ନୂଆଦିଲ୍ଲୀ ୨୬/୦୪: ଭାରତରୁ ଆମେରିକା ରପ୍ତାନି ହେଉଥିବା ସୋଲାର ସେଲ ଏବଂ ମଡ୍ୟୁଲ ଉପରେ ଆମେରିକା ୧୨୩.୦୪% ପ୍ରାଥମିକ ଆଣ୍ଟି ଡମ୍ପିଂ ଟିକସ ଲାଗୁ କରିଛି । ଏଭଳି ନିଷ୍ପତ୍ତି ଜରିଆରେ ପ୍ରମୁଖ ବଜାରର ରପ୍ତାନି ଉପରେ କଟକଣା ଲଗାଇବାକୁ ଉଦ୍ୟମ ହୋଇଛି । ଏହାକୁ ନଜରରେ ରଖି ଭାରତୀୟ ରପ୍ତାନିକାରୀମାନେ ବର୍ତ୍ତମାନ ବିକଳ୍ପ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କଲେଣି । ତ୍ୱରିତ ଭିତ୍ତିରେ ଘରୋଇ ରପ୍ତାନିକାରୀଙ୍କ ଉପରେ ତ୍ୱରିତ ପ୍ରଭାବ ପଡିବନି । ତେବେ ଦୀର୍ଘ ମିଆଦି ଭିତ୍ତିରେ ଏହା ଚିନ୍ତା ବଢ଼ାଇବ । ନ୍ୟାଶନାଲ ସୋଲାର ଏନର୍ଜି ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏନ୍‌ଏସ୍‌ଇଏଫ୍‌ଆଇର) ସିଇଓ ସୁବ୍ରମଣ୍ୟମ ପୁଲିପକା କହିଛନ୍ତି, ଏଭଳି ଆଣ୍ଟି ଡମ୍ପିଂ ଟିକସର କୌଣସି ଭିତ୍ତି ନାହିଁ । ଏ ନେଇ ଆଲୋଚନା କରିବାକୁ ପ୍ରତିନିଧିଙ୍କୁ ପଠାଯିବ । ମୁନ୍ଦ୍ରା ସୋଲାର ଏନର୍ଜି, ମୁନ୍ଦ୍ରା ସୋଲାର ପିଭି, କୋୱା ଏବଂ ପ୍ରିମିୟର ଏନର୍ଜି ଭଳି କମ୍ପାନି ଗୁଡ଼ିକ ବିରୋଧରେ ପ୍ରମାଣ ପାଇଛି ଆମେରିକା ।

ଆମେରିକାର ଏଭଳି ନିଷ୍ପତ୍ତି ଦ୍ୱାରା ୱାରୀ ଏନର୍ଜି, ବିକ୍ରମ ପାୱାର ଏବଂ ଆଦାନି ମୁନ୍ଦ୍ରା ସୋଲାର ଭଳି ବିଭିନ୍ନ କମ୍ପାନି ପ୍ରଭାବିତ ହେବେ ବୋଲି କୁହାଯାଉଛି । ଆମେରିକା ସୋଲାର ମାନୁଫାକଚରିଂ କମ୍ପାନି ଗୁଡ଼ିକ ଭାରତୀୟ କମ୍ପାନି ବିରୋଧରେ ଅଭିଯୋଗ ଆଣିବା ପରେ ଆମେରିକା ଏଭଳି କଟକଣା ଲଗାଇଛି । ଭାରତ, ଇଣ୍ଡୋନେସିଆ ଏବଂ ଲାଓସର କମ୍ପାନି ଗୁଡ଼ିକ ଆମେରିକା ବଜାରରେ ସୋଲାର ଯନ୍ତ୍ରାଂଶ ଡମ୍ପିଂ କରୁଥିବା ଅଭିଯୋଗ ଆସିଥିଲା । ଏହି କମ୍ପାନିର ଉତ୍ପାଦ ଗୁଡ଼ିକ ଆମେରିକା ସାମଗ୍ରୀର ପ୍ରକୃତ ମୂଲ୍ୟଠାରୁ କମ୍ ରହୁଥିଲା ।

ଫଳରେ ଆମେରିକାରେ ପ୍ରସ୍ତୁତ ସୌର ଯନ୍ତ୍ରାଂଶ ଗୁଡ଼ିକ ସ୍ପତିସ୍ପର୍ଦ୍ଧା ପ୍ରତି ଏହା ବାଧକ ସୃଷ୍ଟି କରୁଥିବା ଅଭିଯୋଗରେ କମ୍ପାନି କହିଛନ୍ତି । ଅନ୍ୟ ପଟେ ଆମେରିକା ଭାରତ ଉପରେ ଅତ୍ୟଧିକ ଟିକସ ଲଗାଇଛି । କାରଣ ଇଣ୍ଡୋନେସିଆ ଉପରେ ୩୫% ଏବଂ ଲାଓସ ଉପରେ ୨୨% ଆଣ୍ଟିଡମ୍ପିଂ ଟିକସ ଲାଗିଛି । ଭାରତୀୟ କମ୍ପାନି ଗୁଡ଼ିକ ତଦନ୍ତ ବେଳେ ଠିକ୍ ତଥ୍ୟ ପ୍ରଦାନ କରି ନ ଥିବା ମଧ୍ୟ ଅଭିଯୋଗ ଆସିଛି । ପୂର୍ବରୁ ଭାରତ ଉପରେ ଆମେରିକା ୧୨୫.୮୭% କାଉଣ୍ଟର ଭେଲିଂ ଡ୍ୟୁଟି(ସିଭିଡି) ଲାଗୁ କରିଥିଲା । ଫଳରେ ମିଳିତ ଭାବେ ଟାରିଫ ୨୦୦% ଟପିଛି ।

ଫଳରେ ଆମେରିକା କ୍ରେତା ମାନେ ଏହା ଦ୍ୱାରା ଭାରତୀୟ ସୋଲାର ସାମଗ୍ରୀ କ୍ରୟ ଠାରୁ ବିରତ ହେଉଛନ୍ତି । ସୁଚନା ମୁତାବକ, ଗତ କିଛି ବର୍ଷ ହେବ ଆମେରିକା ଏ କ୍ଷେତ୍ରରେ ଭାରତୀୟ ସାମଗ୍ରୀ ଗୁଡ଼ିକର ଆମଦାନି ବଢ଼ାଇଛି । ୨୦୨୨ରେ ଆମେରିକା ଭାରତରୁ ୨୩୨ ନିୟୁତ ୱାଟର ସୌର ଯନ୍ତ୍ରାଂଶ ଆମଦାନି କରିଥିଲା । ଯାହା ୨୦୨୪ରେ ୨.୩ ବିଲିୟନ ୱାଟ୍‌କୁ ବଢ଼ିଛି । ଏଭଳି ସ୍ଥିତିରେ ଭାରତୀୟ ସାମଗ୍ରୀ ଗୁଡ଼ିକର ପ୍ରବେଶକୁ ରୋକିବା ଦିଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ବିଶେଷଜ୍ଞ । ବର୍ତ୍ତମାନ ଲାଗିଥିବା ଆଣ୍ଟିଂ ଡମ୍ପିଂ ଟିକସ ପ୍ରାଥମିକ ହୋଇଥିବା ବେଳେ ଆମେରିକା ବାଣିଜ୍ୟ ବିଭାଗ ଜୁଲାଇ ସୁଦ୍ଧା ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ । ଏହି ନିଷ୍ପତ୍ତି ବିରୋଧରେ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବାକୁ ଭାରତୀୟ ବ୍ୟବସାୟୀ ମାନେ ପ୍ରସ୍ତୁତ ହେଉଛନ୍ତି । ଏଭଳି ସ୍ଥିତିରେ ଭାରତୀୟ ରପ୍ତାନିକାରୀମାନେ ୟୁରୋପ, ମଧ୍ୟପ୍ରାଚ୍ୟ, ଦକ୍ଷିଣ ଏସିଆ ଭଳି ବିକଳ୍ପ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ଆହୁରି ପଢ଼ନ୍ତୁ...War Effect : ମଧ୍ୟପ୍ରାଚ୍ୟ ଯୋଗାଣ ସଙ୍କଟ ଯୋଗୁ ୨୦ରୁ ୬୦% ଯାଏ ବଢ଼ିଲାଣି ସାମଗ୍ରୀ ଦର, ଆଗକୁ ଆହୁରି ବଢିବ