ମୁମ୍ୱାଇ,୨୮/୦୫: ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ମଧ୍ୟରେ ହେଉଥିବା ତୁଳନା ଓ ଫ୍ୟାନ୍‌ ୱାର୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲ । ଜଣେ ୟୁଜର୍‌ ଏଆଇ ସାହାଯ୍ୟରେ ଏକ ଫଟୋ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଉର୍ବଶୀଙ୍କ ସହିତ ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ ଓ ଆଲିୟା ଭଟ୍ଟଙ୍କ ଷ୍ଟାର୍‌ଡମ୍‌ର ତୁଳନା କରାଯାଇଥିଲା । ଏହାର ପ୍ରତିକ୍ରିୟାରେ ଉର୍ବଶୀ ଏହାକୁ ବିଷାକ୍ତ ବୋଲି କହିଛନ୍ତି ।

ଆହୁରି ପଢନ୍ତୁ-ଅମିତାଭ ବଚ୍ଚନ କି ଶାହରୁଖ ଖାନ, କାହାର ‘ଡନ୍’ ଅଧିକ କଲେକ୍ସନ କରିଥିଲା ?

ସେ କହିଛନ୍ତି, ପ୍ରତ୍ୟେକ ଅଭିନେତ୍ରୀଙ୍କର ନିଜସ୍ୱ ଯାତ୍ରା, ପରିଶ୍ରମ ଓ ଭାଗ୍ୟ ଥାଏ । ମହିଳାଙ୍କୁ ପରସ୍ପର ତୁଳନା କରିବା କିମ୍ବା ଫ୍ୟାନ୍‌ ୱାର୍‌ କରାଇବା ଦ୍ୱାରା ନକାରାତ୍ମକତା ବଢୁଛି । ଉର୍ବଶୀ ଏବେ କାନ୍‌ ଫିଲ୍ମ ମହୋତ୍ସବ ପାଇଁ ଫ୍ରାନ୍ସରେ ଅଛନ୍ତି । ସେଠାରେ ସେ ଲଗାତାର ୫ମ ଥର ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଇଣ୍ଟରନେଟ୍‌ରେ ଭାଇରାଲ ହେଉଥିବା ଏଆଇ ଫଟୋରେ ଐଶ୍ୱର୍ଯ୍ୟାଙ୍କୁ ଗ୍ଲୋବାଲ ଷ୍ଟାର୍‌ଡମ୍‌ର ଶୀର୍ଷରେ ରଖାଯାଇଛି । ପ୍ରିୟଙ୍କା ଏକ ସିଂହାସନରେ ବସିଛନ୍ତି । ତାଙ୍କ ପାଖରେ ଦୀପିକା ଓ ମାଧୁରୀ ଦୀକ୍ଷିତ ଠିଆ ହୋଇଛନ୍ତି । ଅନ୍ୟପକ୍ଷେ, ଆଲିୟା ଭଟ୍ଟ, କ୍ୟାଟ୍ରିନା, କରିନା କପୁର ଓ ଉର୍ବଶୀଙ୍କୁ ସେମାନଙ୍କ ସାମ୍ନାରେ ଆଣ୍ଠେଇ ଦିଆଯାଇଛି । ଫଟୋରେ ସବୁ ଅଭିନେତ୍ରୀଙ୍କ ନାଁ ବି ଟ୍ୟାଗ୍‌ କରାଯାଇଛି । ଅଭିନେତ୍ରୀଙ୍କୁ ଏଭଳି ଭାବେ ପ୍ରଦର୍ଶନ କରାଯିବା ନେଇ ଉର୍ବଶୀ ଖୁବ୍‌ କ୍ରୋଧିତ ହୋଇଛନ୍ତି ।