ନୂଆଦିଲ୍ଲୀ,୧୨।୫: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ ନେଇ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ ପୁଣିଥରେ ସନାତନ ଧର୍ମକୁ ଶେଷ କରିବା କଥା କହିଛନ୍ତି। ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ବିରୋଧି ଦଳ ନେତା ରୂପରେ ନିଜର ପ୍ରଥମ ଭାଷଣ ଦେଇଛନ୍ତି। ନିଜର ଏହି ଗୁରୁତ୍ବପୂର୍ଣ୍ଣ ଭାଷଣରେ ସେ ପୁଣିଥରେ ‘ସନାତନ ଧର୍ମ’କୁ ଶେଷ କରିବା କଥା ଦୋହରାଇଛନ୍ତି ଓ ରାଜ୍ୟର ପାରମ୍ପାରିକ୍ ଗୀତ ‘ତାମିଲ ଥାଇ ଭଜଥୁ’ର ଅସମ୍ମାନକୁ ନେଇ ନୂଆ ସରକାରଙ୍କୁ କଡା ବାର୍ତ୍ତା ଦେଇଛନ୍ତି।

ତାଙ୍କ ଭାଷଣ ସମୟରେ ସେ କହିଥିଲେ, ‘ଲୋକଙ୍କୁ ବିଭାଜିତ କରିଥିବା ସନାତନକୁ ଧ୍ୱଂସ କରାଯିବା ଉଚିତ।’ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏହି ବକ୍ତବ୍ୟ ଦେବା ସମୟରେ ବିଧାନସଭା ଭିତରେ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଏହା ପୂର୍ବ ବି ସେ ସନାତନ ଧର୍ମକୁ ନେଇ ଠିକ୍ ଏଭଳି ବିବାଦୀୟ ଟିପ୍ପଣୀ ଦେଇଥିଲେ। ‘ସନାତନ ଧର୍ମ’ ଉପରେ ଉଦୟନିଧି ଷ୍ଟାଲିନଙ୍କ ଏହି ବିବାଦୀୟ ବୟାନ ପୁରା ଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା। ସେପ୍ଟେମ୍ବର ୨୦୨୩ ରେ ଉଦୟନିଧି ଷ୍ଟାଲିନ୍ ମଞ୍ଚରୁ କହିଥିଲେ, ସନାତନ ଧର୍ମର କେବଳ ବିରୋଧ କରିବା ଉଚିତ ନୁହେଁ, ବଂର ଏହାକୁ ଡେଙ୍ଗୁ, ମାଲେରିଆ ଓ କରୋନା ଭଳି ମୂଳରୁ ଶେଷ କରିଦେବା ଦରକାର।’

ଏହି ବୟାନ ପରେ ପୁରା ଦେଶରେ ହମଙ୍ଗା ସୃଷ୍ଟି ହୋଇଥିଲା, ଜଣେ ଦାୟୀତ୍ବବାନ ନେତା ଭଳି କ୍ଷମା ମାଗିବା ବଦଳରେ ଉଦୟନିଧି ଓ ତାଙ୍କ ବାପା ଏମକେ ଷ୍ଟାଲିନ୍ ନିଜର କଥା ଉପରେ ଅଡି ରହିଥିଲେ। ସେ ଏହାକୁ ‘ଅଭିବ୍ୟକ୍ତିର ସ୍ବାଧୀନତା’ ଓ ‘ଦ୍ରାବିଡ୍ ବିଚାରଧାରା’ର ନାଁ ଦେଇ ଏହାକୁ ଠିକ୍ ବୋଲି କହିବାକୁ ଚେଷ୍ଟା କରିଥିଲେ। ପରେ ହିନ୍ଦୁ ସମର୍ଥକ ସଂଗଠନ ଦ୍ବାରା ତାଙ୍କ ବିରୋଧରେ କଡା ସମାଲୋଚନା ସହିତ ବହୁ ଆଇନଗତ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଏହି ମାମଲାରେ ଯେତେବେଳେ ଉଦୟନିଧି ସୁପ୍ରିମକୋର୍ଟ ଓ ମାଡ୍ରାସ ହାଇକୋର୍ଟ ପହଁଞ୍ଚିଥିଲେ। ନ୍ୟାୟପାଳିକା ତାଙ୍କୁ କଡା ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ କଡା ଭାବରେ କହିଥିଲେ, ଆପଣ କୌଣସି ସାଧାରଣ ଲୋକ ନୁହେଁ, ଆପଣ ଜଣେ ମନ୍ତ୍ରୀ। ଆପଣଙ୍କୁ ଜଣାପଡିବା ଦରକାର ଯେ, ଆପଣଙ୍କ ବୟାନ ସମାଜ ଉପରେ କ’ଣ ପ୍ରଭାବ ପକାଇବ।’ ତେବେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଅଭିଯୋଗ ଆଣିଥିଲେ ସନାତନ ଧର୍ମ ଉପରେ ସେ ଦେଇଥିବା ମନ୍ତବ୍ୟକୁ ଅତିରଞ୍ଜିତ କରି କୁହାଯାଇଥିଲା।