ନୂଆଦିଲ୍ଲୀ, ୧୧।୬: ଇରାନରେ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ନିଶାନା କରିବା ପରେ ଏୟାରଷ୍ଟ୍ରାଇକ୍ ବନ୍ଦ କରିଥିବା ନେଇ ଆମେରିକା ସେନା ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) ଏକ ବିବୃତ୍ତି ଜାରି କରି କହିଛି ଯେ, କମାଣ୍ଡର-ଇନ୍-ଚିଫ୍ଙ୍କ ନିର୍ଦ୍ଦେଶକ୍ରମେ ଇରାନର ଅନେକ ଆସ୍ଥାନ ଉପରେ ଆକ୍ରମଣ କରାଯାଇଛି । ବର୍ତ୍ତମାନ ଏହି ଅପରେସନ ଶେଷ ହୋଇଛି । ଇରାନର ଅଯଥା ଆକ୍ରୋଶମୂଳକ ଆଚରଣର ଜବାବ ଦେବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆମେରିକା ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
୩ ଘଣ୍ଟା ଧରି ଚାଲିଲା ହାମଲା, ବାୟୁସେନା ସହ ନୌସେନା ସାମିଲ:
CENTCOM ସୂଚନା ଅନୁସାରେ, ଆମେରିକା ସେନା ଇରାନ ସାମରିକ ବାହିନୀର ନଜର ରଖିବା କ୍ଷମତା, ଯୋଗାଯୋଗ ବ୍ୟବସ୍ଥା ଏବଂ ଏୟାର ଡିଫେନ୍ସ ବେସ୍ ଗୁଡ଼ିକୁ ଟାର୍ଗେଟ୍ କରିଥିଲା । ଆମେରିକୀୟ ମେରିନ୍ କର୍ପସ, ବାୟୁସେନା ଏବଂ ନୌସେନା ମିଳିତ ଭାବେ ଏହି ସଠିକ୍ ଆକ୍ରମଣ କରିଛନ୍ତି । ଯେଉଁ ସବୁ ଇରାନୀ ଆସ୍ଥାନରୁ ଆମେରିକା ସେନା ଏବଂ ଆନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ରହିଥିଲା, ସେଗୁଡ଼ିକୁ ଧ୍ୱଂସ କରାଯାଇଛି । ଭାରତୀୟ ସମୟ ଅନୁସାରେ ଗୁରୁବାର ଭୋର ପ୍ରାୟ ୩ଟାରେ ଏହି ଆକ୍ରମଣ ଆରମ୍ଭ ହୋଇ ସାଢ଼େ ୬ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଚାଲିଥିଲା । ଇରାନର ଆକ୍ରମଣ ଯୋଗୁଁ ହୋର୍ମୁଜ ପ୍ରଣାଳୀ ବନ୍ଦ ହୋଇଯାଇଥିବା ନେଇ ତେହେରାନ କରିଥିବା ଦାବିକୁ ଆମେରିକା ଖାରଜ କରିଦେଇଛି । CENTCOM ସୋସିଆଲ ମିଡିଆରେ ସ୍ପଷ୍ଟ କରିଛି ଯେ, ଏହି ସାମୁଦ୍ରିକ ପଥ ଦେଇ ବାଣିଜ୍ୟିକ ଜାହାଜଗୁଡ଼ିକର ଯାତାୟାତ ସ୍ୱାଭାବିକ ରହିଛି ଏବଂ କୌଣସି ଚଳାଚଳ ବାଧାପ୍ରାପ୍ତ ହୋଇନାହିଁ ।
ଟ୍ରମ୍ପଙ୍କ ଚେତାବନୀ ପରେ ଆକ୍ସନ:
ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଆମେରିକା ସେନା ଏହି ବଡ଼ ପଦକ୍ଷେପ ନେଇଛି । ଟ୍ରମ୍ପ କହିଥିଲେ ଯେ, ଆଲୋଚନା ବନ୍ଦ ରଖିବା ପାଇଁ ତେହେରାନକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ଉଭୟ ପକ୍ଷରୁ ବାରମ୍ବାର ହେଉଥିବା ଆକ୍ରମଣ ଯୋଗୁଁ ଯୁଦ୍ଧ ସମାପ୍ତ କରିବାର ପ୍ରୟାସ ଏବେ ବିପଦରେ ପଡ଼ିଛି । ଅନ୍ୟପଟେ ଇରାନ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଛି । ଇରାନ ପ୍ରଥମେ ବାହାରିନ, କୁଏତ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ସେନା ଆସ୍ଥାନ ଉପରେ ଆକ୍ରମଣ କରିଥିଲା, ଯାହାର ପାଲଟା ଜବାବ ଆମେରିକା ଦେଇଛି । ଚଳିତ ସପ୍ତାହରେ ଉଭୟ ଦେଶ ପରସ୍ପର ଉପରେ ୩ ଥର ଆକ୍ରମଣ କଲେଣି । ହୋର୍ମୁଜ ପ୍ରଣାଳୀ ନିକଟରେ ଆମେରିକା ସେନାର ଏକ ହେଲିକପ୍ଟର କ୍ରାସ୍ ହେବା ପରେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା, ଯାହା ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ।
ଆହୁରି ପଢ଼ନ୍ତୁ... Hormuz Crisis : ହୋର୍ମୁଜ୍ ଷ୍ଟ୍ରେଟ୍ ସିଲ୍ କଲା ଇରାନ, ବିନା ଅନୁମତିରେ ଜାହାଜ ଗଲେ ଆକ୍ରମଣ କରିବାକୁ ଚେତାବନୀ