ନୂଆଦିଲ୍ଲୀ, ୧୩।୨: ବାଣିଜ୍ୟକୁ ନେଇ ଡୋନାଲ୍ଡ ଟ୍ରମ୍ପ ସର୍ବଦା ଶକ୍ତ ଆଭିମୁଖ୍ୟ ପ୍ରକାଶ କରି ଆସିଛନ୍ତି । ନିୟମିତ ଟାରିଫ୍ ଧମକ ଆଉ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଦି ସବୁବେଳେ ଚର୍ଚ୍ଚାରେ । ନିଜ ସର୍ତ୍ତରେ ରାଷ୍ଟ୍ରଗୁଡ଼ିକ ସହ ବାଣିଜ୍ୟ କରିବା ତାଙ୍କ ଅଭ୍ୟାସ । ଯିଏ ସର୍ତ୍ତ ନ ମାନିବ ତାହା ଉପରେ ଲଦି ଦିଆଯାଏ ଶୁଳ୍କ । ତେବେ ଭାରତ ଏବଂ ଚୀନ୍ କଥା ଯଦି ବିଚାରକୁ ନିଆଯାଏ ତେବେ ଟ୍ରମ୍ପଙ୍କ ପାତର ଅନ୍ତର ମନୋଭାବ ସ୍ପଷ୍ଟ ବାରିହୁଏ । ଟ୍ରମ୍ପ ସେହି ଯୁଦ୍ଧ ଲଢ଼ିବାକୁ ଚାହାନ୍ତି ଯାହାକୁ ସେ ଜିତିପାରିବେ ବୋଲି ଭାବନ୍ତି । ଚୀନ୍ ସହ ପଙ୍ଗା ନେଇ ସେ ଆମେରିକୀୟ ବଜାରକୁ ପ୍ରଭାବିତ କରିବାକୁ ଚାହାନ୍ତି ନାହିଁ । ଚୀନ ଯଦି କିଛି ସାମଗ୍ରୀର ଯୋଗାଣ ବନ୍ଦ କରିଦିଏ କିମ୍ବା ପାଲଟା ଟାରିଫ୍ ଲଦେ ତାହାକୁ ସହ୍ୟ କରିବା କଷ୍ଟକର ବୋଲି ଜାଣିଛନ୍ତି ଟ୍ରମ୍ପ । ଚୀନ ଚାହିଁଲେ ରାତାରାତି ଆମେରିକା ବଜାରରେ ଯୋଗାଣ ଶୃଙ୍ଖଳକୁ ଭାଙ୍ଗିଦେଇପାରେ । ସେଥିପାଇଁ ଟାରିଫ୍କୁ ନେଇ ଚୀନ୍କୁ ଫ୍ରୀ ପାସ୍ । ଟ୍ରମ୍ପ ଜାଣିଛନ୍ତି ଭାରତରୁ ଯେଉଁ ସାମଗ୍ରୀ ଆସୁଛି ତାହାକୁ ଅନ୍ୟ ରାଷ୍ଟ୍ରରୁ ସଂଗ୍ରହ କରାଯାଇପାରିବ । ସେଥିପାଇଁ ଭାରତ ଉପରେ ବାରମ୍ବାର ଚାପ ପକାଇ ଆସିଛନ୍ତି ସେ । ରୁଷ ତେଲ କ୍ରୟ ପାଇଁ ଭାରତ ଉପରେ ଶୁଳ୍କ ଚାପ ଲଦିଥିଲେ ଟ୍ରମ୍ପ ।

ଏହା ବି ପଢ଼ନ୍ତୁ... ମ୍ୟୁନିକ ସିକ୍ୟୁରିଟି ରିପୋର୍ଟ ୨୦୨୬; ଟ୍ରମ୍ପଙ୍କ ଯୋଗୁ ବିଶ୍ୱ ସୁରକ୍ଷା ବିପର୍ଯ୍ୟସ୍ତ, ସତର୍କ ରହିବାକୁ ୟୁରୋପକୁ ପରାମର୍ଶ​​​​​​​

ଅନ୍ୟପକ୍ଷରେ, ୮ ଗୁଣା ଅଧିକ ରୁଷ ତେଲ କିଣି ବି ଚୀନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଆମେରିକା ପାଇଁ ଭାରତ ପାଲଟିଛି ସହଜ ଚାପ ପଏଣ୍ଟ । ଚୀନକୁ ମାଗଣା ପାସ୍ ଆଉ ଭାରତକୁ ଧମକ । ଏହାର କାରଣ ସ୍ପଷ୍ଟ । ଚୀନକୁ ଭୟ । ଅନେକ ସଂଖ୍ୟା ଅଛି, ଯେଉଁଥିରେ ଆମେରିକାର କପଟତାକୁ ଅଣଦେଖା କରିହେବ ନାହିଁ । ଆମେରିକା ସହ ଭାରତର ବାଣିଜ୍ୟ ବଳକା ରହିଛି ପ୍ରାୟ ୪୦ରୁ ୪୫ ବିଲିୟନ ଡଲାର । ଅନ୍ୟପକ୍ଷରେ, ଚୀନ୍ର ବାଣିଜ୍ୟ ବଳକା ହେଉଛି ୩୦୦ରୁ ୩୫୦ ବିଲିୟନ ଡଲାର । ଭାରତ ତୁଳନାରେ ଏହା ୮ ଗୁଣା ଅଧିକ । ଏହା ସତ୍ତ୍ୱେ ଭାରତ ଉପରେ ଆମେରିକାର ଚାପ ଅଧିକ ।

ଚୀନକୁ ଭୟ ପଛର କାରଣ: ବ୍ୟାଖ୍ୟା ଅତି ସରଳ । ଆମେରିକା ଅତିମାତ୍ରାରେ ଆବଶ୍ୟକ କରୁଥିବା ସାମଗ୍ରୀକୁ ଯୋଗାଇଥାଏ ଚୀନ । ତାହା ହେଲା ଇଲେକ୍ଟ୍ରୋନିକ୍ସ, ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ରେୟାର୍ ଆର୍ଥ ଉପାଦାନଠାରୁ ଆରମ୍ଭ କରି ସ୍ମାର୍ଟଫୋନ ଏବଂ ମିଲିଟାରୀ ହାର୍ଡୱେର ପର୍ଯ୍ୟନ୍ତ । ଅନ୍ୟପକ୍ଷରେ, ଭାରତ ଆମେରିକାକୁ ଯାହା ଯୋଗାଇଥାଏ ତାହାକୁ ଆମେରିକା ଅନ୍ୟ ରାଷ୍ଟ୍ରରୁ ବି ପାଇପାରିବ । ତାହା ହେଲା ପୋଷାକ, ରତ୍ନପଥର, ଇଞ୍ଜିନିୟରିଂ ଗୁଡ୍ସ ଏବଂ ସେବା । ଆମେରିକା ଜାଣିଛି ଯେ, ଚୀନ ଏଭଳି ପ୍ରତିଶୋଧ ନେଇପାରେ, ଯାହା ତୁରନ୍ତ ଆମେରିକୀୟ ସହରଗୁଡ଼ିକୁ ଆର୍ଥିକ ଯନ୍ତ୍ରଣାକୁ ଠେଲିଦେବ । ରାତାରାତି ଆମେରିକାରେ ଯୋଗାଣ ଶୃଙ୍ଖଳକୁ ଅବ୍ୟବସ୍ଥିତ କରିପାରେ ଚୀନ । ଦରଦାମ ଭୟଙ୍କର ଭାବେ ବଢ଼ିଯିବ । ଖାଉଟିଙ୍କ ଖର୍ଚ୍ଚରେ ଦେଖାଦେବ ବଡ଼ ବିସ୍ଫୋରଣ । କିନ୍ତୁ ଭାରତ ପଛରେ ଲାଗିଲେ ସେଭଳି କିଛି ହେବ ନାହିଁ ।

ତେଣୁ ଲଗାତର ଭାରତ ଉପରେ ଚାପ ପକାଇ ନିଜ ବାଣିଜ୍ୟ ଉଦ୍ଦେଶ୍ୟ ପୂରଣ କରୁଛି ଆମେରିକା । ଏହା ବାଣିଜ୍ୟ ନିଅଣ୍ଟ କିମ୍ବା ବାଣିଜ୍ୟିକ ଅସନ୍ତୁଳନ ନୁହେଁ । ଟ୍ରମ୍ପ ନମ୍ବର ନୁହେଁ ବରଂ ବିଭ୍ରାଟକୁ ଭୟ କରୁଛନ୍ତି । ଚୀନ ସହିତ ଲାଗିଲେ ଆମେରିକା ଅର୍ଥନୀତିରେ ଦେଖାଦେବାକୁ ଥିବା ଅବ୍ୟବସ୍ଥାକୁ ଡରୁଛନ୍ତି ସେ । ଚୀନ ଆମେରିକାର ଶିଳ୍ପ ଆବଶ୍ୟକତାକୁ ଏତେ ମାତ୍ରାରେ ପୂରଣ କରୁଛି ଯେ, ଏହା ଚାହିଁଲେ ମାତ୍ର କେଇ ସପ୍ତାହରେ ଆମେରିକୀୟ ଅର୍ଥନୀତିକୁ ପଙ୍ଗୁ କରିଦେବ । ରେୟାର୍ ଆର୍ଥ ପ୍ରୋସେସିଂ, ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ଏବଂ ଫାର୍ମା ଉପକରଣ । ତାଲିକା ଆହୁରି ଲମ୍ବିଛି । ଚୀନ ଉପରେ ଚାପ ପକାଇଲେ ଏହାର ପରିଣତି କ’ଣ ହେବ ତାହା ଟ୍ରମ୍ପ ଭଲ ଭାବେ ଜାଣନ୍ତି । ଏହାକୁ ଭରଣା କରିବା ଆମେରିକା ପକ୍ଷେ ସମ୍ଭବ ନୁହେଁ । ଏଣୁ ଟ୍ରମ୍ପ ନିରାପଦ ଟାର୍ଗେଟକୁ ବାଛୁଛନ୍ତି । ଭାରତ ଏକ ସୁବିଧାଜନକ ପଞ୍ଚିଂ ବ୍ୟାଗ୍ ପାଲଟିଛି । ଚୀନ ସହ ପଙ୍ଗା ନ ନେଇ ଭାରତକୁ ସିଧାସଳଖ ଟାର୍ଗେଟ କରିଆସିଛନ୍ତି ସେ ।