ନୂଆଦିଲ୍ଲୀ, ୨୭/୦୧: ଦେଶରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ ନୂଆ ନିୟମ ଲାଗୁ ହୋଇଛି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ଓ ସମାନତାକୁ ପ୍ରତ୍ସୋହନ ଦେବା ଉଦ୍ଦେଶ୍ୟରେ ଅଣାଯାଇଥିବା ନୂଆ ନିୟମକୁ ନେଇ ତୀବ୍ର ଆଲୋଚନା ହେଉଛି ।

ବିଶ୍ବ ବିଦ୍ୟାଳୟ ଅନୁଦାନ କମିଟି ବା ୟୁଜିସି ‘ପ୍ରମୋସନ ଅଫ୍ ଇକ୍ବିଟି ଇନ ହାୟର ଏଡୁକେସନ ଇନଷ୍ଟିଚ୍ୟୁସନ ରେଗୁଲେସନ ୨୦୨୬’ ନାମକ ଏକ ନୂଆ ନିୟମ ଆଣିଛି ।  ଏକ ପକ୍ଷରେ ଏହାକୁ ସାମାଜିକ ନ୍ୟାୟ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଥିବାବେଳେ, ଅନ୍ୟ ପକ୍ଷରେ ବିରୋଧର ସ୍ୱର ମଧ୍ୟ ଉଠିଛି । ବିଶେଷ କରି ଉଚ୍ଚ ଜାତି ସହ ଜଡ଼ିତ ସଂଗଠନ ଓ କିଛି ପ୍ରଭାବଶାଳୀ ନେତା ନିୟମ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି ।

ୟୁଜିସିର ନୂଆ ନିୟମକୁ ନେଇ ବିବାଦ ଏତେ ତୀବ୍ର ହୋଇସାରିଛି । ଉତ୍ତର ପ୍ରଦେଶ ବରେଲିର ସିଟି ମାଜିଷ୍ଟ୍ରେଟ୍ ଅଳଙ୍କାର ଅଗ୍ନିହୋତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଚ୍ଚ ଜାତିର ସଂଗଠନଗୁଡ଼ିକ ଆନ୍ଦୋଳନକୁ ତୀବ୍ର କରିବାକୁ ଧମକ ଦେଇଛନ୍ତି । ସେପଟେ ବିଜେପି ମଧ୍ୟରେ ମଧ୍ୟ ଏହି ନିୟମକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦଳର ଅନେକ ବର୍ତ୍ତମାନ ଓ ପୂର୍ବତନ ସାଂସଦ ଓ ବିଧାୟକ ଖୋଲାଖୋଲି ଭାବେ ବିରକ୍ତି ଭାବ ପ୍ରକାଶ କରିଛନ୍ତି । ୟୁଜିସି ନୂଆ ନିୟମକୁ ନେଇ ଯେତେବେଳେ ବିରୋଧୀ ଦଳମାନେ ନୀରବ ରହୁଥିବା ବେଳେ ବିଜେପି ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ମାମଲାକୁ ଅଧିକ ଚର୍ଚ୍ଚିତ କରୁଛି ।

ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ:

ୟୁଜିସିର ନୂଆ ନିୟମକୁ ନେଇ ଭାରତୀୟ ଜନତା ପାର୍ଟି ଭିତରୁ ମଧ୍ୟ ବିରୋଧ ସ୍ବର ଉଠୁଛି । ବିଜେପିର ବରିଷ୍ଠ ନେତା ବ୍ରୁଜଭୂଷଣ ଶରଣ ସିଂହଙ୍କ ବିଧାୟକ ପୁଅ ପ୍ରତୀକ ଭୂଷଣ ନିଜ ନାଁ ଉଲ୍ଲେଖ ନକରି ୟୁଜିସି ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଇତିହାସର ଦ୍ୱିମୁଖୀ ମାନଦଣ୍ଡ ଉପରେ ଗଭୀର ଆଲୋଚନା କରିବାର ଆବଶ୍ୟକତା ରହିଛି। ବାହ୍ୟ ଆକ୍ରମଣ ଓ ଉପନିବେଶୀ ଶକ୍ତିଙ୍କ ନିର୍ମମ ଅତ୍ୟାଚାରକୁ ‘ଅତୀତର କଥା’ କହି ଆମେ ଭୁଲିଯାଉଛେ । ଭାରତୀୟ ସମାଜର ଏକ ବର୍ଗକୁ ଲଗାତାର ‘ଐତିହାସିକ ଅପରାଧୀ’ ଭାବେ ଚିହ୍ନଟ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

କାନପୁରର ବିଠୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଅଭିଜିତ ସିଂହ ସାଙ୍ଗା ମଧ୍ୟ ଏହି ନିୟମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି ଯେ ସରକାର ଏହି ଆଇନର ସମୀକ୍ଷା କରିବା ଉଚିତ୍ ଏବଂ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦରକାର । ଯାହାଦ୍ୱାରା ସମାଜକୁ ନ୍ୟାୟ ମିଳିପାରିବ। ଏହା ସହ ବିଜେପି ଏମ୍‌ଏଲ୍‌ସି ଦେବେନ୍ଦ୍ର ପ୍ରତାପ ସିଂହ ଯୁଜିସିକୁ ପତ୍ର ଲେଖି କହିଛନ୍ତି ଯେ ପ୍ରସ୍ତାବିତ ବ୍ୟବସ୍ଥାଗୁଡ଼ିକ ସାମାଜକୁ କ୍ଷତି ପହଞ୍ଚାଇପାରେ ଓ ଉଚ୍ଚଶିକ୍ଷା ପ୍ରଣାଳୀରେ ଜାତିଗତ ଭେଦଭାବ ବଢ଼ିବାର ଆଶଙ୍କା ରହିଛି । ଏହା ଦେଶର ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଅସ୍ଥିର କରିପାରେ ବୋଲି ଦେବେନ୍ଦ୍ର ପ୍ରତାପ ସିଂହ ସତର୍କ କରାଇ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ-ୟୁଜିସି ନିୟମ; ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଜାତିଭେଦର ନିୟମକୁ ନେଇ ଉଠିଛି ୪ ପ୍ରଶ୍ନ...​​​​​​​