ୱାଶିଂଟନ୍‌,୦୭/୦୧: ଆମେରିକାରେ ରବିବାର ଭୟଙ୍କର ତୁଷାରଝଡ଼ ହୋଇଛି । ଝଡ଼ ଷ୍ଟର୍ମ ବ୍ଲେୟାର ଯୋଗୁ ଅନେକ  ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ୭  ରାଜ୍ୟ କେଣ୍ଟକି, ଭର୍ଜିନିଆ, ୱେଷ୍ଟ ଭର୍ଜିନିଆ, କନ୍‌ସାସ୍‌, ଅର୍କାନସାସ୍‌, ମିସୋରୀ ଏବଂ ନ୍ୟୁ  ଜର୍ସିର କେତେକ ସ୍ଥାନରେ ଜରୁରିକାଳୀନ  ସ୍ଥିତି ଲାଗୁ ହୋଇଛି । ସାଧାରଣତଃ  ଉଷ୍ମ ରହୁଥିବା ଫ୍ଲୋରିଡାରେ ବି ପ୍ରବଳ  ବରଫପାତ ହେଉଛି । କନ୍‌ସାସ୍‌ ଏବଂ  ମିସୋରି ପାଇଁ ସ୍ୱତନ୍ତ୍ର ଚେତାବନୀ ଜାରି  ହୋଇଛି । ଏଠାରେ ଘଣ୍ଟାପ୍ରତି ୭୨ କିମି  ବେଗରେ ଥଣ୍ଡା ପବନ ବହୁଛି । ୱାଶିଂଟନ୍‌  ଡିସିର କେତେକ ସ୍ଥାନରେ ୧୬ ଇଞ୍ଚର  ବରଫ ଜମାହୋଇଛି । ରାସ୍ତାସାରା ବରଫ  ଛାଇହୋଇଯାଇଛି । 

ଆମେରିକା ନ୍ୟାସନାଲ ୱେଦର ସର୍ଭିସ୍‌  ଅନୁସାରେ, ବରଫଝଡ଼ ଯୋଗୁ ୬ କୋଟିରୁ  ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ପୋଲାର ଭର୍ଟେକ୍ସ (ଧ୍ରୁବୀୟ ଘୂର୍ଣ୍ଣିଝଡ଼) ଯୋଗୁ ଏହି  ତୁଷାରଝଡ଼ ହୋଇଛି । ପୋଲାର ଭର୍ଟେକ୍ସ  କାଉଣ୍ଟର କ୍ଲକ୍‌ ୱାଇଜ୍‌ ବା ଘଣ୍ଟାର ବିପରୀତ  ଦିଗରେ ଗତି କରିଥାଏ । ଏହାର ଭୌଗୋଳିକ  ସରଞ୍ଚନା ଯୋଗୁ ସାଧାରଣତଃ ଏହା ଉତ୍ତର  ଧ୍ରୁବ ଚାରିପଟେ ଘୂରିଥାଏ ଏବଂ ଦକ୍ଷିଣ ଆଡ଼କୁ  ଗତି କରିଥାଏ । ଏହି କାରଣରୁ ଆମେରିକା,  ୟୁରୋପ ଏବଂ ଏସିଆରେ ପ୍ରବଳ ଥଣ୍ଡା  ଲାଗିଥାଏ । 

ଏବେ ଆମେରିକାରେ ପୋଲାର  ଭର୍ଟେକ୍ସ ଯୋଗୁ ଏପରି ସ୍ଥିତି ରହିଛି । ଆଗକୁ  ଧ୍ରୁବୀୟ ବାୟୁ ୟୁରୋପ ଏବଂ ଏସିଆରେ ବି  ଚାଲିପାରେ । ବରଫଝଡ଼ ଯୋଗୁ ଆମେରିକୀୟ ଏୟାରଲାଇନ୍ସ ସୋମବାର ୧,୩୦୦ରୁ ଊଦ୍ଧ୍ୱର୍  ବିମାନ ବାତିଲ କରିଛି । ୪୧୪ ବିମାନ  ବିଳମ୍ବ ହୋଇଛି । ସେହିପରି ଅନେକ ଟ୍ରେନ୍‌  ମଧ୍ୟ ବାତିଲ ହୋଇଛି । ଆମେରିକାର ଦୁଇ  ତୃତୀୟାଂଶ ଭାଗରେ ଭୀଷଣ ଥଣ୍ଡା ପଡ଼ିବା  ନେଇ ସତର୍କ କରାଯାଇଛି । ଲୋକଙ୍କୁ ଘରେ  ରହିବାକୁ ପରାମର୍ଶ ଦିଆଯାଇଛି।