ଆମେରିକା,୧୫/୦୧: ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୬ ପାଇଁ ଏକ ଦୃଢ଼ ଆରମ୍ଭ କରିଥିଲା ଭାରତୀୟ ଦଳ । ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ମ୍ୟାଚ୍ରେ ଆମେରିକାକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ହେନିଲ୍ ପଟେଲ ପ୍ରଭାବୀ ପ୍ରଦର୍ଶନ କରି ୫ ୱିକେଟ୍ ନେଇଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଆଜି ଫର୍ମରେ ନଥିଲା, ମାତ୍ର ୨ ରନ୍ କରି ସେ ପ୍ୟାଭିଲିୟନ୍କୁ ଫେରିଥିଲା। ଟାର୍ଗେଟ୍ର ପିଛା କରି ଅଭିଜ୍ଞାନ ଅଭିଷେକ କୁଣ୍ଡୁ ୪୨ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ। କୁଇନ୍ସ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟୁଷ ମହାତ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେନିଲ୍ ପଟେଲ ଅମରିନ୍ଦର ଗିଲ୍ଙ୍କ ରୂପରେ ଆମେରିକାର ପ୍ରଥମ ୱିକେଟ୍ ନେଇଥିଲେ। ହେନିଲ୍ ଚମତ୍କାର ବୋଲିଂ କରିଥିଲେ, ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ। ସେ ମୋଟ ୫ ୱିକେଟ୍ ନେଇଥିଲେ।

୬ ଓ୍ବିକେଟରେ ଜିତିଲା ଭାରତ:

ଲକ୍ଷ୍ୟ ପିଛା କରିବା ବେଳେ ତୃତୀୟ ଓଭରରେ ଭାରତକୁ ପ୍ରଥମ ଝଟକା ମିଳିଥିଲା। ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ମାତ୍ର ୨ ରନ କରି ଆଉଟ୍ ହୋଇଥିଲେ। ମଝିରେ ବର୍ଷା ଦ୍ବାରା ମ୍ୟାଚ ବାଧାପ୍ରାପ୍ତ ହେବା ପରେ ଭାରତ ୪ ଓଭର ପରେ ୧ ୱିକେଟ୍ ହରାଇ ୨୧ ରନ କରିଥିଲା ଏବଂ ଓଦା ଆଉଟଫିଲ୍ଡ ମ୍ୟାଚ୍ କୁ ବହୁତ ସମୟ ପାଇଁ ବନ୍ଦ କରି ଦେଇଥିଲା। ଯେତେବେଳେ ମ୍ୟାଚ୍ ପୁନରାରମ୍ଭ ହୋଇଥିଲା, ଭାରତକୁ ୩୭ ଓଭରରୁ ୯୬ ରନର ଟାର୍ଗେଟ ଦିଆଯାଇଥିଲା। ପଞ୍ଚମ ଓଭରରେ ବେଦାନ୍ତ ଅଳ୍ପେଶକୁମାର ତ୍ରିବେଦୀ ମଧ୍ୟ ୨ ରନ କରି ବିଦାୟ ନେଇଥିଲେ।

ଟିମ୍ ଇଣ୍ଡିଆର ତୃତୀୟ ୱିକେଟ୍ ୨୫ ରନ୍ ରେ ପଡ଼ିଥିଲା, ଅଧିନାୟକ ଆୟୁଷ ମହାତ୍ରେ ମାତ୍ର ୧୯ ରନ୍ କରି ପାଭିଲିୟନ ଫେରିଥିଲେ। ତା’ପରେ ବିହାନ ମଲହୋତ୍ରା ଏବଂ ଅଭିଜ୍ଞାନ ଅଭିଷେକ କୁଣ୍ଡୁ ୪୫ ରନ୍ ଯୋଡ଼ିଥିଲେ, ଯେଉଁଥିରେ ବିହାନ ୧୭ ବଲ୍ ରୁ ୧୮ ରନ୍ କରି ଆଉଟ୍ ହୋଇଥିଲେ। ତା’ପରେ ଅଭିଜ୍ଞାନ ୪୧ ବଲ୍ ରୁ ୫ ଚୌକା ଏବଂ ୧ ଛକା ମାରି ଅପରାଜିତ ୪୨ ରନ୍ କରିଥିଲେ। ଭାରତ ୧୮ତମ ଓଭରରେ ଲକ୍ଷ୍ୟ ହାସଲ କରି ୬ ୱିକେଟ୍ ରେ ବିଜୟୀ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରି ଆମେରିକା ୧୦୭ ରନରେ ଅଲଆଉଟ୍ ହୋଇଗଲା। ଭାରତ ପକ୍ଷରୁ ହେନିଲ ପଟେଲ ସର୍ବାଧିକ ୫ଟି ୱିକେଟ ନେଇଥିଲେ। ସେ ତାଙ୍କ ସାତ ଓଭରରେ ମାତ୍ର ୧୬ ରନ ଦେଇଥିଲେ। ହେନିଲଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଦିପେଶ ଦେବେନ୍ଦ୍ରନ, ଅମ୍ବ୍ରିଶ, ଖିଲନ ପଟେଲ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।