ନୂଆଦିଲ୍ଲୀ,୦୧/୦୩: ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ପଦକ୍ଷେପ । ମହାକୁମ୍ଭର ପବିତ୍ର ବୁଡ଼ରୁ ବଞ୍ଚିତ ଲୋକଙ୍କ ପାଇଁ ଅନନ୍ୟ ସୁଯୋଗ । ରାଜ୍ୟର ସମସ୍ତ ଜିଲ୍ଲାକୁ ସଙ୍ଗମର ପାଣି ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ସରକାର । ତେବେ ପ୍ରୟାଗରାଜ ମହାକୁମ୍ଭରେ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ଼ ପକାଇଛନ୍ତି। ଏନେଇ  ସମସ୍ତଙ୍କ ଆସ୍ଥା ଏବଂ ଧାର୍ମିକ ଭାବନାକୁ ଧ୍ୟାନରେ ରଖି ଉତ୍ତର ପ୍ରଦେଶ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଯାହା ଦ୍ୱାରା କେହି ବି ଏହି ପବିତ୍ର ତ୍ରିବେଣୀ ଜଳରେ ବୁଡ଼ ପକାଇବାରୁ ବାଦ୍ ନ ପଡ଼ନ୍ତୁ। 

ଯେଉଁମାନେ କୌଣସି କାରଣରୁ ମହାକୁମ୍ଭରେ ପହଞ୍ଚି ନ ଥିଲେ ସେମାନଙ୍କୁ ତ୍ରିବେଣୀ ଜଳରେ ପବିତ୍ର ବୁଡ଼ ପକାଇବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରାଯାଉଛି। ଏନେଇ ଯୋଗୀ ସରକାର ରାଜ୍ୟର ସମସ୍ତ ଜିଲ୍ଲାକୁ ସଙ୍ଗମର ପାଣି ଯୋଗାଣ ପାଇଁ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୩୦୦ ରୁ ଅଧିକ ଅଗ୍ନିଶମ ବିଭାଗର ଗାଡ଼ି ପଠାଯାଇଛି। ଯୋଗୀ ସରକାରଙ୍କ ନିର୍ଦ୍ଦେଶକ୍ରମେ,ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପଦ୍ମଜା ଚୌହାନ ଏହାର ଦାୟିତ୍ୱ ନେଇଛନ୍ତି। ସେ ରାଜ୍ୟର ୭୫ଟି ଜିଲ୍ଲାରୁ ମହାକୁମ୍ଭକୁ ଆସିଥିବା ଦମକଳ ଗାଡ଼ିରୁ ପାଣି ଖାଲି କରି ସଙ୍ଗମର ପବିତ୍ର ଜଳରେ ପୂର୍ଣ୍ଣ କରି ସମସ୍ତ ଜିଲ୍ଲାକୁ ପଠାଇଛନ୍ତି। ମହାକୁମ୍ଭକୁ ଆସିବାରୁ ବଞ୍ଚିତ ଥିବା ଲୋକମାନେ ଏହି ପବିତ୍ର ଜଳରେ ସ୍ନାନ କରିପାରିବେ।

ପୂର୍ବରୁ ରାଜ୍ୟର ଜେଲଗୁଡ଼ିକରେ ଥିବା ୯୦ ହଜାରରୁ ଅଧିକ କଏଦୀ ଏବଂ ବନ୍ଦୀ ଏହି ସୁଯୋଗ ପାଇଥିଲେ। ପଦ୍ମଜା ଚୌହାନଙ୍କ ନିର୍ଦ୍ଦେଶକ୍ରମେ, ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମାଙ୍କୁ ରାଜ୍ୟର ସମସ୍ତ ୭୫ଟି ଜିଲ୍ଲାକୁ ସଙ୍ଗମର ପାଣି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାର ଏକ ଅନନ୍ୟ ପଦକ୍ଷେପ ଆଜି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଥିଲେ ଯେ, ଯେଉଁମାନେ କୌଣସି କାରଣରୁ ମହାକୁମ୍ଭରେ ସ୍ନାନ କରିବାକୁ ଆସିପାରିବେ ନାହିଁ । ସେମାନଙ୍କ ପାଇଁ ସରକାର ସଙ୍ଗମରୁ ପାଣି ପଠାଇବେ। ଏନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି ଯେ, ମହାକୁମ୍ଭ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଅଧିକ ଅଗ୍ନିଶମ ଗାଡ଼ି ଡକାଯାଇଥିଲା। ଏଗୁଡ଼ିକ ସମସ୍ତଙ୍କର ପାଣି ରହିବା କ୍ଷମତା ଭିନ୍ନ ଭିନ୍ନ । କିନ୍ତୁ ଗୋଟିଏ ଅଗ୍ନିଶମ ଗାଡ଼ି ପ୍ରାୟ ୫,୦୦୦ ଲିଟର ପାଣି ଧରିପାରେ। ଏପରି ପରିସ୍ଥିତିରେ, ଏହି ଅଗ୍ନିଶମ ଗାଡ଼ି ମାଧ୍ୟମରେ ଏଠାରୁ ୫ ଲକ୍ଷ ଲିଟରରୁ ଅଧିକ ସଙ୍ଗମ ପାଣି ପଠାଯାଉଛି।