ମସ୍କୋ,୧୪।୯: ବିଶ୍ବର ସବୁଠାରୁ ବଡ଼ ତୈଳ ରପ୍ତାନୀକାରୀ ରୁଷର ଦୁଇଟି ପ୍ରମୁଖ ରିଫାଇନାରୀ ଉପରେ ଉପରେ ୟୁକ୍ରେନ୍‌ର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ରୁଷ ତୈଳ ବିଶୋଧନାଗାର ଏବଂ ପାଇପଲାଇନଗୁଡ଼ିକୁ ଟାର୍ଗେଟ କରି ଏହି ଡ୍ରୋନ ଆକ୍ରମଣ କରାଯାଇଥିଲା। ରୁଷ ଅଧିକାରୀମାନେ ରବିବାର ସୂଚନା ଦେଇଛନ୍ତି ଯେ, ୟୁକ୍ରେନ ଶନିବାର ରାତିରେ ୩୬୧ ଟି ଡ୍ରୋନ ମାଡ଼ କରିଛି। ଏହି ଡ୍ରୋନଗୁଡ଼ିକ ମଧ୍ୟରୁ କିଛି ରୁଷର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶାଳ କିରିଶି ତୈଳ ବିଶୋଧନାଗାରର ଏକ ଅଂଶରେ ନିଆଁ ଲଗାଇ ଦେଇଥିଲା। ତଥାପି, ଡ୍ରୋନ ଆକ୍ରମଣ କିମ୍ବା ଅଗ୍ନିକାଣ୍ଡ ଘଟଣାରେ କୌଣସି ମୃତାହତର ଖବର ନାହିଁ। ବର୍ତ୍ତମାନ ସମୟରେ ୟୁକ୍ରେନ ଦ୍ୱାରା ରୁଷ ଉପରେ ଏହାକୁ ସବୁଠାରୁ ବଡ଼ ଆକ୍ରମଣ ବୋଲି ବିବେଚନା କରାଯାଉଛି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି , ଆମର ଏୟାର ଡିଫେନ୍ସ ସିଷ୍ଟମ   ଅତି କମରେ ୩୬୧ଟି ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛି। ଏଥିରେ ଚାରୋଟି ଗାଇଡେଡ୍ ଏରିଆଲ୍ ବୋମା ଏବଂ ଗୋଟିଏ ଆମେରିକୀୟ ନିର୍ମିତ HIMARS କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ। ରୁଷ ଅଧିକାରୀ କହିଛନ୍ତି ଯେ ରୁଷର ଦୁଇଟି ବୃହତ୍ ତୈଳ ବିଶୋଧନାଗାର ମଧ୍ୟରୁ ଗୋଟିଏ କିରିଶି  ରିଫାଇନାରୀ ୟୁକ୍ରେନୀୟ ଡ୍ରୋନ ଆକ୍ରମଣର ଟାର୍ଗେଟ ଥିଲା।

ଲେନିନଗ୍ରାଣ୍ଡ ରାଜ୍ୟପାଳ ଆଲେକଜାଣ୍ଡାର ଡ୍ରୋଜଡକୋ କହିଛନ୍ତି, କିରିଶି ଅଞ୍ଚଳରେ ତିନୋଟି ଡ୍ରୋନ ନଷ୍ଟ ହୋଇଯାଇଛି ଏବଂ ଭଗ୍ନାବଶେଷ ପଡ଼ିବା ଯୋଗୁଁ ଲାଗିଥିବା ନିଆଁ ଲିଭାଇ ଦିଆଯାଇଛି। ଆକ୍ରମଣରେ ରିଫାଇନାରୀର କ୍ଷତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖନୀୟ ଯେ, କିରିଶି ରିଫାଇନାରୀ ପ୍ରତିବର୍ଷ ପ୍ରାୟ ୧୭.୭ ମିଲିୟନ ମେଟ୍ରିକ୍ ଟନ୍(୩୫୫,୦୦ ବ୍ୟାରେଲ ପ୍ରତି ଦିନ) ତୈଳ ଉତ୍ପାଦନ କରିଥାଏ। ଯାହାକି ଦେଶର ମୋଟ ତୈଳର ୬.୪%।