ମାଲକାନଗିରି/କୋରକୁଣ୍ଡା, ୨୪/୨ : ସୋମବାର ସନ୍ଧ୍ୟାରେ ହଠାତ ଘଡ଼ଘଡ଼ି ସହ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ସମେତ ଏହାର ଆଖପାଖ ଅଞ୍ଚଳରେ ଅଦିନିଆ ବର୍ଷା ହୋଇଥିଲା । ଏହି ବର୍ଷା ଦ୍ୱାରା କୋରକୁଣ୍ଡା ଧାନ ମଣ୍ଡିରେ ବିକ୍ରି ନ ହୋଇ ମଣ୍ଡିରେ ପଡ଼ି ରହିଥିବା ପ୍ରାୟ ୭ହଜାର କୁଇଣ୍ଟାଲ ଧାନ ମଧ୍ୟରୁ ପ୍ରାୟ ୨୦୦କୁଇଣ୍ଟାଲରୁ ଊର୍ଦ୍ଧ୍ବ ଧାନ ବସ୍ତା ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି ।

ଏହି ଅଦିନିଆ ବର୍ଷା କାରଣରୁ ବହୁ ଚାଷୀଙ୍କ ଧାନ ଭିଜି ଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ତରଫରୁ ପର୍ଯ୍ୟାପ୍ତ ପରିମାଣର ଜରି ପାଲ ନ ଥିବା କାରଣରୁ କିଛି ଚାଷୀ ସଙ୍ଗେସଙ୍ଗେ ବାଧ୍ୟ ହୋଇ ନିଜ ନିଜ ଘରୁ କିଛି ଜରି ପାଲ ଆଣି ନିଜ ଧାନକୁ ଘୋଡ଼ାଇବାକୁ ଚେଷ୍ଟା କରିଥିବାବେଳେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପାଣିରେ ଭିଜି ଯାଇଥିଲା। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଵର୍ତ୍ତମାନ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବାରୁ ଲେବର ସମସ୍ୟା ରହିଛି । ତେଣୁ ମଣ୍ଡିରୁ ମିଲରମାନେ ଧାନ ଉଠାଇ ପାରି ନାହାନ୍ତି । ହଠାତ୍ ବର୍ଷା ହେବାରୁ କେବଳ କୋରକୁଣ୍ଡା ଧାନ ମଣ୍ଡିରେ କିଛି ଧାନ ଅଳ୍ପ ଓଦା ହୋଇଛି । ଚାଷୀ ବ୍ୟସ୍ତ ହେବାର ନାହିଁ ମଣ୍ଡିରେ ଥିବା ସମସ୍ତ ଧାନ କ୍ରୟ କରାଯିବ ବୋଲି ସେ କହିଛନ୍ତି ।

ଏ ସମ୍ପର୍କରେ କୋରୁକୋଣ୍ଡା ଲ୍ୟାମ୍ପସ ଅଧିକାରୀ ଅଭିମନ୍ୟୁ ହାଲବାଙ୍କୁ ପଚାରିବାରୁ କୋରୁକୋଣ୍ଡା ମଣ୍ଡି ଅଧୀନରେ ପ୍ରାୟ ୭ହଜାର କୁଇଣ୍ଟାଲରୁ ଅଧିକ ଧାନ ଗଛିତ ରହିଥିବାବେଳେ ସେଥି ମଧ୍ୟରୁ ପ୍ରାୟ ୩ହଜାର ଏକ ସହ କୁଇଣ୍ଟାଲରୁ ଅଧିକ ଧାନ ଆଇସ୍କାନ କରିବା ସହ ବିଭାଗ ପକ୍ଷରୁ କ୍ରୟ ସରିଛି କିନ୍ତୁ ବର୍ତ୍ତମାନ ସୁଧା ମିଲରମାନେ ଆସି ନ ଥିବା କାରଣରୁ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଯାଇ ପାରୁନଥିବା ସେ କହିଥିଲେ । ଅଚାନକ ଭାବେ ବର୍ଷା ହୋଇଥିବା କାରଣରୁ ସମସ୍ତ ଧାନକୁ ଘୋଡ଼ାଇବାରେ ଅସୁବିଧା ହୋଇଥିଲା । ବର୍ତ୍ତମାନ ଜରି ପାଲ ସମସ୍ତ ଧାନ ବସ୍ତାରେ ଘୋଡ଼ାଯାଇଛି । ମଣ୍ଡିକୁ ଆଣୁଥିବା ଚାଷୀଙ୍କ ଧାନକୁ ସୁରକ୍ଷିତ ଭାବେ ଘୋଡ଼ାଇ ରଖିବାର ବ୍ୟବସ୍ଥା ନ ଥିବାରୁ ବର୍ଷାରେ ଧାନ ଗୁଡିକ ଭିଜି ନଷ୍ଟ ହେଲା ବୋଲି ସ୍ଥାନୀୟ ଚାଷୀ ରାକେଶ ମାଝୀ, ପୀତାମ୍ବର ନାରାୟଣ, ଜଗନ୍ନାଥ ହିଆଲ, ପାଣ୍ଡୁ କବାସୀ, ଲକ୍ଷ୍ମଣ ମାଢି, ଦୁର୍ଯ୍ୟୋଧନ ମାଡକାମୀ, ରାଜୁ ମାଢି, ସମୀର ଦେବନାଥ, ପାଣ୍ଡା ଗଉଡ, ପଦଲାମ ଗୋଲାରି, ଡାୟାଲ ବନିକ, ସମେତ ଅନେକ ଚାଷୀ ଜିଲ୍ଲା ପ୍ରଶାସନର ଅବହେଳାକୁ ସମାଲୋଚନା କରିବା ସହ ନିଜ ନିଜର ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ନିମନ୍ତେ ଧାନ ବସ୍ତା ତଳୁ ପାଣି ବାହାର କରିବାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି । ଜିଲ୍ଲାରେ ୧୪ଲକ୍ଷ ୬୬ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ରହିଛି, ଇତି ମଧ୍ୟରେ ୧୧ଲକ୍ଷ ୯୭ହଜାର କୁଇଣ୍ଟାଲ ଧାନ କ୍ରୟ ହୋଇସାରିଛି ଓ ମଣ୍ଡିରୁ ମିଲରମାନେ ଧାନ ଉଠାଇ ସାରିଥିବା ଜଣାପଡିଛି ।