ନୂଆଦିଲ୍ଲୀ: ଆମେରିକାର ଲୋକ ମାନେ ମଧ୍ୟ ଏବେ ସନ୍ତାନ ଜନ୍ମ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଆଉ ଏହାର ଫଳସ୍ୱରୂପ ଗତବର୍ଷ ଅର୍ଥାତ ୨୦୨୪ ମସିହାରେ ଆମେରିକାର ପ୍ରଜନନ ହାର ସବୁଠାରୁ କମ୍ ଥିଲା। ଆମେରିକା ସରକାରଙ୍କ ତଥ୍ୟ ଅନୁଯାୟୀ, ଆମେରିକାର ପ୍ରତ୍ୟେକ ମହିଳା ୧.୬ ରୁ କମ୍ ସନ୍ତାନ ଜନ୍ମ ଦେଉଛନ୍ତି। ଏକ ସମୟରେ ଆମେରିକାରେ ପ୍ରତି ମହିଳାଙ୍କ ହାରାହାରି ପ୍ରଜନନ ହାର ୨.୧ ସନ୍ତାନ ଥିଲା, କିନ୍ତୁ ଗତ ଦୁଇ ଦଶନ୍ଧି ମଧ୍ୟରେ, ଆମେରିକାରେ ପ୍ରଜନନ ହାର ବହୁତ ହ୍ରାସ ପାଇଛି ଏବଂ ବର୍ତ୍ତମାନ ସେଠାକାର ମହିଳା ମାନେ ସନ୍ତାନ ଜନ୍ମ କରିବାକୁ ଲମ୍ବା ସମୟ ନେଉଛନ୍ତି କିମ୍ବା ଆଦୌ ସନ୍ତାନ ଜନ୍ମ କରୁନାହାଁନ୍ତି।

ଯୁକ୍ତରାଷ୍ଟ୍ର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (CDC)ର ସଦ୍ୟତମ ସଂଖ୍ୟା ପ୍ରକାଶ କରିଛି, ଯେଉଁଥିରେ ୨୦୨୪ ମସିହାର ସଂଖ୍ୟା ଦିଆଯାଇଛି। ସିଡିସି (CDC) କହିଛି ଯେ ୧୯୬୦ ଦଶକର ଆରମ୍ଭରେ, ଆମେରିକାରେ ପ୍ରଜନନ ହାର ୩.୫ ପାଖାପାଖି ଥିଲା, କିନ୍ତୁ ୧୯୭୬ ମସିହାରେ ଏହା ପ୍ରତି ମହିଳାଙ୍କ ୧.୭ ସନ୍ତାନକୁ ହ୍ରାସ ପାଇଛି। ଯଦିଓ ଏହି ସଂଖ୍ୟା ୨୦୦୭ ପର୍ଯ୍ୟନ୍ତ ପ୍ରତି ମହିଳା କ୍ଷେତ୍ରରେ ୨.୧ ସନ୍ତାନ ଥିଲା, ଏହା ପୁଣି ହ୍ରାସ ପାଇଛି, ଯାହା ଏପର୍ଯ୍ୟନ୍ତ ଜାରି ରହିଛି । ତଥ୍ୟ ଅନୁଯାୟୀ, ପ୍ରାୟ ପ୍ରତ୍ୟେକ ମହିଳା ବର୍ଗରେ ସନ୍ତାନ ଜନ୍ମରେ ହ୍ରାସ ଘଟିଛି । ଆଗାମୀ ବର୍ଷ ଗୁଡ଼ିକରେ ଏହି ହ୍ରାସ ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି। ଲୋକମାନେ ବିଳମ୍ବରେ ବିବାହ କରୁଛନ୍ତି ଏବଂ ଟଙ୍କା ବିଷୟରେ ଚିନ୍ତା, ସ୍ୱାସ୍ଥ୍ୟ ବୀମା ଏବଂ ଅନ୍ୟାନ୍ୟ ସମ୍ବଳ ଉପରେ ଖର୍ଚ୍ଚ ବୃଦ୍ଧି ହେତୁ ଲୋକମାନେ ସନ୍ତାନ ଜନ୍ମ କରିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । 

ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ପଶ୍ଚିମ ୟୁରୋପୀୟ ଦେଶ ଗୁଡ଼ିକର ପ୍ରଜନନ ହାର ସହିତ ସମାନ। ପ୍ରଜନନ ହାର ହ୍ରାସ ପରେ, ଆମେରିକାର ଟ୍ରମ୍ପ ପ୍ରଶାସନ ପ୍ରଜନନ ହାର ବୃଦ୍ଧି ପାଇଁ କିଛି ପଦକ୍ଷେପ ନେଇଛି, ଯେପରିକି IVF ଟେକନୋଲୋଜି ମାଧ୍ୟମରେ ଗର୍ଭଧାରଣର ଖର୍ଚ୍ଚ ହ୍ରାସ କରାଯାଇଛି। ଏହା ସହିତ, ଶିଶୁ ବୋନସ ମଧ୍ୟ ଘୋଷଣା କରାଯାଇଛି, ଯାହା ଅଧିକ ଲୋକଙ୍କୁ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରିପାରିବ।