ନୂଆଦିଲ୍ଲୀ,୨୦।୩:  ଥମୁନି ଋଷ-ୟୁକ୍ରେନ୍ ଲଢେଇ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଦୁଇ ଦେଶ ଅସ୍ତବିରତୀ ପାଇଁ ସହମତି ପ୍ରକାଶ କରିଥିଲେ। ୩୦ ଦିନର ଏହି ଅସ୍ତ୍ରବିରତି ୩ ଦିନ ବି କାମ ଦେଲାନି। ଅସ୍ତ୍ରବିରତି ଘୋଷଣା ପରେ ୟୁକ୍ରେନ୍‌ର ଏକାଧିକ ସ୍ଥାନକୁ ଟାର୍ଗେଟ କରିଥିଲା ଋଷ। ଏବେ ଋଷର ଏହି ହମଲାର ପାଲଟା ଉତ୍ତର ଦେଇଛି ୟୁକ୍ରେନ୍ । ୟୁକ୍ରେନ୍ ଗୁରୁବାର ଋଷ ଆଙ୍ଗେଲ୍ସ ଷ୍ଟ୍ରାଟେଜିକ୍ ବମ୍‌ର ବେସ୍‌ ଉପରେ ଡ୍ରୋନ୍ ହମଲା କରିଥିଲା, ଯାହାଫଳରେ ଜୋରଦାର ବିସ୍ଫୋରଣ ହୋଇଛି। ବିସ୍ଫୋରଣ କାରଣରୁ ଚାରିଆଡେ ଖେଳିଯାଇଥିଲା କଳା ଧୂଆଁ। ଏହି ଆକ୍ରମଣ ଏତେ ଜୋରଦାର ଥିଲା ଯେ, ଯୁଦ୍ଧ ସ୍ଥଳଠାରୁ ପ୍ରାୟ ୭୦୦ କିଲୋମିଟର ଦୂରରେ ଥିବା ଏହି ଏୟାରବେସ୍‌ ଉପରେ ବଡ ବିସ୍ଫୋରଣ ହୋଇଥିଲା। ତା ପରେ ସେଠାରେ ନିଆଁ ଲାଗିଯାଇଥିଲା। 

ଋଷ ସହର ସାରାତୋଭାର ଗଭର୍ଣ୍ଣର ରୋମନ ସୁବାର୍ଗିନ୍ କହିଛନ୍ତି, ୟୁକ୍ରେନର ଏହି ଆକ୍ରମଣ ଖୁବ୍ ଜୋରଦାର ଥିଲା। ଆଖପାଖ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବାହର କରିବାକୁ ପଡିଥିଲା। ଏୟାରବେସ୍‌ରେ ଜୋରଦାର କ୍ଷତି ହୋଇଛି। ଆଖପାଖରେ ଯାହା କିଛି ଥିଲା ସବୁ ନଷ୍ଟ ହୋଇଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ତା’ର ଏୟାର ଡିଫେନ୍ସ ସିଷ୍ଟମ ୧୩୨ ୟୁକେନ୍ ଡ୍ରୋନ୍‌କୁ ନଷ୍ଟ କରିବାରେ ସକ୍ଷମ ହୋଇଛି। 

ଏହି ଏୟାରବେସ୍‌ରେ ଟୁପୋଲେଭ ଟିୟୁ-୧୬୦ ନ୍ୟୁକ୍ଲିୟର ବମ୍‌ର ଏୟାରକ୍ରାଫ୍ଟ ମୁତୟନ କରାଯାଇଥିଲା। ଟିୟୁ-୧୬୦ ଋଷର ସବୁଠାରୁ ଆଧୁନିକ ନ୍ୟୁକ୍ଲିୟର ବମ୍‌ର ଏୟାରକ୍ରାଫ୍ଟ। ଋଷ ଏହି ବିମାନ ସାହାଯ୍ୟରେ ୟୁକ୍ରେନ୍‌ର ବହୁ ଆଡ୍ଡା ଉପରେ ବୋମାମାଡ ମଧ୍ୟ କରିଛି। ଏହି ଆକ୍ରମଣ ଦ୍ବାରା ଏୟାରବେସ୍ ଡିସ୍‌ଫଙ୍କସନ୍‌ ହୋଇଯାଇଛି। ଯାହାଫଳରେ ଟିୟୁ-୧୬୦ ଠିକ୍ ଭାବରେ ଉଡାଣ ଭରିପାରୁନି।