ଛତିଶଗଡ଼, ୧୬।୩: ୬ ବର୍ଷ କ୍ୟାନ୍ସର ସହ ଲଢ଼େଇ, ୪ଟି ସର୍ଜରୀ ଓ ପକ୍ଷାଘାତ । ଏସବୁ ପରେ ବି ନିଜର ଅଦମ୍ୟ ସାହସ ସହ କ୍ରାକ୍ କଲେ ଦେଶର ସବୁଠୁ ବଡ଼ ସିଭିଲ୍ ସର୍ଭିସ୍ । ଛତିଶଗଡ଼ର ସଞ୍ଜୟ ଡହରିଆ । ଯେଉଁଠି ମଣିଷ ସାମାନ୍ୟ ବିପଦରେ ଭାଙ୍ଗିପଡ଼େ, ସେଠି ସଞ୍ଜୟ ମୃତ୍ୟୁ ମୁଖରୁ ଫେରି ଦେଶର ସବୁଠାରୁ କଠିନ ପରୀକ୍ଷା UPSC କ୍ରାକ୍ କରି ଇତିହାସ ରଚିଛନ୍ତି । ୩୮ ବର୍ଷ ବୟସରେ ସେ ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଏକ ଜ୍ୱଳନ୍ତ ଉଦାହରଣ ।

କ୍ୟାନସରଠାରୁ କଠିନ ଥିଲା ସଂଘର୍ଷ:

ସଞ୍ଜୟଙ୍କ ଏହି ଯାତ୍ରା ଆଦୌ ସହଜ ନଥିଲା । ୨୦୧୨ ମସିହାରେ ସେ ଜାଣିବାକୁ ପାଇଥିଲେ ଯେ ସେ କ୍ୟାନ୍ସର ପରି ଭୟଙ୍କର ରୋଗରେ ଆକ୍ରାନ୍ତ ଅଛନ୍ତି । କେବଳ ସେତିକି ନୁହେଁ, ରୋଗ ଯୋଗୁଁ ସେ ପକ୍ଷାଘାତର ମଧ୍ୟ ଶିକାର ହୋଇଥିଲେ । ୨୦୧୩ରୁ ୨୦୧୫ ମଧ୍ୟରେ ତାଙ୍କର ୪ଟି ବଡ଼ ଅସ୍ତ୍ରୋପଚାର ହୋଇଥିଲା । ଦୀର୍ଘ ୬ ବର୍ଷ ଧରି ସେ ହସ୍ପିଟାଲ ଓ ଔଷଧ ଘେରରେ ରହିଥିଲେ ମଧ୍ୟ ନିଜ ମନୋବଳକୁ ଭାଙ୍ଗିବାକୁ ଦେଇନଥିଲେ ।

ଏହା ବି ପଢ଼ନ୍ତୁ... ହାଇକୋର୍ଟରେ ୧୦ କୋଟିର ମାନହାନି କେସ୍ ରୁଜୁ କଲେ ହରଦୀପ ପୁରୀଙ୍କ ଝିଅ,ଜେଫରୀ ଏପଷ୍ଟିନ ସଂପର୍କିତ ମାମଲା

ଗାଁ ସ୍କୁଲରୁ ଆରମ୍ଭ ହୋଇଥିଲା ଆଇଏସ୍ ହେବାର ସ୍ୱପ୍ନ:

ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାର ଏକ ଛୋଟ ଗାଁ ବେଲଟୁକରୀରୁ ସଞ୍ଜୟଙ୍କ ସଫର ଆରମ୍ଭ ହୋଇଥିଲା । ଜଣେ ଚାଷୀ ପରିବାରର ପୁଅ ହୋଇଥିଲେ ମଧ୍ୟ ତାଙ୍କ ପିତାମାତା ପାଠପଢ଼ାକୁ ସର୍ବଦା ଗୁରୁତ୍ୱ ଦେଉଥିଲେ । ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜଣେ ଆଇଏଏସ ଅଫିସରଙ୍କୁ ଦେଖି ସେ ପ୍ରଶାସନିକ ସେବାରେ ଯିବାକୁ ସ୍ୱପ୍ନ ଦେଖିଥିଲେ । ତେବେ ପରିବାରର ଆର୍ଥିକ ସ୍ଥିତି ଯୋଗୁଁ ସେ ପ୍ରଥମେ ଶିକ୍ଷକତା ଏବଂ ପରେ ଏସ୍ବିଆଇ ଓ ଇଣ୍ଡିଆ ପୋଷ୍ଟ ପରି ଅନେକ ସରକାରୀ ସଂସ୍ଥାରେ ଚାକିରି କରିଥିଲେ ।

୩୮ ବର୍ଷ ବୟସରେ ସଫଳତା:

ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସଞ୍ଜୟ ହାର ମାନିନଥିଲେ । ୨୦୧୯ରେ ପ୍ରଥମ ପ୍ରୟାସରେ ବିଫଳ ହେବା ପରେ, ସେ ୨୦୨୨ରୁ ପୂରା ଦମ୍ରେ ପ୍ରସ୍ତୁତି ଆରମ୍ଭ କରିଥିଲେ । ଶେଷରେ ୨୦୨୫ ୟୁପିଏସ୍ସି ପରୀକ୍ଷାରେ ୯୪୬ତମ ର୍ୟାଙ୍କ ହାସଲ କରି ସେ ନିଜର ବହୁ ପ୍ରତିକ୍ଷିତ ସ୍ୱପ୍ନକୁ ସାକାର କରିଛନ୍ତି । "ଚ୍ୟାଲେଞ୍ଜ ଯେତେ ବଡ଼ ହେଲେ ବି, ଯଦି ଧୈର୍ଯ୍ୟ ଓ ନିଷ୍ଠା ଥାଏ, ତେବେ ବିଜୟ ସୁନିଶ୍ଚିତ ।" ଏହା ହେଉଛି ସଞ୍ଜୟଙ୍କ ସଫଳତାର ମନ୍ତ୍ର ।