ବର୍ଷ ବର୍ଷ ଧରି ଭେନେଜୁଏଲା କ୍ରମାଗତ ଅର୍ଥନୈତିକ ଯୁଦ୍ଧ ସହ୍ୟ କରିଆସିଛି । ଆମେରିକାର ଆର୍ଥିକ ପ୍ରତିବନ୍ଧକ ଭେନେଜୁଏଲାର ପ୍ରଗତିରେ ବାଧକ ହୋଇଛି । ତୈଳ ରପ୍ତାନିରେ ବାଧା ସୃଷ୍ଟି ହୋଇଛି । ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ପ୍ରବେଶକୁ ସୀମିତ କରିଦେଇଛି ଏବଂ ଭେନେଜୁଏଲା ଅର୍ଥନୀତିକୁ ସଙ୍କଟ ଗହ୍ୱରକୁ ଠେଲିଦେଇଛି ।
ଟ୍ରମ୍ପ ବାରମ୍ବାର ଦାବି କରିଚାଲିଛନ୍ତି ଯେ, ପୃଥିବୀର ବିଭିନ୍ନ ଯୁଦ୍ଧକୁ ରୋକିବାରେ ତାଙ୍କର ସକ୍ରିୟ ଭୂମିକା ରହିଛି । ଏପରିକି ଶାନ୍ତି ପାଇଁ ନୋବେଲ ପୁରସ୍କାର ଦାବି କରିଥିଲେ । କିନ୍ତୁ କାର୍ଯ୍ୟରେ ଠିକ୍ ଓଲଟା କରୁଛନ୍ତି । ସମଗ୍ର ବିଶ୍ୱ ପାଇଁ ଏକ ଅଶାନ୍ତ ଗ୍ରହ ଭାବେ ଉଭା ହୋଇଛନ୍ତି । ବିଶ୍ୱରେ ଭାରତ ସମେତ ବିଭିନ୍ନ ଦେଶ ବିରୋଧରେ ଏକପାଖିଆ ଶୁଳ୍କ ଧାର୍ଯ୍ୟ କରିବା ପରେ ଭେନେଜୁଏଲା ଉପରେ ଆକ୍ରମଣ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୬ ମସିହା ଜାନୁଆରୀ ୩ରେ ପ୍ରାୟ ମଧ୍ୟରାତ୍ରି ୨ଘଟିକା ସମୟରେ ଅତ୍ୟନ୍ତ ନିର୍ଦ୍ଦୟ, ନିଷ୍ଠୁର ଭାବେ ଭେନେଜୁଏଲାର ରାଜଧାନୀ କାରାକାସ୍ ଉପରେ ଆମେରିକା ସେନା ଆକ୍ରମଣ କରି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସ୍ଙ୍କୁ ଭେନେଜୁଏଲାରୁ ଆମେରିକାକୁ ଉଠାଇ ନେଇଯାଇଛନ୍ତି³ ଯାହା କୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟପାର ଉପରେ ହସ୍ତକ୍ଷେପ । ସମସ୍ତେ ଜାଣନ୍ତି ହ୍ୟୁଗୋ ଚାଭେଜଙ୍କ ପରେ ନିକୋଲାସ ମାଦୁରୋ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇ ୫ ମାର୍ଚ୍ଚ ୨୦୧୩ରୁ ୩ ଜାନୁଆରୀ ୨୦୨୬ ଯାଏଁ ଭେନେଜୁଏଲାକୁ ଶାସନ କରିଆସୁଥିଲେ । ତେବେ ସେଠାକାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ଦୀର୍ଘବର୍ଷ ଧରି ମାଦୁରୋ ସରକାରଙ୍କୁ ବିରୋଧ କରିଆସୁଛନ୍ତି । ଦେଶରେ ସୁଦୃଢ଼ ଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ସେ ନେଉଥିବା ପଦକ୍ଷେପକୁ ସମ୍ମାନ ଜଣାଇ ତାଙ୍କୁ ୨୦୨୫ ସକାଶେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।
କିନ୍ତୁ ସେ ଗଣତନ୍ତ୍ର ପ୍ରତିଷ୍ଠା ନାମରେ ଗଣତନ୍ତ୍ର ହତ୍ୟାକାରୀ ସାମ୍ରାଜ୍ୟବାଦୀ ଶକ୍ତିର ଖେଳନା ସାଜିଛନ୍ତି । ଏହା ହୋଇନଥିଲେ ଡୋନାଲ୍ଡ ଟ୍ରମ୍ପ ପରି ଏକଛତ୍ରବାଦୀ, ଯୌନ ବ୍ୟଭିଚାରରେ ଲିପ୍ତ ଲୋକକୁ ନିଜ ନୋବେଲ ଶାନ୍ତି ପୁରସ୍କାରକୁ ଉତ୍ସର୍ଗ କରିନଥାନ୍ତେ । ବାସ୍ତବରେ ଏମିତି କୌଣସି ଦେଶ ନାହିଁ ଯେଉଁଠି ଶାସକ ଶ୍ରେଣୀ ବିରୁଦ୍ଧରେ କୌଣସି ଆନ୍ଦୋଳନ ବା ପ୍ରତିବାଦ ହୋଇନି । କିନ୍ତୁ ବୋମା, ବଳପ୍ରୟୋଗ କିମ୍ବା ବିଦେଶୀ ଦଖଲ ମାଧ୍ୟମରେ ଗଣତନ୍ତ୍ର ପ୍ରତିଷ୍ଠା କରାଯାଇପାରିବ ନାହିଁ । ଟ୍ରମ୍ପ ପ୍ରଶାସନ ମାଦୁରୋଙ୍କୁ ଦୁର୍ନୀତି, ନିଶା କାରବାର ଏବଂ "ନାର୍କୋ-ଆତଙ୍କବାଦ’ ଅଭିଯୋଗ କରି ଏହି କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ କହିଛି, ଯାହା ଭେନେଜୁଏଲା ଦେଶକୁ ଆମେରିକାରେ ଅବୈଧ ନିଶା ପ୍ରବାହ ପାଇଁ ଦାୟୀ କରିଛି । ସାଧାରଣ ନାଗରିକ ରାଜନୈତିକ ନେତା ଓ ଧନୀକ ଶ୍ରେଣୀ ଅପେକ୍ଷା ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଯେତେବେଳେ ଆମେରିକାର ଆର୍ଥିକ ଚାପ ଭେନେଜୁଏଲାରେ ଶାସନ ପରିବର୍ତ୍ତନ କରିବାରେ ବିଫଳ ହୋଇଥିଲା, ସେତେବେଳେ ଦୁର୍ନୀତି, ନିଶା କାରବାର ଆଳରେ ନିର୍ବାଚିତ ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କୁ ଉଠାଇ ନେଇଗଲା । ଆମେରିକାର ଏତାଦୃଶ ଆକ୍ରମଣ ବ୍ୟାପକ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦାର କାରଣ ହୋଇଛି । ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରିକାଳୀନ ବୈଠକରେ ଚୀନ୍, ରୁଷିଆ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, କଲମ୍ବିୟା ଏବଂ ସ୍ପେନ୍ ସମେତ ଦେଶଗୁଡ଼ିକ ଏହି କାର୍ଯ୍ୟକୁ ଏକ ବେଆଇନ ଆକ୍ରମଣ ଏବଂ ଭେନେଜୁଏଲାର ସାର୍ବଭୌମତ୍ୱର ଗମ୍ଭୀର ଉଲ୍ଲଂଘନ ବୋଲି ନିନ୍ଦା କରିଛନ୍ତି । ଭେନେଜୁଏଲାର ପ୍ରତିନିଧି ଚେତାବନୀ ଦେଇଥିଲେ ଯେ, ଜଣେ ରାଷ୍ଟ୍ରମୁଖ୍ୟଙ୍କ ଅପହରଣ ଏବଂ ଏକ ସାର୍ବଭୌମ ଦେଶରେ ବୋମା ମାଡ଼କୁ ସହ୍ୟ କରିବା ଦ୍ୱାରା ଅନ୍ତର୍ଜାତୀୟ ଆଇନ ଅର୍ଥହୀନ ହୋଇଯିବ । ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସତର୍କ କରାଇ କହିଛନ୍ତି ଯେ, ଏହି ଅଭିଯାନ ଜାତିସଂଘ ଚାର୍ଟର ଉଲ୍ଲଂଘନ କରିଛି ଏବଂ ଏହା ଭେନେଜୁଏଲାରେ ସାର୍ବଭୌମତ୍ୱ ଉପରେ ଆକ୍ରମଣ ଏବଂ ବିଶ୍ୱରେ ଡ. ସନ୍ତୋଷ କୁମାର ମହାପାତ୍ର ମୋ: ୯୪୩୭୨୦୮୭୬୨ ଅସ୍ଥିରତା ସୃଷ୍ଟି କରିବ । ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, କୌଣସି ରାଷ୍ଟ୍ରର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବା ଏକ ରାଷ୍ଟ୍ର ବିରୁଦ୍ଧରେ ସଶସ୍ତ୍ର ଆକ୍ରମଣ କରିପାରିବ ନାହିଁ । ସଶସ୍ତ୍ର ଆକ୍ରମଣ ବିରୁଦ୍ଧରେ ଆତ୍ମରକ୍ଷା ପାଇଁ ପ୍ରତିଆକ୍ରମଣ କରିପାରିବ, କିନ୍ତୁ ଯେପର୍ଯ୍ୟନ୍ତ ଜାତିସଂଘ ସୁରକ୍ଷା ପରିଷଦ ତାର କାର୍ଯ୍ୟ ଆରମ୍ଭ ନକରିଛି । କିନ୍ତୁ ତ୍ୱରିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଅନୁମତିପ୍ରାପ୍ତ ହେବା ଆବଶ୍ୟକ । ଆଇନଗତ ବିଦ୍ୱାନମାନେ ଏହି ବିଷୟରେ ସ୍ପଷ୍ଟ ମତ ରଖିଛନ୍ତି ।
ଜାତିସଂଘ ବୈଠକରେ ଉଦ୍ବୋଧନ ଦେଇ ଆମେରିକୀୟ ଅର୍ଥନୀତିଜ୍ଞ ତଥା ଜାତିସଂଘର ସ୍ଥାୟୀ ବିକାଶ ସମାଧାନ ନେଟୱାର୍କର ଅଧ୍ୟକ୍ଷ ଏବଂ କଲମ୍ବିୟା ବିଶ୍ୱବିଦ୍ୟାଳୟର ସ୍ଥାୟୀ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଜେଫ୍ରି ସାକ୍ସ କହିଛନ୍ତି ଯେ, ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଜାତିସଂଘ ଚାର୍ଟରର ଧାରା-୨, ଧାରା-୪ ଉଲ୍ଲଙ୍ଘନ କରେ, ଯାହା ଯେକୌଣସି ରାଜ୍ୟର କ୍ଷେତ୍ରୀୟ ଅଖଣ୍ଡତା କିମ୍ବା ରାଜନୈତିକ ସ୍ୱାଧୀନତା ବିରୁଦ୍ଧରେ ଧମକ ବା ବଳ ପ୍ରୟୋଗକୁ ନିଷେଧ କରେ । ସାକ୍ସ ଏହି କାର୍ଯ୍ୟଗୁଡ଼ିକୁ "ଗୁପ୍ତ ଶାସନ ପରିବର୍ତ୍ତନ’ର ଏକ ଦୀର୍ଘକାଳୀନ ଆମେରିକାର ଧାରା ବୋଲି କହିଛନ୍ତି, କେବଳ ୧୯୪୭ରୁ ୧୯୮୯ ମଧ୍ୟରେ ଏପରି ୭୦ଟି କାର୍ଯ୍ୟର ଐତିହାସିକ ରେକର୍ଡ ଉଦ୍ଧୃତ କରିଛନ୍ତି । କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଥ୍ୟୁ ୱାକ୍ସମ୍ୟାନ ଟ୍ରମ୍ପ ସିଦ୍ଧାନ୍ତକୁ ବିରୋଧ କରି କହିଛନ୍ତି ଯେ, କୌଣସି ଅପରାଧିକ ଅଭିଯୋଗ ଆଳରେ ଏକ ସରକାରକୁ ଆଉ ଏକ ବିଦେଶୀ ସରକାରଙ୍କୁ ପରାସ୍ତ କରିବାର ଅଧିକାର ପ୍ରଦାନ କରେନାହିଁ, କିମ୍ବା ଏପରି କାର୍ଯ୍ୟକୁ ଆତ୍ମରକ୍ଷା ଭାବରେ ଯୁକ୍ତିଯୁକ୍ତ ଭାବରେ ବିବେଚନା କରାଯାଇପାରିବ ନାହିଁ ।
ଅବଶ୍ୟ ଟ୍ରମ୍ପ ତଥା ଆମେରିକୀୟ ଶାସକମାନେ ଭାବନ୍ତି ଆମେରିକୀୟ ଅଦାଲତ ବା କୋର୍ଟଗୁଡ଼ିକୁ ବିଶ୍ୱ ଅଦାଲତ, ଆମେରିକା ଆଇନ ସବୁ ବିଶ୍ୱ ଆଇନ ଏବଂ ଆମେରିକୀୟ ପୋଲିସ୍ ଓ ସୈନିକମାନେ ବିଶ୍ୱ ପୋଲିସ ଓ ସୈନିକ ଭାବେ କାର୍ଯ୍ୟ କରିପାରିବେ ଏବଂ ଆମେରିକାକୁ ପ୍ରତିରୋଧ କରୁଥିବା ବା ପ୍ରଭୁତ୍ୱ ସ୍ୱୀକାର କରୁନଥିବା ଯେକୌଣସି ନେତାଙ୍କୁ ଅପରାଧୀ ଭାବେ ବିବେଚନା କରି ଦଣ୍ଡିତ କରିପାରେ । ଏହାର କାରଣ ବୁଝିବାକୁ ଚାହିଁଲେ ଅଳ୍ପ କେତୋଟି ଦଶନ୍ଧିର ଇତିହାସର ପୃଷ୍ଠା ଲେଉଟାଇବାକୁ ପଡ଼ିବ । ପ୍ରଥମେ ୩୬ବର୍ଷ ପୂର୍ବେ ଆମେରିକୀୟ ସେନା ଏହିଭଳି ଢଙ୍ଗରେ ପାନାମାର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ମାନୁଏଲ ନୋରିଏଗାଙ୍କୁ ନିଜ ପ୍ରାସାଦରୁ ଟେକି ନେଇଥିଲା । ନୋରିଏଗାଙ୍କୁ ଆମେରିକାର ବର୍ଷ ବର୍ଷ ଧରି, ଭେନେଜୁଏଲା କ୍ରମାଗତ ଅର୍ଥନୈତିକ ଯୁଦ୍ଧ ସହ୍ୟ କରିଆସିଛି । ଆମେରିକାର ଆର୍ଥିକ ପ୍ରତିବନ୍ଧକ ଭେନେଜୁଏଲାର ପ୍ରଗତିରେ ବାଧକ ହୋଇଛି । ତୈଳ ରପ୍ତାନିରେ ବାଧା ସୃଷ୍ଟି ହୋଇଛି ।
ଏହା ଭେନେଜୁଏଲା ଅର୍ଥନୀତିକୁ ସଙ୍କଟ ଗହ୍ୱରକୁ ଠେଲିଦେଇଛି । ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍ଡବ୍ଲ୍ୟୁ ବୁଶ୍ ବନ୍ଦୀ କରିବାର ନିର୍ଦ୍ଦେଶ ଜାରି କରିଥିଲେ । ଇରାକରେ ସଦ୍ଦାମ ହୁସେନ, ଲିବ୍ୟାରେ ମୁଆମାର ଗଦ୍ଦାଫିଙ୍କ ଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ସ୍ଥାନରେ ଆମେରିକାର ହସ୍ତକ୍ଷେପ ସବୁବେଳେ ସମ୍ପୃକ୍ତ ଦେଶର ଅର୍ଥନୀତି, ପରିଚାଳନା ବ୍ୟବସ୍ଥା ଏବଂ ସଭ୍ୟ ସମାଜର ସ୍ଥିତିକୁ ବରବାଦ କରିଦେଇଛି । ଗଣତନ୍ତ୍ରର ବିଶ୍ୱବ୍ୟାପୀ ରକ୍ଷକ ଭାବରେ ନିଜକୁ ଉପସ୍ଥାପନ କରିବା ସତ୍ତେ୍ୱ ଯୁକ୍ତରାଷ୍ଟ୍ର ବାରମ୍ବାର ଏକପାଖିଆ ସାମରିକ ହସ୍ତକ୍ଷେପରେ ଲିପ୍ତ ରହିଛି, ଯାହା ସାର୍ବଭୌମତ୍ୱ ଉଲ୍ଲଂଘନ କରେ ଏବଂ ଅନ୍ତର୍ଜାତୀୟ ଆଇନକୁ ଅଣଦେଖା କରେ । ଏଗୁଡ଼ିକ ପୃଥକ ଭୁଲ୍ ଆକଳନ ନୁହେଁ ବରଂ ଏକ ନଗ୍ନ ସାମ୍ରାଜ୍ୟବାଦୀ ଢାଞ୍ଚାର ଅଂଶ । କୁହାଯାଉଛି ଯେ, ଟ୍ରମ୍ପ ପ୍ରଶାସନର ଏହି ଆକ୍ରମଣାତ୍ମକ ନୀତି ଆମେରିକୀୟ ନବ-ସାମ୍ରାଜ୍ୟବାଦକୁ ଯଥାର୍ଥ କରିବା ପାଇଁ ଟ୍ରମ୍ପଙ୍କ ଦ୍ୱାରା ପୁନଃନାମିତ ମନରୋ ତତ୍ତ୍ୱକୁ ପୁନର୍ଜୀବିତ ଏବଂ ଖୋଲାଖୋଲି ଭାବରେ ବିସ୍ତାର କରିଛି, ଯାହାର ନାମ "ଡୋନରୋ ତତ୍ତ୍ୱ' । ଡୋନରୋ ତତ୍ତ୍ୱ ଏକ ବିପଜ୍ଜନକ ଏକପାଖିଆ ଆକ୍ରମଣର ପ୍ରତୀକ ।
ଜେମ୍ସ ମୁନରୋ ପଞ୍ଚମ ଆମେରିକୀୟ ରାଷ୍ଟ୍ରପତି ଥିଲେ, ଯିଏ ୧୮୨୩ ମସିହାରେ ପ୍ରାରମ୍ଭିକ ଆମେରିକୀୟ ସାମ୍ରାଜ୍ୟବାଦୀ ନୀତିର ମାନଦଣ୍ଡଗୁଡ଼ିକୁ ପ୍ରକାଶ କରିଥିଲେ, ଯାହା "ମୁନରୋ ସିଦ୍ଧାନ୍ତ' ଭାବରେ ଜଣାଶୁଣା । ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଯେକୌଣସି ହସ୍ତକ୍ଷେପ କିମ୍ବା କାର୍ଯ୍ୟକୁ ଆମେରିକା ଉପରେ ଆକ୍ରମଣ ଭାବରେ ଦେଖାଯିବ । ପ୍ରତିବଦଳରେ ସେ ପ୍ରତିଶ୍ରୁତି ଦେଇଥିଲେ ଯେ, ଆମେରିକା ୟୁରୋପୀୟ ଦେଶଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରକୁ ସ୍ୱୀକୃତି ଦେବ ଏବଂ ଏଥିରେ ହସ୍ତକ୍ଷେପ କରିବନାହିଁ । କିନ୍ତୁ ସର୍ବଦା ହସ୍ତକ୍ଷେପ କରିଥାଏ । ଆମେରିକାର ହସ୍ତକ୍ଷେପର ପରିମାଣ ଆଶ୍ଚର୍ଯ୍ୟଜନକ । ଯୁକ୍ତରାଷ୍ଟ୍ର ୧୭୭୬ରୁ ୨୦୨୬ ମଧ୍ୟରେ ପ୍ରାୟ ୪୦୦ ସାମରିକ ହସ୍ତକ୍ଷେପ କରିଛି, ଯାହାର ପ୍ରାୟ ଅଧା ୧୯୫୦ ପରଠାରୁ ଏବଂ ଶୀତଳ ଯୁଦ୍ଧ ପରବର୍ତ୍ତୀ ଯୁଗରେ ଏକ-ଚତୁର୍ଥାଂଶରୁ ଅଧିକ ଘଟିଛି । ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକୁ ଉପେକ୍ଷା କରାଯାଏ, ନିର୍ବାଚିତ ସରକାରଗୁଡ଼ିକୁ ହଟାଇ ଦିଆଯାଏ, ସାଧାରଣ ନାଗରିକଙ୍କ ଦୁଃଖକୁ ସ୍ୱାଭାବିକ ବିଚାର କରାଯାଏ ଏବଂ ରାଷ୍ଟ୍ରର ଦାୟିତ୍ୱକୁ ଅସ୍ୱୀକାର କରାଯାଏ । ପୀଡ଼ିତମାନଙ୍କୁ ଦୋଷ ଦିଆଯାଏ, ଆକ୍ରମଣକାରୀ ଦଣ୍ଡିତ ହୁଏନାହିଁ ।
ଆମେରିକାର ମହତ୍ତ୍ୱାକାଂକ୍ଷା ବର୍ତ୍ତମାନ ବିଶ୍ୱବ୍ୟାପୀ ବିସ୍ତାରିତ । ଇରାନ ବିରୁଦ୍ଧରେ ଧମକ, ନାଇଜେରିଆରେ ସାମରିକ ଆକ୍ରମଣ ଏବଂ ଗ୍ରୀନଲ୍ୟାଣ୍ଡକୁ ମିଶାଇବା ପାଇଁ ପଦକ୍ଷେପ, ଯାହା ନାଟୋକୁ ଅସ୍ଥିର କରିପାରେ ଏବଂ ଆମେରିକା ଏବଂ ୟୁରୋପ ମଧ୍ୟରେ ଫାଟକୁ ତ୍ୱରାନ୍ୱିତ କରିପାରେ । ଭାରତ ମଧ୍ୟ ପ୍ରଭାବିତ ହୋଇଛି, ବିଶେଷକରି ରୁଷୀୟ ତୈଳ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ବିପୁଳ ଶୁଳ୍କ ଲଗାଇବା ପ୍ରସ୍ତାବ ଭାରତର ଶକ୍ତି ସୁରକ୍ଷା ଏବଂ ବାଣିଜ୍ୟକୁ କ୍ଷତି ପହଞ୍ଚାଇପାରେ । ଟ୍ରମ୍ପଙ୍କ ଭେନେଜୁଏଲା ଉପରେ ଆକ୍ରମଣ ଭେନେଜୁଏଲାକୁ ସାହାଯ୍ୟ କରିବା କିମ୍ବା ଗଣତନ୍ତ୍ରକୁ ସୁଦୃଢ଼ କରିବାପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଆମେରିକୀୟ ଏବଂ ଆମେରିକୀୟ କର୍ପୋରେଟ୍ ସ୍ୱାର୍ଥକୁ ଖୋଲାଭାବରେ ଆଗକୁ ବଢ଼ାଇବା ପାଇଁ ଉଦ୍ଦିଷ୍ଟ । କୁହାଯାଉଛି ଯେ, ଆମେରିକାର ଏହି ମାଦୁରୋ ବିରୋଧୀ କାର୍ଯ୍ୟାନୁଷ୍ଠାନ ପଛରେ "ପେଟ୍ରୋ ଡଲାର' ରହିଛି । ଭେନେଜୁଏଲାର ଅର୍ଥନୀତି ତୈଳସର୍ବସ୍ୱ ।
ଆମେରିକା ଶକ୍ତି ସୂଚନା ପ୍ରଶାସନ ତଥ୍ୟ ଅନୁଯାୟୀ, ଭେନେଜୁଏଲା ନିକଟରେ ୩୦୩ ବିଲିଅନ ବ୍ୟାରେଲ ଅଶୋଧିତ ତୈଳ ଅଛି, ଯାହା ବିଶ୍ୱ ତୈଳଭଣ୍ଡାରଣର ପ୍ରାୟ ୧୭ ପ୍ରତିଶତ ଏବଂ ସର୍ବାଧିକ । ଭେନେଜୁଏଲାରେ ବହୁ ପରିମାଣରେ ତୈଳକୁ ନିଜ ଅକ୍ତିଆରକୁ ନେବାପାଇଁ ଆମେରିକା ମାଦୁରୋ ବିରୋଧୀ ପଦକ୍ଷେପ ନେଇଛି । ଭେନେଜୁଏଲାର ପ୍ରକୃତ ଅପରାଧ ଏହାର ପ୍ରାକୃତିକ ସମ୍ପଦ ଉପରେ ନିୟନ୍ତ୍ରଣ ଜାହିର କରିବା, ବିଦେଶୀ ସୁରକ୍ଷାକୁ ପ୍ରତ୍ୟାଖ୍ୟାନ କରିବା ଏବଂ ଏକ ସ୍ୱାଧୀନ ରାଜନୈତିକ ପଥ ଅନୁସରଣ କରିବା । ଏହି ଅବମାନନା ପାଇଁ ଏହାକୁ ଦଣ୍ଡ ଦିଆଯାଇଛି । ଇତିହାସ ମଧ୍ୟ ଭୟଙ୍କର ଉଦାହରଣ ପ୍ରଦାନ କରେ । ପାଶ୍ଚାତ୍ୟ ଅନୁମୋଦନ ବିନା ନିଜ ସମ୍ପଦ ଉପରେ ସାର୍ବଭୌମ ନିୟନ୍ତ୍ରଣ ଚାହୁଁଥିବା ଦେଶଗୁଡ଼ିକ- ଯେପରିକି ଇରାନ, ଇରାକ ଏବଂ ଲିବିୟା ନିରନ୍ତର ଚାପ, ଅସ୍ଥିରତା ଏବଂ ସାମରିକ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ଭେନେଜୁଏଲା ଏବେ ଯୋଗ ଦେଇଛି । ପ୍ରତିରୋଧ କରୁଥିବା ଯେକୌଣସି ନେତାଙ୍କୁ ଅପରାଧୀ କରାଯାଇପାରେ, ଅପହରଣ କରାଯାଇପାରେ ଏବଂ ସାମ୍ରାଜ୍ୟବାଦୀ ଆକ୍ରୋଶର ଶିକାର କରାଯାଇପାରେ । ୨୦୨୪ ମସିହାରେ ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ପ୍ରଫେସର ଡାରନ୍ ଆସେମୋଗ୍ଲୁଙ୍କ ଅନୁଯାୟୀ, ଭେନେଜୁଏଲାରେ ଆମେରିକାର ହସ୍ତକ୍ଷେପ ଗଣତନ୍ତ୍ର ପ୍ରତିଷ୍ଠା କିମ୍ବା ମାନବାଧିକାରକୁ ରକ୍ଷା କରିବାର ଉଦ୍ଦେଶ୍ୟ ନୁହେଁ । ଅବଶ୍ୟ ଏହା ଟ୍ରମ୍ପ ପ୍ରଶାସନର ସାମ୍ରାଜ୍ୟବାଦୀ ମୁଖା ଖୋଲିଦେଇଛି । ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପୁନଃନିର୍ମାଣ କରିବା ପାଇଁ ଆମକୁ ଏକ ନୂତନ ଦାର୍ଶନିକ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ପଡ଼ିବ ।