ନୂଆଦିଲ୍ଲୀ,୦୯/୧୧:  ଟ୍ରାକ୍‌ରେ ଦ୍ରୁତ ଗତିରେ  ଆସୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହି ସମୟରେ ଟ୍ରାକ୍‌ ଅତିକ୍ରମ କରୁଥିବା ଦୁଇ ଯୁବକ ନିଜ ବାଇକ୍‌କୁ ଫୋପାଡ଼ି ଦେଇ ଫେରାର ।  ଟ୍ରେନ୍‌ଟି ବାଇକ୍‌କୁ ବହୁ ଦୂର ଘୋଷାଡ଼ି ନେଇଥିଲେ ବି  ହୋଇନି ଲାଇନ୍‌ଚ୍ୟୁତ୍‌। ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଥିବା ବେଳେ ବହୁ ଜୀବନ ବଞ୍ଚିଯାଇଛି । ତେବେ ଗତକାଲି ଅପରାହ୍ନରେ ଏପରି ଏକ ଭୟଙ୍କର ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି।

ଗତକାଲି ବନ୍ଦେ ଭାରତ ଟ୍ରେନ୍‌ ବାରଣାସୀରୁ ପ୍ରୟାଗରାଜ ଜଙ୍କସନ୍‌ ଅଭିମୁଖେ ଯାଉଥିଲା। ଟ୍ରେନ୍‌ଟି ଝାନସୀ ଷ୍ଟେସନ ନିକଟରେ ହୋଇଥିବା ବେଳେ ଦୁଇ ଯୁବକ ଏକ ବାଇକ୍‌ରେ ବନ୍ଧକା ତାହିରାପୁର ରେଲୱେ ଅଣ୍ଟରପାସ୍‌ ଅତିକ୍ରମ କରୁଥିଲେ। ଏହି ସମୟରେ ବନ୍ଦେ ଭାରତ ଟ୍ରେନ୍‌ ମାଡ଼ି ଆସୁଥିବା ଦେଖି ସେମାନେ ବାଇକ୍‌କୁ ଟ୍ରାକ୍‌ରେ ଛାଡ଼ି ପଳାଇଥିଲେ। ଆଖି ପିଛୁଳାକେ ଟ୍ରେନ୍‌ଟି ବାଇକ୍‌କୁ ଖୁବ୍‌ ଜୋରରେ ପିଟିବା ସହ ତା’ ଇଞ୍ଜିନରେ ଗାଡ଼ିଟି ଫସି ଯାଇଥିଲା। ଏହାପରେ ଟ୍ରେନ୍‌ ସହ ବାଇକଟି କିଛି ଦୂରକୁ ଘୋଷାଡ଼ି ହୋଇଥିବା ବେଳେ ଏହାଦେଖି ଲୋକ ପାଇଲଟ ଏମରଜେନ୍ସି ବ୍ରେକ୍‌ ଲଗାଇ ଗାଡ଼ିଟିକୁ ଅଟକାଇଥିବା ଜଣାପଡିଛି।