ନୂଆଦିଲ୍ଲୀ ୧୨/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଯୋଗୁ ବିଶ୍ୱର ସୁରକ୍ଷା ଶୃଙ୍ଖଳା ଏବେ ବିପଦମୁଖୀ । ବନ୍ଧୁ ରାଷ୍ଟ୍ର ହୁଅନ୍ତୁ କି ଶତ୍ରୁ, ସମସ୍ତେ ଟ୍ରମ୍ପ୍ଙ୍କୁ ନେଇ ପ୍ରମାଦ ଗଣିଲେଣି । ତାଙ୍କର ଏକଚାଟିଆ କଠୋର ନୀତିରେ ସମସ୍ତେ ବ୍ୟତିବ୍ୟସ୍ତ । ଆଗକୁ କି ପରିସ୍ଥିତି ଉପୁଜିବ, ତାହାକୁ ନେଇ ରାଷ୍ଟ୍ରଗୁଡ଼ିକ ସନ୍ଦିହାନ । ‘ମ୍ୟୁନିକ ସିକ୍ୟୁରିଟି ରିପୋର୍ଟ ୨୦୨୬’ରେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସଂକ୍ରାନ୍ତରେ ଏଭଳି କଥା କୁହାଯାଇଛି । ଆସନ୍ତା ୧୩ ତାରିଖରୁ ଜର୍ମାନୀର ମ୍ୟୁନିକ ସହରରେ ହେବାକୁ ଯାଉଛି ‘ମ୍ୟୁନିକ ସୁରକ୍ଷା ସମ୍ମିଳନୀ’ । ଏଥିରେ ମୁଖ୍ୟତଃ ଆମେରିକା ଓ ୟୁରୋପର ନେତାମାନେ ଯୋଗଦେଇ ସୁରକ୍ଷା ପ୍ରସଙ୍ଗରେ ମନ୍ଥନ କରିବେ । ତାହା ପୂର୍ବରୁ ଜାରି ହୋଇଥିବା ମ୍ୟୁନିକ ସିକ୍ୟୁରିଟି ରିପୋର୍ଟରେ ଟ୍ରମ୍ପ୍ଙ୍କୁ ନେଇ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଦୀର୍ଘଦିନ ହେଲା ଦେଶ-ଦେଶ ମଧ୍ୟରେ ଯେଉଁ ମେଣ୍ଟ ଓ ସମ୍ପର୍କ ରହିଥିଲା, ତାହା ବିଗିଡ଼ି ଯାଇଛି । ପ୍ରଚଳିତ ନିୟମ ଓ ସଂସ୍ଥାନ ପାଇଁ ଚ୍ୟାଲେଞ୍ଜିଂ ସାଜିଛି ଟ୍ରମ୍ପ୍ଙ୍କ ନୀତି । ପାଖାପାଖି ୮୦ ବର୍ଷ ତଳେ ଅର୍ଥାତ ୧୯୪୫ରେ ଆମେରିକା ନେତୃତ୍ୱରେ ଅନ୍ତର୍ଜାତୀୟ ଶୃଙ୍ଖଳାର ନିର୍ମାଣ ଆରମ୍ଭ ହୋଇଥିଲା । ଆଜି କେବଳ ଟ୍ରମ୍ପ୍ଙ୍କ ଯୋଗୁ ତାହା ଧ୍ୱଂସାଭିମୁଖୀ ହୋଇଛି । ଟ୍ରମ୍ପ୍ ହିଁ ସବୁଠୁ ‘ବିଧ୍ୱଂସୀ ମଣିଷ’ ସାଜିଛନ୍ତି । ‘ଆମେରିକା ଫାର୍ଷ୍ଟ’ ନୀତିରେ ଅନ୍ଧ ହୋଇ ସେ ଅନ୍ୟ ଦେଶ ପ୍ରତି ଆଖି ବୁଜିଦେଇଛନ୍ତି । କିଏ ଶତ୍ରୁ, କିଏ ମିତ୍ର ତାହା ପରଖିବା ତାଙ୍କ ପାଇଁ ଅସମ୍ଭବ ପାଲଟିଛି ।
ଏହି ରିପୋର୍ଟ ଗତବର୍ଷ ଅନୁଷ୍ଠିତ ସୁରକ୍ଷା ସମ୍ମିଳନୀରେ ଆମେରିକା ଦେଇଥିବା ଆକ୍ରାମକ ବୟାନକୁ ରେଖାଙ୍କିତ କରିଛି । ସେତେବେଳେ ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ସେନ୍ସରସିପ୍ ଓ ଅପ୍ରବାସନ ପ୍ରସଙ୍ଗରେ ୟୁରୋପୀୟ ନେତାଙ୍କ ଉପରେ ଭୀଷଣ ବର୍ଷିଥିଲେ । ତାଙ୍କର ଆକ୍ରାମକ ଭାଷଣ ଦର୍ଶକଙ୍କୁ ହତଚକିତ କରିଦେଇଥିଲା । ଭାନ୍ସ କହିଥିଲେ, ୟୁରୋପ ମଧ୍ୟରେ ହିଁ ବିପଦ ରହିଛି । ଭାନ୍ସଙ୍କ ସେହି ଭାଷଣ ପରେ ଟ୍ରମ୍ପ୍ଙ୍କ ନେତୃତ୍ୱାଧୀନ ହ୍ୱାଇଟ ହାଉସ ବିଶ୍ୱକୁ ଦୋହଲାଇ ଦେଇଛି । ବନ୍ଧୁ ହେଉ କିମ୍ବା ଶତ୍ରୁ ରାଷ୍ଟ୍ର ସମସ୍ତେ ଟ୍ରମ୍ପ୍ ଟାରିଫ୍ରେ ଛଟପଟ ହେଉଛନ୍ତି । ଏହି ଅସ୍ୱାଭାବିକ ଟାରିଫ୍ ଯୁଦ୍ଧ ବିଶ୍ୱ ବାଣିଜ୍ୟକୁ ବିଶୃଙ୍ଖଳିତ କରିପକାଇଛି । ଭେନେଜୁଏଲା ଉପରେ ଖୋଲାଖୋଲି ଭାବେ ଆକ୍ରମଣ କଲା ଆମେରିକା । ଏହାର ନେତାଙ୍କୁ ଯେଉଁଭଳି ଭାବେ ଆମେରିକା ଉଠାଇ ନେଲା, ତାହା ଅତ୍ୟନ୍ତ ନିନ୍ଦନୀୟ ଥିଲା । ଜଣେ ରାଷ୍ଟ୍ରନେତାଙ୍କୁ ହାତକଡ଼ି ପକାଇ ସପତ୍ନୀକ ଘୋଷାଡ଼ି ନେବା ଘଟଣାକୁ ବିଶ୍ୱବାସୀ ଭୁଲି ପାରିବେନି ।
ଆମେରିକାର ସାହସରେ କ୍ଷୁଦ୍ର ରାଷ୍ଟ୍ର ହୋଇ ସୁଦ୍ଧା ୟୁକ୍ରେନ୍ ବଳ ଜୁଟାଇ ରୁଷ ଉପରେ ଭାରୀ ପଡ଼ିଥିଲା । ଟ୍ରମ୍ପ୍ଙ୍କ ନୀତି ଯୋଗୁ ତାହା ଓଲଟା ପଡ଼ିଛି । ମସ୍କୋକୁ ଫାଇଦା ଦେବା ଭଳି ସର୍ତ୍ତରେ ୟୁକ୍ରେନ୍ରେ ଶାନ୍ତି ଆଣିବାକୁ ୱାଶିଂଟନ ଉଦ୍ୟମ ଚଳାଇଛି । କାନାଡା ଆମେରିକାର ୫୧ତମ ରାଷ୍ଟ୍ର ହେବା ନେଇ ଟ୍ରମ୍ପ୍ ଘୋଷଣା କରିଛନ୍ତି । ଆମେରିକା ଓ ବିଶ୍ୱ ସୁରକ୍ଷା ପାଇଁ ଗ୍ରୀନ୍ଲାଣ୍ଡକୁ ଅକ୍ତିଆର କରିବା ଜରୁରି ବୋଲି ଟ୍ରମ୍ପ୍ କହିଛନ୍ତି । ଏ ବର୍ଷ ହେବାକୁ ଥିବା ମ୍ୟୁନିକ ସୁରକ୍ଷା ସମ୍ମିଳନୀ ନିର୍ଣ୍ଣାୟକ ସାଜିବା ନେଇ ଆଶା କରାଯାଉଛି । ଏଥିରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ନେତୃତ୍ୱରେ ଆମେରିକୀୟ ପ୍ରତିନିଧି ମଣ୍ଡଳୀ ଯୋଗଦେବ । ୫୦ରୁ ଅଧିକ ବିଶ୍ୱ ନେତାଙ୍କୁ ବି ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ୟୁରୋପର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମ୍ୟୁନିକ ସୁରକ୍ଷା ସମ୍ମିଳନୀ ଆୟୋଜନ ହେବ ।
ଆହୁରି ପଢ଼ନ୍ତୁ...ଭାରତ-ୟୁଏସ୍ ଟ୍ରେଡ୍ ଡିଲ୍ରେ ଆମେରିକାର ସାଇଲେଣ୍ଟ ୟୁ-ଟର୍ଣ୍ଣ, ଫ୍ୟାକ୍ଟ ସିଟ୍ ବଦଳାଇଲା ହ୍ୱାଇଟ୍ ହାଉସ୍
ମ୍ୟୁନିକ ସୁରକ୍ଷା ସମ୍ମିଳନୀ ଆୟୋଜକଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟର ପ୍ରସ୍ତୁତକର୍ତ୍ତା ତୋବିୟାସ ବୁନ୍ଦେ (ଗବେଷଣା ଓ ନୀତି ନିର୍ଦ୍ଦେଶକ) କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ରଣନୀତି ପରଠାରୁ ବର୍ତ୍ତମାନ ଆମେରିକା ସହ ଏକ ମୌଳିକ ବିଭାଜନ ସୃଷ୍ଟି ହୋଇଛି । ଟ୍ରମ୍ପ୍ ପ୍ରଶାସନ ଅଧୀନରେ ବହୁଦେଶୀୟ ସଂସ୍ଥା, ଅର୍ଥନୈତିକ ସମନ୍ୱୟ ଏବଂ ଗଣତନ୍ତ୍ର ଓ ମାନବାଧିକାର ବିଶ୍ୱାସ ଦୁର୍ବଳ ହୋଇଯାଇଛି । ସୋଫି ଏସେଣ୍ଟ୍ରଟ କହିଛନ୍ତି, ଆମେ ଏଭଳି କିଛି ରାଜନୈତିକ ଅଭିନେତାଙ୍କୁ ଦେଖୁଛେ, ଯେଉଁମାନେ ସଂସ୍କାରର ପ୍ରତିଶ୍ରୁତି ଦେଉନାହାନ୍ତି । ବରଂ ବର୍ତ୍ତମାନ ସଂସ୍ଥାନଗୁଡ଼ିକୁ ଭାଙ୍ଗି ଚୂରମାର କରିଦେବାକୁ ସେମାନଙ୍କର ଉଦ୍ଦେଶ୍ୟ । ଆମେ ତାଙ୍କୁ ‘ବିଧ୍ୱଂସୀ ମଣିଷ’ କହିଥାଉ । ସମାଲୋଚକଙ୍କ ଭୟ ଯେ ଟ୍ରମ୍ପ୍ଙ୍କ ନୀତିଗୁଡ଼ିକ ‘ଏଭଳି ଏକ ଦୁନିଆର ରାସ୍ତା ବନାଇବ ଯାହା ଧନୀ ଓ କ୍ଷମତାଶାଳୀ ଲୋକଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିବ । ବଡ଼ ପରିବର୍ତ୍ତନ ପାଇଁ ଆଶା ରଖିଥିବା ଲୋକେ ଜଳକା ହୋଇ ରହିଥିବେ ।