ଖଲ୍ଲିକୋଟ, ୦୯/୧୦ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କମଳାପଦର ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ଗ୍ରାମର କୁକୁଡ଼ା ଚାଷୀ ଜିତୁ ବାରିକଙ୍କ କୁକୁଡ଼ା ଫାର୍ମ ଭିତରେ ପଶି ଖାଇଗଲା ୨୦୦ରୁ ଉର୍ଦ୍ଧ୍ଵ ଦେଶୀ କୁକୁଡ଼ା। ଫଳରେ ଜିତୁଙ୍କ ବ୍ୟାପକ କ୍ଷତି ହୋଇଛି। ତୁରନ୍ତ ଅଜଣା ଜନ୍ତୁକୁ ଘଉଡ଼ାଇବାକୁ ଦାବି ହୋଇଛି।
ସୂଚନାନୁଯାୟୀ, ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କମଳାପଦର ଗ୍ରାମରେ ଜିତୁ ବାରିକ ନାମକ ଜଣେ କୁକୁଡ଼ା ଚାଷୀ ଦୁଇ ବର୍ଷ ତଳେ ଦେଶୀ କୁକୁଡ଼ା ଫାର୍ମ କରିଥିଲେ। ଭଲ ବ୍ୟବସାୟ ବି ହେଉଥିଲା। ପ୍ରତି କୁକୁଡ଼ା ପିଛା ୮୦୦ରୁ ୧୨୦୦ ଟଙ୍କାରେ ବିକ୍ରି ହେଉଥିଲା। ବୁଧବାର କୌଣସି ଏକ ଭୋଜି କାର୍ଯ୍ୟରେ ଯୋଗ ଦେବା ପାଇଁ ଜିତୁଙ୍କ ସମେତ ପରିବାରର ସମସ୍ତେ ବାହାରକୁ ଚାଲି ଯାଇଥିଲେ। ରାତି ୧୦ ଟାରେ ଫାର୍ମକୁ ଫେରି ଦେଖିବା ବେଳକୁ ସବୁ କୁକୁଡ଼ା ମରି ପଡିଛନ୍ତି। କୌଣସି ଅଜଣା ଜନ୍ତୁ ଫାର୍ମର ଜାଲି ବାଡ଼କୁ ଦାନ୍ତରେ କାଟି ଭିତରେ ପଶି କୁକୁଡ଼ା ଚିଆଁକୁ ମାରି ଅଧା ଅଧା ଖାଇ ଦେଇଛି। ଯାହାଫଳରେ ଜିତୁଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି। ଫାର୍ମ ଭିତରେ ଓ ବାହାରେ ମଲା କୁକୁଡ଼ା ବିଛେଇ ହୋଇ ପଡିଛନ୍ତି।