ନୂଆଦିଲ୍ଲୀ,୨୦/୧୧:ଥାଇଲାଣ୍ଡ୍ରେ ଚାଲିଥିବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାର ଫିନାଲେକୁ ଆଉ ମାତ୍ର ୩ ଦିନ ରହିଲା । କିନ୍ତୁ ବିବାଦ ଏହାର ପିଛା ଛାଡୁନି । ଏବେ ଏହାର ବିଚାରପତି ଓମାର ହାରଫୁଶ ଇସ୍ତଫା ଦେଇଛନ୍ତି ଏବଂ ସଂଗଠନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବିଚାରକ କମିଟି ଗଠନ ପୂର୍ବରୁ ସଂଗଠନ ଦ୍ୱାରା ଶୀର୍ଷ-୩୦ ପ୍ରତିଯୋଗୀଙ୍କର ଚୟନ ଅନୌପଚାରିକ ରୂପେ ହୋଇସାରିଛି । ଶୀର୍ଷ-୩୦ରେ ସେହି ପ୍ରତିଯୋଗୀଙ୍କୁ ସ୍ଥାନ ଦିଆଯାଇଛି, ଯାହାଙ୍କ ସହ ସଂଗଠନ ସଦସ୍ୟଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି । ବିବାଦ ବଢ଼ିବାରୁ ସଂଗଠନ ସାମ୍ବାଦିକ ସମ୍ମିଳନୀ କରି ଏହା ଉପରେ ସଫେଇ ଦେଇଛି ।

ଓମାର ହାରଫୁଶ କହିଛନ୍ତି, ସେ ଖୁବ୍ଶୀଘ୍ର ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଓମାର ହାରଫୁଶ ସୋସିଆଲ ମିଡିଆ ପୋଷ୍ଟ୍ ଜରିଆରେ ମିସ୍ ୟୁନିଭର୍ସ-୨୦୨୫ର ଆୟୋଜକଙ୍କ ବିରୋଧରେ ଅଭିଯୋଗ କରି ଲେଖିଛନ୍ତି, ଜଣାପଡ଼ିଛି ଯେ ଔପଚାରିକ ଜ୍ୟୁରି ସଦସ୍ୟ ପହଞ୍ଚିବା ପୂର୍ବରୁ ଟପ୍-୩୦ ପ୍ରତିଯୋଗୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ଏକ ଗୁପ୍ତ ଓ ଅବୈଧ ଭୋଟିଂ ହୋଇଛି । ଔପଚାରିକ ବିଚାରକମଣ୍ଡଳୀର ସଦସ୍ୟ ନ ଥିବା ବ୍ୟକ୍ତି ଏହା କରିଛନ୍ତି । ଏମାନଙ୍କ ମଧ୍ୟରୁ ଅତିକମ୍ରେ ଜଣେ ବ୍ୟକ୍ତିଙ୍କର ଜଣେ ପ୍ରତିଯୋଗୀଙ୍କ ସହ ରୋମାଣ୍ଟିକ୍ ସମ୍ପର୍କ ଅଛି । ଏହା ଅତ୍ୟନ୍ତ ଗମ୍ଭୀର ଏବଂ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ହେର୍ଫେର୍ ଶ୍ରେଣୀରେ ଆସିପାରେ । ଏଥିସହ ଅନେକ ଷ୍ଟୋରୀ ପୋଷ୍ଟ୍ କରି ଆୟୋଜକଙ୍କ ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହା ପୂର୍ବରୁ ମଧ୍ୟ ପ୍ରତିଯୋଗିତା ବିବାଦ ଘେରକୁ ଆସିଛି । ମିସ୍ ୟୁନିଭର୍ସ ଥାଇଲାଣ୍ଡର ଡାଇରେକ୍ଟର ମଞ୍ଚରେ ମିସ୍ ମେକ୍ସିକୋ ଫାତିମା ବୋଶଙ୍କୁ ଗାଳି କରିଥିଲେ । ଫାତିମା ଏହା ବିରୋଧରେ ଅଭିଯୋଗ କରିଥିଲେ ।