ନୂଆଦିଲ୍ଲୀ,୧।୨: ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବଜେଟରେ, ସେ ମଧ୍ୟବିତ୍ତ ବର୍ଗ, ବେତନଭୋଗୀ , ବରିଷ୍ଠ ନାଗରିକ, କ୍ଷୁଦ୍ର ଉଦ୍ୟୋଗୀ, ଛାତ୍ର ଏବଂ ସମସ୍ତ ବର୍ଗର ଲୋକଙ୍କୁ କିଛି ଦେବାକୁ ଚେଷ୍ଟା କରିଛନ୍ତି। ତାଙ୍କ ବଜେଟ୍ ଘୋଷଣାରେ ସମାଜର ସବୁ ବର୍ଗର ଲୋକମାନେ ଖୁସି ଥିବା ପରି ମନେ ହେଉଛି। ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା ମଧ୍ୟବିତ୍ତଙ୍କ ପାଇଁ ଏକ ବଡ ଉପହାର। ୧୨ ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତି ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ୨୦ ପ୍ରତିଶତ ଟ୍ୟାକ୍ସ ଦେବେ । ୨୦ରୁ ୨୪ ଲକ୍ଷ ଆୟ ଥିଲେ ୨୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ୨୪ ଲକ୍ଷରୁ ଅଧିକ ଆୟ ଥିଲେ ୩୦ ପ୍ରତିଶତ ଟ୍ୟାକ୍ସ ଦିଆଯିବ । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ ।
ସରକାରଙ୍କ ଏହି ଖର୍ଚ୍ଚକୁ ସମସ୍ତେ ପ୍ରଶଂସା କରୁଛନ୍ତି। କିନ୍ତୁ କେହି ଜାଣନ୍ତି ନାହିଁ ଯେ ସରକାର ଦେଶର ଲୋକଙ୍କ ପାଇଁ ଯେଉଁ ଟଙ୍କା ଖର୍ଚ୍ଚ କରନ୍ତି ତାହା କେଉଁଠାରୁ ଆସେ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅର୍ଥମନ୍ତ୍ରୀ ସରକାରଙ୍କ ଆୟ ଏବଂ ବ୍ୟୟର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ସମ୍ପୂର୍ଣ୍ଣ ବଜେଟକୁ ଆମେ ଯଦି ଟଙ୍କାଟିଏରେ ହିସାବ କରିବା, ତା’ହେଲେ କେମିତି ରହିବ ହିସାବ ଆସନ୍ତୁ ଜାଣିବା। ୧ ଟଙ୍କାରେ କେତେ ଟଙ୍କା କେଉଁଠାରୁ ଆସିଥାଏ ଏବଂ କେଉଁଠାରେ ଖର୍ଚ୍ଚ ହୁଏ?
କେଉଁଠୁ ଆସେ ଟଙ୍କା ?
ସରକାରଙ୍କ ରାଜସ୍ୱର ପ୍ରମୁଖ ଉତ୍ସଗୁଡ଼ିକ ମଧ୍ୟରେ ଋଣ ଏବଂ ଅନ୍ୟାନ୍ୟ ଦେୟରୁ (୨୪ ପଇସା), ଆୟକର (୨୨ ପ୍ରତିଶତ), ଜିଏସଟି ଏବଂ ଅନ୍ୟାନ୍ୟ ପରୋକ୍ଷ କର (୧୮ ପଇସା), କର୍ପୋରେଟ୍ ଟ୍ୟାକ୍ସ (୧୭ ପଇସା) ଅନ୍ତର୍ଭୁକ୍ତ। ଅଣ-ଟିକସ ରାଜସ୍ୱ(୯ ପଇସା), କେନ୍ଦ୍ରୀୟଉତ୍ପାଦ ଶୁଳ୍କ(୫ ପଇସା), ସୀମା ଶୁଳ୍କ(୪ ପଇସା) ଏବଂ ୧ ପଇସା ଅଣ-ଋଣ ପୁଞ୍ଜିଗତ ଅଂଶରୁ ଆସିଥାଏ।
କେଉଁଠି ହେବ ଖର୍ଚ୍ଚ ?
ଅର୍ଥମନ୍ତ୍ରୀ ପୁରା ଖର୍ଚ୍ଚର ମଧ୍ୟ ବିବରଣୀ ଦେଇଛନ୍ତି। ସରକାରଙ୍କ ୧ ଟଙ୍କାର ଆମଦାନୀରୁ ୨୨ ପଇସା ଟ୍ୟାକ୍ସ ଓ ଶୁଳ୍କରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଅଂଶ ଭାବରେ ପ୍ରଦାନ କରାଯାଏ। ସୁଧ ଦେୟ(୨୦ ପଇସା), କେନ୍ଦ୍ରୀୟ କ୍ଷେତ୍ର ଯୋଜନା(୧୬ ପଇସା), ପ୍ରତିରକ୍ଷା(୮ ପଇସା), କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା(୮ପଇସା), ଆର୍ଥିକ ସହାୟତା(୬ ପଇସା), ଅର୍ଥ ଆୟୋଗ ଓ ଅନ୍ୟସ୍ଥାନାନ୍ତରଣ (୮ ପଇସା), କେନ୍ଦ୍ରୀୟ ଯୋଜନା (୮ ପଇସା), ପେନସନ୍ (୪ ପଇସା), ସବିସିଡି (୬ ପଇସା) । ସରକାର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୮ ପଇସା ମଧ୍ୟ ସ୍ଥିର କରିଛନ୍ତି, ଯାହା ପ୍ରଶାସନିକ ଏବଂ ଶାସନ ଖର୍ଚ୍ଚକୁ କଭର କରେ।
ଗୋଳା,ବାରୁଦ, ମିସାଇଲ ଓ ଫାଇଟର ଜେଟ୍...ବଢିଲା ଭାରତର ଡିଫେନ୍ସ ବଜେଟ୍, ସେନା ହେବ ଆହୁରି ଶକ୍ତିଶାଳୀ