ଓଡ଼ିଶାରେ ବେକାରୀ ହାର ସର୍ବନିମ୍ନ  ୩.୯% ମଧ୍ୟରୁ ସେହି ଦରପାଠୁଆ  ସ୍ନାତକମାନଙ୍କ ସଂଖ୍ୟା ବୋଧେ  ସର୍ବାଧିକ । ଏହି ଗୋଷ୍ଠୀର ଯୁବପିଢ଼ି  ପ୍ରାୟ ସମସ୍ତେ ପ୍ରଥମତଃ ଚାଷକାମକୁ  ଘୃଣା କରନ୍ତି, ନିଜ ବାପା ସମ୍ପତ୍ତି ଜମି ପଡିଆ ପଡ଼ିଥିଲେ ବି ନିଜେ ଚାଷ  କରିବାକୁ ହୀନମନ୍ୟତା ଭାବନ୍ତି!


ସବୁବେଳେ ରାଜନେତାମାନଙ୍କ ଚିତ୍କାର ଶୁଣିଆସୁଛୁ  ଯେ, ଓଡ଼ିଶାରେ ବେକାର ସଂଖ୍ୟା ବଢ଼ିଗଲା,  ୧୯୭୧ ମସିହାରେ ଯାହା ଶୁଣୁଥିଲୁ ଆଜିବି ସେଇଆ  ଶୁଣୁଛୁ । କିନ୍ତୁ ସେ ସମୟର ଅବସ୍ଥା ଯେ ସମ୍ପୂର୍ଣ୍ଣ  ବଦଳି ଗଲାଣି, କେହି ମାନିବାକୁ ପ୍ରସ୍ତୁତ ନାହାନ୍ତି ।  ସେତେବେଳେ ଗାଁଗହଳିର ଲୋକମାନେ କାମ କରି  ଦୁଇପଇସା କମେଇବାକୁ କାମ ପାଉନଥିଲେ, ସେମିତି  ଭୋକ ଉପାସରେ ପିଣ୍ଡାରେ ବସିଥାନ୍ତି ସିନା କାମ ନଥାଏ । 

ଆଜିକାଲି କିନ୍ତୁ ଆମେ କାମ କରେଇବାକୁ ଶ୍ରମିକ ମିଳୁନି,  କାମଦାମ ବହୁତ ବଢ଼ିଯାଇଛି, ଘରେ ଘରେ କନଷ୍ଟ୍ରକ୍ସନ,  ଗାଁରେ ସବୁଦିନିଆ ରାସ୍ତା କାମ, ପୋଲ କାମ, ଜମିବାଡ଼ି  କାମ ଏତେମାତ୍ରାରେ ବୃଦ୍ଧିପାଇଛି ଯେ ମଜୁରିଆମାନଙ୍କ  ପ୍ରବଳ ଅଭାବ ଘଟିଛି । ତେଣୁ ଗାଁଗହଳିଠାରୁ ସହର  ପର୍ଯ୍ୟନ୍ତ ଆଜି ବିହାର ଓ ପଶ୍ଚିମବଙ୍ଗରୁ ବହୁମାତ୍ରାରେ  ଦୈନନ୍ଦିନ ଶ୍ରମିକ ଓ ନିର୍ମାଣ ଶ୍ରମିକମାନେ  ଭରିଗଲେଣି । ଓଡ଼ିଶାରେ ଆଜି ଅଣକୁଶଳୀ  ଶ୍ରମିକଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରି  ୪୫୨ ଟଙ୍କା ଏବଂ ଅର୍ଦ୍ଧ-କୁଶଳୀ ଶ୍ରମିକଙ୍କ  ପାଇଁ ସର୍ବନିମ୍ନ ଦୈନିକ ମଜୁରି ୫୦୨ ଟଙ୍କା  ଥିଲାବେଳେ ତା’ଠାରୁ କିଛି ଅଧିକ ରୋଜଗାର  କରିବାକୁ ଆମ ରାଜ୍ୟର ଶ୍ରମିକମାନେ ମଧ୍ୟ  କେରଳ, ତାମିଲନାଡୁ ଓ କର୍ଣ୍ଣାଟକ ସମେତ  ଅନ୍ୟ ରାଜ୍ୟକୁ ବି ଯାଉଛନ୍ତି । 

ତାହା ବ୍ୟତୀତ ଲକ୍ଷ  ଲକ୍ଷ ଓଡ଼ିଆ ଇଞ୍ଜିନିୟର ଯୁବକ ଯେଉଁମାନେ କ୍ୟାମ୍ପସ  ସିଲେକ୍ସନରେ ନିଯୁକ୍ତି ପାଇପାରିଲେ ନାହିଁ ସେମାନେ ନିଜ ଉଦ୍ୟମରେ ହାଇଦରାବାଦ, ବେଙ୍ଗାଲୁରୁ ଓ ଦିଲ୍ଲୀ ଯାଇ  ଆଇଟି କ୍ଷେତ୍ରରେ କିଛି ସଂକ୍ଷିପ୍ତ ପାଠ୍ୟକ୍ରମ ସମାପ୍ତ କରି  ସେଠାରେ ଚାକିରି ପାଇଯାଉଛନ୍ତି । ଆଇଟି କ୍ଷେତ୍ରରେ  ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଥିବାରୁ କେବଳ ଇଞ୍ଜିନିୟରିଂ  ପିଲା ନୁହନ୍ତି, ଏମସିଏ, ବିସିଏ, କମର୍ସ ଓ ସାଇନ୍‌ସ  ପୃଷ୍ଟଭୂମିରୁ ବି ବହୁ ସଂଖ୍ୟାର ପିଲା ଆଇଟି କ୍ଷେତ୍ରରେ  ନିଯୁକ୍ତି ପାଇପାରୁଛନ୍ତି । ତେଣୁ ଓଡ଼ିଶା ଭିତରେ ଆଜି  ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନଙ୍କ  ଘୋର ଅଭାବ ଘଟିଛି କହିଲେ ଭୁଲ୍‌ ହେବନାହିଁ । 

ତେବେ ପ୍ରଶ୍ନ ଉଠୁଛି, ଏତେ ନିଯୁକ୍ତି ସୁଯୋଗ ଥାଇ  ମଧ୍ୟ ବେକାରୀ ରହିଲେ କିଏ? ଏତେସଂଖ୍ୟାର ବେକାର  ବି ଆସିଲେ କେଉଁଠୁ? ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌  ଇକୋନୋମି (ସି.ଏମ.ଆଇ.ଇ) ଅନୁଯାୟୀ, ଜୁନ୍‌  ୨୦୨୪ ସୁଦ୍ଧା ଭାରତର ବେକାରୀ ହାର ୯.୨% ରହିଛି ।  ସି.ଏମ.ଆଇ.ଇ.ର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ  ହରିୟାଣାରେ ୩୭.୪%, ରାଜସ୍ଥାନରେ ୨୮.୫%  ଏବଂ ଦିଲ୍ଲୀରେ ୨୦.୮% ରହିଥିଲାବେଳେ ସମଗ୍ର  ରାଜ୍ୟ ମଧ୍ୟରେ ଓଡ଼ିଶାରେ ବେକାରୀ ହାର ସର୍ବନିମ୍ନ  ୩.୯%ରେ ରହିଛି । ଆଜିକାଲି ଓଡ଼ିଶାର ଗାଁଗହଳିରେ  ଦେଖାଯାଉଛି ଯେ, ୧୮ରୁ ୨୫ବର୍ଷ ବୟସର କମ୍‌  ଶିକ୍ଷାଗତ ଯୋଗ୍ୟତା ଥିବା ପିଲାମାନେ ଗାଁ ଛାଡ଼ି କୌଣସି  ସହରରେ ଚାକିରି କରି ପଇସା ରୋଜଗାର କରୁଛନ୍ତି,  ପାଣିପାଇପ ମିସ୍ତ୍ରୀଠାରୁ ହୋଟେଲ ବୟ ହେଉ ବା  ସିକ୍ୟୁରିଟି ସଂସ୍ଥା ହେଉ, ଯେଉଁଠାରେ ସୁଯୋଗ ମିଳୁଛି  ସେଠାରେ କାମଦାମ କରି ପରିବାର ପୋଷଣ କରିବାରେ  ସମର୍ଥ ହୋଇପାରୁଛନ୍ତି । କିନ୍ତୁ "ନାମକୁ ମାତ୍ର ସ୍ନାତକ'  ଡିଗ୍ରୀଧାରୀ ବେକାର ଯୁବକଙ୍କ ସଂଖ୍ୟା ସର୍ବାଧିକ, କାରଣ  ବଡ଼ ଅଦ୍ଭୁତ, ଯେହେତୁ ସେମାନେ ସ୍ନାତକଧାରୀ ଯୁବକ,  ଛୋଟ ମୋଟ କାମ କରିବାକୁ ଅମଙ୍ଗ । ସେମାନଙ୍କର  ପ୍ରଥମ ପସନ୍ଦର ଚାକିରି ହେଉଛି "ସରକାରୀ ଚାକିରି' ।  କିନ୍ତୁ ସରକାରୀ ଚାକିରି ପାଇଁ ଆଗ୍ରହୀ ଲକ୍ଷ ଲକ୍ଷ ପିଲା  ପ୍ରତିଯୋଗିତାମୂଳକ ପରୀକ୍ଷାର ସମ୍ମୁଖୀନ ହୁଅନ୍ତି,  ସେମାନଙ୍କ ମଧ୍ୟରୁ ଏମାନେ ସବୁଠାରୁ ପଛରେ  ଥାଆନ୍ତି । ଅଙ୍ଗ୍ରେଜି ଛାଡ଼ନ୍ତୁ, ଓଡ଼ିଆରେ ଦରଖାସ୍ତଟିଏ  ଏମାନେ ଲେଖିପାରନ୍ତିନାହିଁ ବୋଲି ଏମାନଙ୍କୁ "ନାମକୁ  ମାତ୍ର ସ୍ନାତକ' କୁହାଯାଏ । କିନ୍ତୁ ଏମାନେ କୌଣସି  ବଡ଼ବଡ଼ିଆଙ୍କୁ ଧରାଧରି କରି କୌଣସି ସରକାରୀ  ଚାକିରି କରିବା ପ୍ରୟାସରେ ବୟସ ଗଡ଼ିଯାଏ ସିନା  ଚାକିରି ମିଳେନାହିଁ । ସେଇମାନେ ହିଁ ରାଜନେତାଙ୍କ  ପଛରେ ଗୋଡ଼ାଇ ଗୋଡ଼ାଇ କିଛି ରୋଜଗାର କରନ୍ତି  ଏବଂ ରାଜନେତାଙ୍କ ସ୍ୱରରେ ସ୍ୱର ମିଳାଇ ଚିତ୍କାର  କରନ୍ତି "ବେରୋଜଗାରୀ ବଢ଼ିଚାଲିଛି ସରକାର କିଛି  କରୁନାହିଁ...' । 

ଦେଖାଯାଇଛି, ବହୁତ ଯୁବପିଢି କେବଳ ସରକାରୀ  ଚାକିରି କରିବା ପଣ ନେଇ ବଞ୍ଚିଥାଆନ୍ତି, କିନ୍ତୁ  ପରିଶେଷରେ ଆଜିର ବେକାରୀ ସଂଘରେ ନିଜ ନାମ  ଲିପିବଦ୍ଧ କରିଥାନ୍ତି । "ଦକ୍ଷତାବିହୀନ ଉଚ୍ଚଶିକ୍ଷା' ଏବଂ  "ନିଯୁକ୍ତି' କ୍ଷେତ୍ରରେ ମଧ୍ୟ ଏକ ସମ୍ପର୍କ ରହିଛି, ଯେପରି  ସ୍ନାତକମାନେ ସାଧାରଣତଃ କମ୍‌ ଶାରୀରିକ ପରିଶ୍ରମ ଓ  ଉଚ୍ଚ ଦରମାର ହ୍ୱାଇଟ୍‌ କୋଲାର ଚାକିରି ପ୍ରତି ଆଗ୍ରହୀ,  କିନ୍ତୁ ସେମାନଙ୍କର ସେଥିପାଇଁ ଆବଶ୍ୟକ ପଡୁଥିବା  ଦକ୍ଷତାର ଘୋର ଅଭାବ ଥାଏ, ଆବଶ୍ୟକୀୟ ତାଲିମ  ନେଇନଥାନ୍ତି । ତେଣୁ ଓଡ଼ିଶାରେ ବେକାରୀ ହାର ସର୍ବନିମ୍ନ  ୩.୯% ମଧ୍ୟରୁ ସେହି ଦରପାଠୁଆ ସ୍ନାତକମାନଙ୍କ  ସଂଖ୍ୟା ବୋଧେ ସର୍ବାଧିକ । ଏହି ଗୋଷ୍ଠୀର ଯୁବପିଢ଼ି  ପ୍ରାୟ ସମସ୍ତେ ପ୍ରଥମତଃ ଚାଷକାମକୁ ଘୃଣା କରନ୍ତି, ନିଜ  ବାପା ସମ୍ପତ୍ତି ଜମି ପଡିଆ ପଡ଼ିଥିଲେ ବି ନିଜେ ଚାଷ  କରିବାକୁ ହୀନମନ୍ୟତା ଭାବନ୍ତି! 

ନିକଟରେ ବେଙ୍ଗାଲୁରୁରେ ଦେଖାହେଲେ ଜଣେ  ଓଡ଼ିଆ ଯୁବକ ରଞ୍ଜନ, କଟକ ଜିଲ୍ଲାର ନେମାଳ  ନିକଟବର୍ତ୍ତୀ ବନ୍ଧୁପୁର ଗ୍ରାମରେ ତାଙ୍କ ଘର। ଶୁଣି ଆଶ୍ଚର୍ଯ୍ୟ  ହେଲି ଯେ, ଆଇଟି କ୍ଷେତ୍ରରେ ଥାଇ ମଧ୍ୟ ମୋ ରାଜ୍ୟର  ସେ ଜଣେ ଯୁବପ୍ରତିଭା, ନିଜ ଗାଆଁ ମାଟି ସହିତ ଜଡ଼ିତ  ରହି କୃଷିକ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିଛନ୍ତି ।  ମନେପଡ଼ିଗଲା ଆମ ରାଜ୍ୟର ସେହି "ନାମକୁ ମାତ୍ର  ସ୍ନାତକମାନେ', ଯିଏ କୃଷିକାର୍ଯ୍ୟକୁ ହୀନଦୃଷ୍ଟିରେ  ଦେଖୁଛନ୍ତି, ଦୟା ଆସିଲା ସେମାନଙ୍କ ପ୍ରତି । 

୨୦୨୧ ମସିହା କରୋନା ସମୟର କଥା । ଚାକିରି  କ୍ଷେତ୍ରରେ ବହୁଦିନ ଧରି ଅନିଶ୍ଚିତତା ଲାଗିରହିଥିଲା ।  ଗାଁକୁ ଫେରି ବିକଳ୍ପ କିଛି ଚିନ୍ତା କରିବାକୁ ଲାଗିଲେ  ରଞ୍ଜନ । କମ୍ପୁଟର ଯୁଗର ଯୁବକ ସେ, ଇଣ୍ଟରନେଟରୁ  ବହୁତ ରିସର୍ଚ୍ଚ କଲାପରେ ସ୍ଥିର କଲେ ଗାଁରେ ଗୋଟିଏ  ଛେଳି ଫାର୍ମ କରିବେ । ୨୦୨୧ ମସିହା ଜୁନ ଛଅ  ତାରିଖରେ ପ୍ରଥମେ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରି ୮୦ଟା  ଛେଳି ରହିପାରିବା ଭଳି ଘର ନିର୍ମାଣ ସହିତ ପାଞ୍ଚ ଏକର  ଜମିରେ କିଛି ଉଚ୍ଚମାନର ଘାସଚାଷ ଆରମ୍ଭ କରିଦେଲେ ।  ବିଭିନ୍ନ ପ୍ରକାର ଘାସ ଯଥା- ଇଣ୍ଡୋନେସିଆନ ସ୍ମାର୍ଟ  ନାପିଏର, ଅଷ୍ଟ୍ରେଲିଆନ ରେଡ ନାପିଏର, ଆମେରିକାନ  ୫ଜି, ମୁଲବେରୀ, ଦଶରଥ, ଅଗସ୍ତି ଓ ନାଗାର୍ଜୁନ ପରି  ଅଧିକ ପ୍ରୋଟିନ ଏବଂ ଫାଇବରଯୁକ୍ତ ଘାସ ବିଭିନ୍ନ  ରାଜ୍ୟରୁ ଆଣି ଚାଷ ଆରମ୍ଭ କରିଦେଲେ । ରାଜସ୍ତାନ  ଓ ଅନ୍ୟ ରାଜ୍ୟ ନିଜେ ଭ୍ରମଣ କରି ବିଭିନ୍ନ ପ୍ରଜାତିର  କିଛି ଛେଳି ଯଥା: ସିରୋହୀ, ଯମୁନାପାରି ଓ ବେଟେଲ  ଆଦି ମିକ୍ସଡ ବ୍ରୀଡର ୮୦ଟି ଛେଳି ଆଣି ପାଳନ କଲେ ।  କିନ୍ତୁ ଦୁର୍ଭାଗ୍ୟବଶତଃ ସବୁପ୍ରକାର ସତର୍କତା ଅବଲମ୍ବନ  କରିବା ସତ୍ତେ୍ୱ ଏକାଥରକେ ୪୦ଟା ଛେଳି ରୋଗରେ  ପଡ଼ି ମରିଗଲେ । ଯାହାହେଉ ସେପର୍ଯ୍ୟନ୍ତ ନିଜର ଚାଷ  କରିଥିବା ଉଚ୍ଚକୋଟୀର ଘାସର ଚାରା ବିକ୍ରି କରିବାପାଇଁ  ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସେ ନିଜର ଉପସ୍ଥିତି ଜାହିର  କରିସାରିଥିଲେ । ଗୋପାଳନ ଓ ଛେଳି ପାଳନ ପାଇଁ  ବଜାରରେ ମିଳୁଥିବା ଖାଦ୍ୟ ତୁଳନାରେ ଏହିପ୍ରକାର ଚାଷ  ଘାସର ମୂଲ୍ୟ ବହୁତ କମ୍‌ ଏବଂ ଅତ୍ୟଧିକ ପ୍ରୋଟିନ ଏବଂ  ଫାଇବର ଯୋଗୁଁ ତାଙ୍କର ଏହି ଘାସ ଚାରାର ଚାହିଦା ହୁ  ହୁ ହୋଇ ବଢ଼ିଚାଲିଲା । କିନ୍ତୁ ଛେଳିରେ କ୍ରମାଗତ କ୍ଷତି  ଯୋଗୁଁ ଅବଶିଷ୍ଟ ୪୦ଟି ଛେଳି ବିକ୍ରି କରିଦେଲେ । ଘାସ  ଚାରା ଚାଷ ଓ ବିକ୍ରି କରିବାର ନେଟୱାର୍କ ସୁଦୃଢ଼ କରିସାରି  ୨୦୨୩ ମସିହାରେ ପୁଣି ଫେରିଗଲେ ବେଙ୍ଗାଲୁରୁ । କିନ୍ତୁ  ଛେଳି ଚାଷରେ ବିଫଳତା ପାଇଁ ତାଙ୍କ ମନରେ ଗଭୀର  ପ୍ରଭାବ ପକେଇଥିଲା, ସେ ଚୁପ୍‌ ବସିନଥିଲେ, ଦେଶର  ବିଭିନ୍ନ ନାମକରା ଛେଳିଚାଷୀଙ୍କ ସହ ଇଣ୍ଟରନେଟ  ଜରିଆରେ ସମ୍ପର୍କରେ ଆସିଥିଲେ ଏବଂ ତାଙ୍କ ବିଫଳତାର  କାରଣ ଖୋଜି ଚାଲିଥିଲେ । ଜାଣିବାକୁ ପାଇଲେ ଯେ,  ସେ ଯେଉଁ ପ୍ରଜାତିର ଛେଳି ଚୟନ କରିଥିଲେ ସେସବୁର  ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍‌ ଥିଲା, ତେଣୁ  ମିଶ୍ରିତ ପ୍ରଜାତିର ଛେଳି ଆଣିବା ତାଙ୍କର ବଡ଼ ଭୁଲ୍‌  ଥିଲା । ଖୁଚୁରା ଛେଳିମାଂସ ବେପାରୀଙ୍କୁ ଛେଳି ଯୋଗାଣ  କରିବା ଉଦ୍ଦେଶ୍ୟ ତାଙ୍କର କେବେବି ନଥିଲା, ନିଶା ଥିଲା  ଓଡ଼ିଶାରେ ନିଜ ଉଦ୍ୟମରେ ଛେଳି ପ୍ରଜନନ କରିବା  ସହିତ ଅନେକ ସଫଳ ଚାଷୀ ତିଆରି କରିବା, ଯାହାଦ୍ୱାରା  କୃଷିକ୍ଷେତ୍ରରେ ବି ଅନେକ ସୁଯୋଗ ପାଇପାରିବେ ଓଡ଼ିଆ  ଯୁବକ । 

୨୦୨୪ ମସିହାରେ ପୁଣି ଥରେ ଛେଳି ପ୍ରଜନନ  ବିଷୟରେ ଅନୁଧ୍ୟାନ କରିବାକୁ ଲାଗିଲେ । ମହାରାଷ୍ଟ୍ରର  ଜଣେ ସଫଳ ଚାଷୀ ପାଖରେ ମାସେ ଯାଏଁ ରହି ଛେଳି  ପ୍ରଜନନ ବିଷୟରେ ସମସ୍ତ ତଥ୍ୟ ଅନୁଧ୍ୟାନ କରି ଜାଣିଲେ  ମାତ୍ର ଗୋଟିଏ ପ୍ରଜାତି ଛେଳି "ବୋୟର ଛେଳି' ଯାହାର  ଅତ୍ୟଧିକ ରୋଗ ପ୍ରତିରୋଧକ ଶକ୍ତି ଅଛି ଏବଂ ତାହାର  ଉତ୍ପତ୍ତି ହେଉଛି ଦକ୍ଷିଣ ଆଫ୍ରିକା, ସେ ପ୍ରଜାତିର ପୁରୁଷ  ଛେଳିର ଓଜନ ପ୍ରାୟ ୧୫୦ କିଲୋ ଯାଏଁ ହୋଇଥାଏ । 

ପରିଶେଷରେ ୨୦୨୪ ମସିହା ମାର୍ଚ୍ଚ ୧୫ ତାରିଖରେ  ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅରିଜିନାଲ ଦକ୍ଷିଣ ଆଫ୍ରିକାର  "ହୋଲ ବ୍ଲଡ୍‌ ବୋୟର ବ୍ରୀଡର ଛେଳି' ପ୍ରଜାତିର  ଗୋଟିଏ ପୁରୁଷ ଓ ୫୦ଟି ମାଈ ଛେଳି ଆଣି ସଫଳତା  ସହିତ ଛେଳି ଓ ଘାସଚାଷ ଜାରି ରଖିଛନ୍ତି । ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନିଜ ଚାକିରି କ୍ଷେତ୍ରରୁ  ସିଧାସଳଖ ବ୍ରୀଡର କ୍ରେତା, ପରିବହନକାରୀ, ଏଜେଣ୍ଟ  ଓ କର୍ମଚାରୀଙ୍କ ସହ ସମ୍ପର୍କରେ ରହି ନିଜେ ସବୁ କିଛି  ପରିଚାଳନା କରୁଛନ୍ତି । ଆଜି ଦିନରେ "ବ୍ରୀଡର ଛେଳି'  ଯୋଗାଣ ବ୍ୟତୀତ କେବଳ ଘାସ ଚାରା ବିକ୍ରିକରି  ମାସିକ ହାରାହାରି ୭୫୦୦୦ ଟଙ୍କା ଆୟ କରିବା ସହିତ  କିଛି ଯୁବକଙ୍କୁ ରୋଜଗାର ଯୋଗାଇବାରେ ବି ସକ୍ଷମ  ହୋଇପାରିଛନ୍ତି । ଆସନ୍ତା ଦୁଇବର୍ଷ ମଧ୍ୟରେ ୫୦୦  ବ୍ରୀଡର ଛେଳିକୁ ବୃଦ୍ଧି କରିବା ତାଙ୍କର ଲକ୍ଷ୍ୟ । ନିଜର ବୃତ୍ତି  ଓ ବ୍ୟବସାୟ ମଧ୍ୟରେ ସାର୍ଥକ ସମନ୍ୱୟର ଉଦାହରଣ ହୋଇପାରିଥିବା ଆମର ସେ ଓଡ଼ିଆ ଯୁବକଙ୍କ ଠାରୁ  ବହୁତ କିଛି ଶିଖିବାର ଅଛି, ନିଜକୁ ବେକାର କହୁଥିବା  ସେହି "ନାମକୁ ମାତ୍ର ସ୍ନାତକ'ମାନଙ୍କୁ!