ଭୁବନେଶ୍ବର ୨୭/୧: ଆଜି ସାରା ଦେଶରେ ବ୍ୟାଙ୍କ ବନ୍ଦ। ସପ୍ତାହରେ ୫ଟି କାର୍ଯ୍ୟଦିବସ ସହ ବାକି ସବୁ ଶନିବାର ଗୁଡିକୁ ଛୁଟି ଦିନ ଭାବେ ଘୋଷଣା କରିବା ଦାବିରେ ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର ବନ୍ଦ ପାଳନ। ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି। ହୋଇପାରିବନି ନଗଦ ଟଙ୍କା କାରବାର ଏବଂ ଚେକ୍ସ କ୍ଲିଅରାନ୍ସ। ବ୍ୟାଙ୍କ ଧର୍ମଘଟରେ ଷ୍ଟେଟ୍ ବ୍ୟାଙ୍କ, ପିଏନ୍ବି, ବ୍ୟାଙ୍କ ଅଫ୍ ବରୋଦା ସମେତ ୧୨ଟି ବ୍ୟାଙ୍କ ସେବା ପ୍ରଭାବିତ।
ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ବ୍ୟାଙ୍କ ଗୁଡିକରେ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହିଛି । କିନ୍ତୁ ମାସର ସବୁ ଶନିବାର ଛୁଟି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି/ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ସେହି ଅନୁଯାୟୀ, ପ୍ରତି ମାସର ୨ୟ ଏବଂ ୪ର୍ଥ ଶନିବାର ଛୁଟି ଘୋଷିତ ହୋଇଛି । କିନ୍ତୁ ଅନ୍ୟ ଶନିବାର ଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି । ଦୁଇ ଦିନିଆ ଛୁଟି ଆରବିଆଇ, ଏଲଆଇସି ଓ ଜିଆଇସି ଭଳି ଆର୍ଥିକ ସଂସ୍ଥା ମାନଙ୍କ କ୍ଷେତ୍ରରେ ସମ୍ପ୍ରତି କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାଂଶ କାର୍ଯ୍ୟାଳୟ କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ଷ୍ଟକ୍ ଏକ୍ସଚେଞ୍ଜ ଗୁଡ଼ିକ ମଧ୍ୟ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି I ମୁଦ୍ରା ବଜାର, ବିଦେଶୀ ବିନିମୟ କାରବାର ଇତ୍ୟାଦି ଶନିବାର ଓ ରବିବାର ଦିନ ବନ୍ଦ ରହିବ ବୋଲି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ କହିଛି ।