ମୁନିଗୁଡ଼ା ୮।୩: ରାୟଗଡ଼ାର ଚର୍ଚ୍ଚିତ ୭ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫା କରିଛି ରାୟଗଡା ପୋଲିସ । ମୃତ ଶିଶୁକୁ ନିଜ ଦାଦା ହତ୍ୟା କରିଛି । ଦାଦା ଚଦନ୍ଦ ଗନ୍ତାୟତଙ୍କୁ ପୁଲିସ ଗିରଫ କରିଛି।  ସାମ୍ବାଦିକ ସମ୍ମିଳନୀରେ ଏସପି ସ୍ୱାତୀ ଏସ୍. କୁମାର ଏହି ସୂଚନା ଦେଇଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ପୁରୁଣା ଷ୍ଟେସନ ସାହିର ରିଷି ଗନ୍ତାୟତ କିଛି ସଉଦା ଆଣିବା ପାଇଁ ନିକଟ ଦୋକାନକୁ ଯାଇଥିଲା। ଫେରିବା ବେଳେ ରିସିର ଦାଦା ଲେଜ୍ କିଣିବା ରିଷିକୁ ବଜାରକୁ ନେଇ କିଛି ସମୟ ପରେ ଘର ନିକଟରେ ଥିବା ଏକ ଗଳି ପାଖରେ ଛାଡି ଦେଇଥିଲେ । କିନ୍ତୁ ରିଷି ଆଉ ଘରକୁ ଫେରିନଥିଲା । ରାତି ପ୍ରାୟ ୮ଟାରେ ବେଳେ ରିଷିଙ୍କ ମାମୁଁଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା ଯେ ରିଷିଙ୍କୁ ଅପହରଣ କରାଯାଇଛି । ତାଙ୍କୁ ଛାଡ଼ିବା ପାଇଁ ୩ଲକ୍ଷ୫୦ ହଜାର ଟଙ୍କା ଦେବାକୁ ପଡିବ । ଏହି ମେସେଜ ଦେଖି ପରିବାର ତରଫରୁ ବିଭିନ୍ନ ଜାଗାରେ ଖୋଜିବା ପରେ କିଛି ସମୟ ପରେ ନିଜ ଘରଠାରୁ ଅଳ୍ପ ଦୁରରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରୁ ରିଷିଙ୍କ ମୃତଦେହ ମିଳିଥିଲା।

ଏହି ଘଟଣାରେ ପୋଲିସ ରିଷିଙ୍କ ଦାଦା ଚନ୍ଦନଙ୍କୁ ଅଟକ ରଖିଥିଲା। ଚନ୍ଦନ ବହୁ ଲୋକଙ୍କ ଠାରୁ ଟଙ୍କା ନେଇଥିଲା। ନିଜ ପରିବାରକୁ ଟଙ୍କା ମାଗିବା ସହ ଘରର ସୁନା ବନ୍ଧକ ରଖି ଅନଲାଇନ ଗେମ୍ ଖେଳିଥିଲା । ଏପରିକି ଚନ୍ଦନ ନିଜ ମା’ଙ୍କ ଆକାଉଣ୍ଟକୁ ଆସିଥିବା ଧାନ ବିକ୍ରି ଟଙ୍କା ମଧ୍ୟ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରାଇଥିଲା । ଯାହାକୁ ନେଇ ଘରେ କଳହ ଲାଗି ରହିଥିଲା । ତେବେ ଉକ୍ତ ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ପୁତୁରାକୁ ହତ୍ୟା କରିଥିଲା ଅଭିଯୁକ୍ତ ଚଦନ୍ଦ।  ହତ୍ୟା ପରେ ଅପହରଣର ନାଟକ ରଚିଥିଲା । ତେବେ ଟଙ୍କା ଲୋଭରେ ଏହି ଅପରାଧ ଘଟାଇଥିବା  ଏସପି କହିଛନ୍ତି।