ନୂଆଦିଲ୍ଲୀ, ୨୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ଏକ ନୂଆ ମୋଡ଼ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରତି ବା ସିଜଫାୟାର୍ ଅବଧିକୁ ବୃଦ୍ଧି କରିଥିଲେ ହେଁ, ଇରାନକୁ ଆର୍ଥିକ ସ୍ତରରେ ଶାସିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଇରାନକୁ ଆର୍ଥିକ ଚୋଟ ଦେଇ ଝୁକାଇବା ପାଇଁ ଆମେରିକା ପ୍ରସ୍ତୁତ ।

ଇରାନର 'ତୈଳ ଶିଳ୍ପ'କୁ ଟାର୍ଗେଟ୍: ବେସେଣ୍ଟଙ୍କ ରଣନୀତି 

ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ 'ଏକ୍ସ'ରେ ଏକ ପୋଷ୍ଟ କରି ଆମେରିକାର ଆଗାମୀ ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଆମେରିକୀୟ ନୌସେନା ଇରାନର ପ୍ରମୁଖ ବନ୍ଦରଗୁଡ଼ିକୁ ବ୍ଲକ୍ କରିବା ଜାରି ରଖିବ । ଏହାଦ୍ୱାରା ଇରାନର ତୈଳ ରପ୍ତାନି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବ । ଘେରାବନ୍ଦୀ ଯୋଗୁଁ ଇରାନର ବିଶ୍ୱପ୍ରସିଦ୍ଧ ଖର୍ଗ ଦ୍ୱୀପରେ ଥିବା ତେଲ ଷ୍ଟୋରେଜ୍ ଭରିଯିବ, ଯାହାଫଳରେ ଇରାନକୁ ନିଜର ତୈଳ କୂପଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ । ଏହା ଇରାନର ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଦେବ । ଇରାନ ସରକାରଙ୍କ ଆୟର ମୁଖ୍ୟ ଉତ୍ସକୁ କାଟିବା ପାଇଁ ଆମେରିକା 'ଇକୋନୋମିକ ଫ୍ୟୁରି' ବା ଆର୍ଥିକ ପ୍ରକୋପ ଜାରି ରଖିବ । କେବଳ ଇରାନ ନୁହେଁ, ବରଂ ଇରାନକୁ ଗୁପ୍ତରେ ସାହାଯ୍ୟ କରୁଥିବା ବ୍ୟକ୍ତି ବା ଜାହାଜ ମାଲିକଙ୍କ ବିରୋଧରେ ମଧ୍ୟ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କେହି ଚୋରା ବାଟରେ ଇରାନ ସହ ବାଣିଜ୍ୟିକ କାରବାର କରେ, ତେବେ ସେମାନଙ୍କ ଉପରେ ମଧ୍ୟ ଆମେରିକା ପ୍ରତିବନ୍ଧକ ଲଗାଇବ । ଇରାନର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ନାଁରେ ସେଠାକାର "ଭ୍ରଷ୍ଟ ନେତାଙ୍କ" ସମ୍ପତ୍ତିକୁ ଫ୍ରିଜ୍ କରାଯାଉଛି ବୋଲି ବେସେଣ୍ଟ କହିଛନ୍ତି ।

ଟ୍ରମ୍ପଙ୍କ ସିଜଫାୟାର୍ ଏବଂ ପାକିସ୍ତାନର ଅନୁରୋଧ:

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଇରାନ ସହ ଯୁଦ୍ଧବିରତି ଅବଧିକୁ ବୃଦ୍ଧି କରିଛନ୍ତି । ସୂଚନା ଅନୁଯାୟୀ, ପାକିସ୍ତାନର ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର ଏବେ ଆଭ୍ୟନ୍ତରୀଣ ଭାବେ ବିଭାଜିତ, ତେଣୁ ସେମାନଙ୍କ ପକ୍ଷରୁ କୌଣସି ଠୋସ୍ ପ୍ରସ୍ତାବ ନଆସିବା ପର୍ଯ୍ୟନ୍ତ ଏହି ଜଙ୍ଗବନ୍ଦୀ ଜାରି ରହିବ । ତଥାପି, ନୌସେନାକୁ ନାକାବନ୍ଦୀ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​Strait Of Hormuz: ହୋର୍ମୁଜ ଖୋଲିବାକୁ ୩୦ରୁ ଅଧିକ ଦେଶ ଏକାଠି, କେଉଁ ଯୋଜନାରେ ଚାଲିଛି କାମ ?

ହୋର୍ମୁଜ୍ ଷ୍ଟ୍ରେଟରେ ଉତ୍ତେଜନା:

ଏପ୍ରିଲ ୧୩ ତାରିଖରୁ ଆମେରିକୀୟ ନୌସେନା ହୋର୍ମୁଜ୍ ଓ ଇରାନର ବନ୍ଦରଗୁଡ଼ିକୁ ଘେରି ରହିଛି । ଇରାନ ଚାହୁଁଛି ଯେ ଆଲୋଚନା ପୂର୍ବରୁ ଆମେରିକା ନାକାବନ୍ଦୀ ହଟାଉ । ଟ୍ରମ୍ପ କହିଛନ୍ତି ଯେ ଇରାନ ହୋର୍ମୁଜ୍ ଷ୍ଟ୍ରେଟକୁ ଖୋଲା ରଖିବାକୁ ଚାହୁଁଛି କାରଣ ସେଠାରୁ ସେମାନେ ଦୈନିକ ପ୍ରାୟ ୫୦୦ ମିଲିୟନ ଡଲାର ରୋଜଗାର କରୁଛନ୍ତି । କିନ୍ତୁ, ଆମେରିକା ଏହି ଆୟକୁ ବନ୍ଦ କରି ଇରାନକୁ ବୁଝାମଣା ପାଇଁ ବାଧ୍ୟ କରିବାକୁ ଲକ୍ଷ୍ୟ ରଖିଛି । ଆମେରିକାର ଏହି 'ଆର୍ଥିକ ଯୁଦ୍ଧ' ଇରାନକୁ କେତେଦୂର ପ୍ରଭାବିତ କରୁଛି ଏବଂ ଆଗାମୀ ଦିନରେ ଏହା ଯୁଦ୍ଧର ରୂପ ନେଉଛି କି ଶାନ୍ତିର, ତାହା ଉପରେ ସାରା ବିଶ୍ୱର ନଜର ।