । ଉଭୟ ମ୍ୟାଚ୍କୁ ଦେଖିବାକୁ ଗଲେ ପାକିସ୍ତାନ ବୋଲରମାନେ ଭାରତ ତୁଳନାରେ ଉନ୍ନତ ବୋଲିଂ କରିଥିଲେ । ମାଲେସିଆ ଇନିଂସ ମାତ୍ର ୪୮ରନ୍ରେ ସୀମିତ ରହିଥିଲା । ପ୍ରଥମ ମ୍ୟାଚ୍ର ଫଳାଫଳକୁ ଦେଖିଲେ ଉଭୟ ଦଳର ଶକ୍ତି ସମାନ ଜଣା ପଡ଼ୁଛି । ତେଣୁ ଆସନ୍ତାକାଲି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଭାରତର ବ୍ୟାଟିଂ ବିଭାଗ ସୁଦୃଢ଼ ଓ ସନ୍ତୁଳିତ ରହିଛି । କେବଳ ଅଧିନାୟକ ଆୟୂଷ ମାହତ୍ରେଙ୍କ ବ୍ୟାଟ୍ରୁ ବଡ଼ ଇନିଂସର ଆବଶ୍ୟକତା ରହିଛି । ସେ ସଫଳ ହେଲେ ଭାରତର ବିଜୟ ସହଜ ହେବ । ପାକିସ୍ତାନର ସମୀରଙ୍କ ବ୍ୟତୀତ ଅହମ୍ମଦ ହୁସେନ ମଧ୍ୟ ୧୩୨ ରନ୍ର ଏକ ଇନିଂସ ଖେଳିଥିଲେ । ପାକ ବ୍ୟାଟରଙ୍କୁ ଅଟକାଇବା ପାଇଁ ଭାରତୀୟ ବୋଲରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ । ଆଇସିସି ଏକାଡେମୀ ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ତେଣୁ ଟସ ଏଠାରେ କୌଣସି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର ସଂଗ୍ରହ କରିବାକୁ ପ୍ରୟାସ କରିବେ ।

ବୈଭବ ବିସ୍ଫୋରଣ ଉପରେ ନଜର- ୧୯ବର୍ଷରୁ କମ୍ ଏସିଆ କପ୍ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ବିଶାଳ ବିଜୟ ସହ ପଏଣ୍ଟ ଖାତା ଖୋଲିଛି । ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ଶତକୀୟ ଇନିଂସ ବଳରେ ଦଳ ଆଜି ଅନୁଷ୍ଠିତ ଉଦଘଟନୀ ମୁକାବିଲାରେ ୟୁଏଇକୁ ୨୩୪ ରନ୍‌ରେ ହରାଇଥିଲା ।  ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍ ବିନିମୟରେ ୪୩୩ ରନ ସଂଗ୍ରହ କରିଥିଲା । ଜବାବରେ ୟୁଏଇ ୭ ୱିକେଟ୍ ହରାଇ ୧୯୯ ରନ କରିବାକୁ ସକ୍ଷମ ହୋଇଥିଲା । ମାତ୍ର ୯୫ଟି ବଲ୍‌ରେ ୧୭୧ ରନ ସଂଗ୍ରହ କରିଥିବା ବୈଭବ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ସେ ଏହି ଇନିଂସରେ ୯ଟି ଚୌକା ଓ ୧୪ଟି ଛକା ମାରିଥିଲେ । ୧୯ବର୍ଷରୁ କମ୍ ବର୍ଗ ଟୁର୍ଣ୍ଣାମେଣ୍ଟରେ ବୈଭବ ସର୍ବାଧିକ ଛକା ରେକର୍ଡ ସ୍ଥାପନ କରିଥିଲେ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମାଇକେଲ ହିଲଙ୍କ ନାମରେ ରହିଥିଲା । ସେ ୨୦୦୮ରେ ନାମିବିୟା ବିପକ୍ଷରେ ୧୨ଟି ଛକା ମାରିଥିଲେ । ବୈଭବ ତାଙ୍କ ରେକର୍ଡ ଭାଙ୍ଗିଥିଲେ । ପାକିସ୍ତାନ ବିପକ୍ଷରେ ବି ବୈଭବ ବିସ୍ଫୋରଣ ଦେଖିବାକୁ ମିଳିବ ବୋଲି ଆଶା କରିଛନ୍ତି  କ୍ରିକେଟପ୍ରେମୀ ।