ନୂଆଦିଲ୍ଲୀ,୧୪/୦୬:  ଦୁଇଟି ସଂସ୍କରଣ ସଫଳତାର ସହ  ଆୟୋଜିତ ହେବା ପରେ ଆସନ୍ତା  ନଭେମ୍ବର ୨୯ ତାରିଖରୁ ଅଲଟିମେଟ୍‌  ଖୋ ଖୋର ତୃତୀୟ ସଂସ୍କରଣ  ଆରମ୍ଭ ହେବ । ଏ ବିଷୟରେ ଭାରତୀୟ ଖୋ ଖୋ ସଂଘର ସଭାପତି  ସୁଧାଂଶୁ ମିତ୍ତଲ ଘୋଷଣା କରିଛନ୍ତି । ସିଜନ-୩ ବିଶେଷତ୍ବ ହେଉଛି, ପ୍ରଥମ ଥର ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବ । ଯାହା  ପ୍ରଥମ ସଂସ୍କରଣରୁ ଦାବି ହୋଇ ଆସୁଥିଲା । 

ଶ୍ରୀ ମିତ୍ତଲଙ୍କ ସୂଚନା  ଅନୁସାରେ, ଅଲଟିମେଟ୍‌ ଖୋ ଖୋକୁ  ଅଧିକ ପରିବ୍ୟାପ୍ତ କରାଯିବା ନେଇ ଯୋଜନା ହୋଇଛି । ତେଣୁ ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବା ନେଇ  ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ଖେଳାଳି ନିଲାମୀ ଏବଂ ଅନ୍ୟାନ୍ୟ  ବିଷୟରେ ବିସ୍ତୃତ ସୂଚନା ଦିଆଯିବ । ଅଲଟିମେଟ୍‌ ଖୋ ଖୋ ପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ  ଚାମ୍ପିଅନ ହୋଇଥିଲା । ୨୦୨୩-୨୪  ସଂସ୍କରଣ କଟକରେ ଆୟୋଜିତ ହେବା ସହ ଗୁଜରାଟ ଜାଏଣ୍ଟସ  ଟାଇଟଲ ହାସଲ କରିଥିଲା । ଓଡ଼ିଶା ଜଗରନଟ୍ସକୁ ଓଡ଼ିଶା  ସରକାର ପ୍ରୋତ୍ସାହିତ କରୁଥିଲେ । ଆଗାମୀ ସଂସ୍କରଣରେ ଦଳ ଖେଳିବ କି ନାହିଁ ନୂଆ ସରକାର ନିଷ୍ପତ୍ତି ନେବେ । ଆଶା କରାଯାଉଛି ପାରମ୍ପରିକ  କ୍ରୀଡ଼ା ଖୋ ଖୋର ପ୍ରଚାର ପ୍ରସାର ଦିଗରେ ରାଜ୍ୟ ସରକାର ଆଦୌ  କୁଣ୍ଠା ପ୍ରକାଶ କରିବେ ନାହିଁ । ତେଣୁ  ଜଗରନଟ୍ସ ଆଗାମୀ ସଂସ୍କରଣରେ  ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ।