ନୂଆଦିଲ୍ଲୀ/ଲକ୍ଷ୍ନୌ, ୧୫।୫: ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଦେଶର ସର୍ବୋଚ୍ଚ ଅଦାଲତରୁ ଏକ ଶକ୍ତ ଧକ୍କା ଲାଗିଛି । ୨୦୧୭ ମସିହାର ଏହି ସେନସେସନାଲ୍ ଦୁଷ୍କର୍ମ ମାମଲାରେ କୁଲଦୀପ ସେଙ୍ଗରଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ପକ୍ଷରୁ ଦାୟର ହୋଇଥିବା ଅପିଲ୍‌ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଛନ୍ତି ।

ଦୁଇ ମାସ ମଧ୍ୟରେ ନୂଆ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ:

ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ମାମଲାର ପୁନର୍ବାର ନୂଆ ସିରିଆଲ୍‌ରେ ଶୁଣାଣି କରି ନିଷ୍ପତ୍ତି ନେବାକୁ କୁହାଯାଇଛି । ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ହାଇକୋର୍ଟ ନିଜର ନୂତନ ରାୟ ପ୍ରକାଶ କରିବା ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପୂର୍ବ ଆଦେଶ ରଦ୍ଦ କରାଯିବା ନିଷ୍ପତ୍ତି ଦ୍ୱାରା ଆଦୌ ପ୍ରଭାବିତ ହେବେ ନାହିଁ । ହାଇକୋର୍ଟ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ଏହାର ପୁନଃ ସମୀକ୍ଷା କରିପାରିବେ ।

'ଆମେ ହାଇକୋର୍ଟଙ୍କ ରାୟକୁ ଭୁଲ୍ କହୁନାହୁଁ' - ସୁପ୍ରିମକୋର୍ଟ

ଏହି ମାମଲାର ଆଇନଗତ ଦିଗ ଉପରେ ଆଲୋକପାତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, "ଆମେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଭୁଲ୍ ବୋଲି ପ୍ରମାଣିତ କରୁନାହୁଁ, କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଉପରେ ବିସ୍ତୃତ ଆଲୋଚନା ଓ ବିଚାର କରିବାର ଆବଶ୍ୟକତା ରହିଛି ।" ଶୀର୍ଷ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେମାନେ ମାମଲାର ମେରିଟ୍ ବା ମୂଳ ଗୁଣବତ୍ତା ଉପରେ କୌଣସି ବ୍ୟକ୍ତିଗତ ମତ ରଖିନାହାନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ସମ୍ଭବ ହେଲେ ଖରାଦିନ ଛୁଟି ପୂର୍ବରୁ କିମ୍ବା ସର୍ବାଧିକ ଦୁଇ ମାସ ମଧ୍ୟରେ ମୁଖ୍ୟ ଅପିଲ୍ ଉପରେ ଶୁଣାଣି ଶେଷ କରାଯାଉ । ଯଦି କୌଣସି କାରଣରୁ ମୁଖ୍ୟ ଅପିଲ୍‌ର ଶୁଣାଣି ଶୀଘ୍ର ହୋଇନପାରେ, ତେବେ ଦଣ୍ଡାଦେଶ ସ୍ଥଗିତ ରଖିବା ଆବେଦନ ଉପରେ ଏକ ନୂଆ ଆଦେଶ ପାରିତ କରାଯାଉ ।

​​​​​​​

କ’ଣ ଥିଲା ଏହି ପୂରା ଘଟଣା ?

ଏହି ସମ୍ପୂର୍ଣ୍ଣ ମାମଲାଟି ୨୦୧୭ ମସିହାର ଅଟେ, ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଉତ୍ତର ପ୍ରଦେଶ ଉନ୍ନାଓର ତତ୍କାଳୀନ ପ୍ରଭାବଶାଳୀ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଜଣେ ୧୭ ବର୍ଷର ନାବାଳିକା ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଚାକିରି ଦେବା ବାହାନାରେ ତାଙ୍କୁ ଘରକୁ ଡାକି ସେଙ୍ଗର ଦୁଷ୍କର୍ମ କରିଥିବା ସେ ଦର୍ଶାଇଥିଲେ । ପୀଡ଼ିତା ଏବଂ ତାଙ୍କ ପରିବାର ଲଗାତାର ଭାବେ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ରାଜନୈତିକ ଚାପ ଯୋଗୁଁ ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ନ୍ୟାୟ ନମିଳିବାରୁ ନିରାଶ ହୋଇ ପୀଡ଼ିତା ନାବାଳିକା ଜଣକ ୨୦୧୮ ମସିହାରେ ଲକ୍ଷ୍ନୌସ୍ଥିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମଦାହ ପାଇଁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରେ ମାମଲା CBIକୁ ହସ୍ତାନ୍ତର କରାଯାଇଥିଲା ଏବଂ କୁଲଦୀପ ସେଙ୍ଗରଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଥିଲା । ୨୦୧୯ରେ ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ଆଜିର ଏହି ନିଷ୍ପତ୍ତି ପରେ ପୀଡ଼ିତାଙ୍କ ପରିବାର ପାଇଁ ଆଶାର କିରଣ ଦେଖାଦେଇଥିବା ବେଳେ କୁଲଦୀପ ସେଙ୍ଗରଙ୍କ ଅଡ଼ୁଆ ପୁଣି ବଢ଼ିଛି ।