ନୂଆଦିଲ୍ଲୀ,୧୩/୦୭: ଜାତିସଂଘର ଏଡ୍‌ସ କାର୍ଯ୍ୟକ୍ରମକୁ ପାଣ୍ଠି ଯୋଗାଇବାକୁ ଆମେରିକାର  ଟ୍ରମ୍ପ ପ୍ରଶାସନ ମନା କରିଦେଇଛି । ପାଣ୍ଠି ଯୋଗାଣ  ବନ୍ଦ ହେବା ଯୋଗୁ ଆସନ୍ତା ୨୦୨୯ ସୁଦ୍ଧା ୪୦ ଲକ୍ଷ  ଲୋକ ଏଚ୍‌ଆଇଭି/ଏଡ୍‌ସରେ ପ୍ରାଣ ହରାଇବା  ସହ ୬୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ  ହେବାର ଆଶଙ୍କା ସୃଷ୍ଟି ହୋଇଛି । ନିକଟରେ  ପ୍ରକାଶ ପାଇଥିବା ୟୁଏନ୍‌ଏଡ୍‌ସର ଏକ ରିପୋର୍ଟରୁ  ଏକଥା ସାମ୍‌ନାକୁ ଆସିଛି । 

ରିପୋର୍ଟରେ କୁହାଯାଇଛି ଯେ ୟୁଏନ୍‌ଏଡ୍‌ସ  କାର୍ଯ୍ୟକ୍ରମ ପାଇଁ ଆମେରିକା ପାଣ୍ଠି ବନ୍ଦ କରିଦେବା  ଫଳରେ ଅନ୍ୟ ସହଯୋଗୀ ଦେଶମାନେ ମଧ୍ୟ  ଏଭଳି ପଦକ୍ଷେପ ନେବାର ସମ୍ଭାବନା  ରହିଛି । ଏହା ଯୋଗୁ ୟୁଏନ୍‌ଏଡ୍‌ସ  କାର୍ଯ୍ୟକ୍ରମ ପ୍ରଭାବିତ ହେବ । ଜାତିସଂଘ  ଦ୍ୱାରା ପରିଚାଳିତ ବିଭିନ୍ନ ଦେଶରେ  ଥିବା ଏଚ୍‌ଆଇଭି/ଏଡ୍‌ସ କ୍ଲିନିକ ବନ୍ଦ  ହେବ । କର୍ମଚାରୀଙ୍କୁ ଦରମା ମିଳିବନି ।  ନିବାରଣ ଓ ସଚେତନତା କାର୍ଯ୍ୟକ୍ରମ  ସମ୍ଭବ ହେବନାହିଁ । ଟେଷ୍ଟିଂ ମଧ୍ୟ କରିବା  କଷ୍ଟକର ହୋଇପଡିବ । ଏଡ୍‌ସ କାର୍ଯ୍ୟକ୍ରମରେ  ସାମିଲ ଅନ୍ୟାନ୍ୟ ସଙ୍ଗଠନ ଓ ସଂସ୍ଥାମାନେ  ମଧ୍ୟ ଦୂରେଇ ଯିବେ । ଚଳିତ ବର୍ଷ ପାଇଁ  ଆମେରିକା ୟୁଏନ୍‌ଏଡ୍‌ସ କାର୍ଯ୍ୟକ୍ରମ ଲାଗି  ୪୦୦ କୋଟି ଡଲାର ଦେବା କଥା । କିନ୍ତୁ ଗତ  ଜାନୁଆରୀରେ ଟ୍ରମ୍ପ ସମସ୍ତ ବିଦେଶୀ ଅନୁଦାନ  ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ପରବର୍ତ୍ତୀ ସମୟରେ ସେ ୟୁଏସ୍‌ଏଡ୍‌ ଏଜେନ୍ସିକୁ ବନ୍ଦ କରିଦେଇଥିଲେ । 

୨୦୦୩ରେ ଆମେରିକାର ତତ୍କାଳୀନ  ରାଷ୍ଟ୍ରପତି ଜର୍ଜ ବୁଶ୍‌ ପିଇପିଏଫଏଆର  (ଏଡ୍‌ସ ରିଲିଫ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ  ଜରୁରି ଯୋଜନା) ଆରମ୍ଭ କରିଥିଲେ ।  ପିଇପିଏଫଏଆରର ପୂର୍ବତନ ପ୍ରଧାନ  ଉପସଂଯୋଜକ ଆଞ୍ଜେଲି ଆଚରେକରଙ୍କ ସୂଚନା  ଅନୁଯାୟୀ ୟୁଏନ୍‌ଏଡ୍‌ସ କାର୍ଯ୍ୟକ୍ରମ ଉପରେ  ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ସମୀକ୍ଷା କରୁଛି । ଏହାକୁ  ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ । ଏଚ୍‌ଆଇ/ ଏଡ୍‌ସରେ ଜୀବନ ସହ ସଂଘର୍ଷ କରୁଥିବା  ବ୍ୟକ୍ତିଙ୍କ ପାଇଁ ପାଣ୍ଠି ଯୋଗାଣ ଜାରି ରହିବ ବୋଲି  ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ସୂଚନା  ଦେଇଛନ୍ତି । ବିଭିନ୍ନ ଦେଶ ପକ୍ଷରୁ ନିଜସ୍ୱ ଏଡ୍‌ସ  କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ଆମେରିକା ସହାୟତା  ବିନା ତାହା ଅଧୁରା ହୋଇଯିବ।