ନୂଆଦିଲ୍ଲୀ, ୧୮/୦୬ : ଆମେରିକା-ଇରାନ ଯୁଦ୍ଧରେ ଯବନିକା ପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଉଭୟ ଦେଶର ରାଷ୍ଟ୍ରପତି ଡିଜିଟାଲ୍ ସ୍ଵାକ୍ଷର କରିଛନ୍ତି। ଯୁଦ୍ଧ ଶେଷ ଓ ହୋର୍ମୁଜ ପ୍ରଣାଳୀ ଖେଳିବା ନେଇ ଏମଓୟୁ ହୋଇଛି। ଇରାନର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ରୋକ୍ ଲଗାଯାଇଛି। ତେବେ ଜାଣନ୍ତୁ ୧୪ ସୂତ୍ରୀ ବୁଝାମଣାପତ୍ରରେ କଣ ରହିଛି...

୧୪ ସୂତ୍ରୀ ବୁଝାମଣାପତ୍ର-

୧- ଆମେରିକା, ଇରାନ ଏବଂ ଯୁଦ୍ଧରେ ସାମିଲ ଥିବା ସେମାନଙ୍କର ସହଯୋଗୀମାନେ ଲେବାନନ୍ ସମେତ ସମସ୍ତ ମୋର୍ଚ୍ଚାରେ ସାମରିକ କାର୍ଯ୍ୟକଳାପର ତୁରନ୍ତ ସ୍ଥାୟୀ ସମାପ୍ତ ନେଇ ଘୋଷଣା କରିବେ। ଉଭୟ ପକ୍ଷ ପରସ୍ପର ବିରୁଦ୍ଧରେ ଯୁଦ୍ଧ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ନାହିଁ। ବଳ ପ୍ରୟୋଗ କିମ୍ବା ଧମକ ଦେବାରୁ ବିରତ ରହିବେ। ଲେବାନନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ସୁନିଶ୍ଚିତ କରିବେ। 

୨-ଆମେରିକା ଏବଂ ଇରାନ ପରସ୍ପରର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରିବେ। ପରସ୍ପରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବେ ନାହିଁ।

୩-ଉଭୟ ଦେଶ ୬୦ ଦିନ ମଧ୍ୟରେ ଏକ ଚୂଡ଼ାନ୍ତ ଚୁକ୍ତିନାମା ଉପରେ ଆଲୋଚନା କରିବାକୁ ଚେଷ୍ଟା କରିବେ। ପାରସ୍ପରିକ ସହମତି ଦ୍ୱାରା ଏହି ଅବଧିକୁ ବୃଦ୍ଧି କରାଯାଇପାରିବ।

୪-ଏମଓୟୁ ସ୍ୱାକ୍ଷର କରିବା ପରେ ଆମେରିକା ଇରାନ ବିରୁଦ୍ଧରେ ଏହାର ନୌସେନା ଅବରୋଧ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଉଠାଇବା ପ୍ରକ୍ରିୟା ଆରମ୍ଭ କରିବ। ୩୦ ଦିନ ମଧ୍ୟରେ ଅବରୋଧକୁ  ସମ୍ପୂର୍ଣ୍ଣ ଉଠାଯିବ। ଏହି ସମୟ ମଧ୍ୟରେ, ଅବାଧ ଜାହାଜ ଯାତାୟାତ କରିବ। ଚୂଡ଼ାନ୍ତ ଚୁକ୍ତିନାମାର ୩୦ ଦିନ ମଧ୍ୟରେ ଆମେରିକା ଇରାନ ସଂଲଗ୍ନ ଅଞ୍ଚଳଗୁଡ଼ିକରୁ ମଧ୍ୟ ଏହାର ସାମରିକ ଉପସ୍ଥିତି ପ୍ରତ୍ୟାହାର କରିବ।

୫- ପାରସ୍ୟ ଉପସାଗର ଏବଂ ଓମାନ ସାଗର ମଧ୍ୟରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ୬୦ ଦିନ ପାଇଁ ମୁକ୍ତ ଏବଂ ସୁରକ୍ଷିତ ପଥ ପ୍ରଦାନ କରିବା ପାଇଁ ଇରାନ ଆବଶ୍ୟକୀୟ ବ୍ୟବସ୍ଥା କରିବ। ବୈଷୟିକ ଏବଂ ସାମରିକ ପ୍ରତିବନ୍ଧକ ଦୂର କରିବା ସହ ମାଇନିଂ ମୁକ୍ତ କରି ୩୦ ଦିନ ମଧ୍ୟରେ ସାଧାରଣ ବାଣିଜ୍ୟିକ ଯାତାୟାତ ପୁନଃସ୍ଥାପିତ ହେବ। ତତ୍କାଳ ହୋର୍ମୁଜ୍ ପ୍ରଣାଳୀ ଖୋଲାଯିବ। ଆନ୍ତର୍ଜାତୀୟ ଆଇନ ଏବଂ ପାରସ୍ୟ ରାଜ୍ୟଗୁଡ଼ିକର ସାର୍ବଭୌମ ଅଧିକାର ଅନୁଯାୟୀ, ହୋର୍ମୁଜ୍ ପ୍ରଣାଳୀର ଭବିଷ୍ୟତ ପରିଚାଳନା ଏବଂ ସାମୁଦ୍ରିକ ସେବା ଉପରେ ଇରାନ ଓମାନ ଏବଂ ଅନ୍ୟାନ୍ୟ ପାରସ୍ୟ ଉପସାଗରୀୟ ଦେଶଗୁଡ଼ିକ ସହିତ ଆଲୋଚନା କରିବ।

୬-ଆମେରିକା, ଏହାର ଆଞ୍ଚଳିକ ଅଂଶୀଦାରମାନଙ୍କ ସହଯୋଗରେ, ଇରାନର ପୁନଃନିର୍ମାଣ ଏବଂ ଆର୍ଥିକ ବିକାଶ ପାଇଁ ୩୦୦ ଅରବ ଡଲାରର ଯୋଜନା ପ୍ରସ୍ତୁତ କରିବ। ଚୂଡ଼ାନ୍ତ ଚୁକ୍ତିର ୬୦ ଦିନ ମଧ୍ୟରେ ଏହି ଯୋଜନା ଲାଗୁ କରିବାକୁ ବ୍ୟବସ୍ଥା କରାଯିବ। ଆମେରିକା ଆବଶ୍ୟକୀୟ ଆର୍ଥିକ କାରବାର ପାଇଁ ସମସ୍ତ ଆବଶ୍ୟକୀୟ ଲାଇସେନ୍ସ, ଛାଡ଼ କରିବ।

୭-ଆମେରିକା ଚୂଡ଼ାନ୍ତ ଚୁକ୍ତିରେ ଇରାନ ଉପରେ ଲାଗୁ ହୋଇଥିବା ସମସ୍ତ ପ୍ରତିବନ୍ଧକକୁ କୋହଳ କରିବ। ଏଥିରେ ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ, IAEA ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ପ୍ରସ୍ତାବ ଏବଂ ଆମେରିକାର ପ୍ରାଥମିକ ଏବଂ ଦ୍ୱିତୀୟ ଏକପାକ୍ଷିକ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ ହେବ। 

୮- ଇରାନ ପୁନର୍ବାର କହିଛି ଯେ ସେ ପରମାଣୁ ଅସ୍ତ୍ର ହାସଲ କରିବ ନାହିଁ କିମ୍ବା ବିକାଶ କରିବ ନାହିଁ। IAEA ତତ୍ତ୍ୱାବଧାନରେ ସମୃଦ୍ଧ ୟୁରାନିୟମକୁ ନଷ୍ଟ କରାଯିବ। ଏକ ଚୂଡ଼ାନ୍ତ ଚୁକ୍ତିନାମା ନହେବା ପର୍ଯ୍ୟନ୍ତ ଇରାନ ତାର ପରମାଣୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ ନାହିଁ।

୯- ଏକ ଚୂଡ଼ାନ୍ତ ଚୁକ୍ତିନାମା ନହେବା ପର୍ଯ୍ୟନ୍ତ ଦୁଇ ଦେଶ ସ୍ଥିତାବସ୍ଥା ବଜାୟ ରଖିବେ। ଇରାନ ତାର  ପରମାଣୁ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରିବ ନାହିଁ, ଏବଂ ଆମେରିକା କୌଣସି ନୂତନ ପ୍ରତିବନ୍ଧକ ଲଗାଇବ ନାହିଁ କିମ୍ବା ଅତିରିକ୍ତ ସାମରିକ ବାହିନୀ ମୁତୟନ କରିବ ନାହିଁ।

୧୦-ଏମଓୟୁ ସ୍ୱାକ୍ଷର ହେବା ପରେ ଏବଂ ପ୍ରତିବନ୍ଧକ ଉଠାଇବା ପର୍ଯ୍ୟନ୍ତ, ଆମେରିକାର ଅର୍ଥ ବିଭାଗ ଇରାନର ଅଶୋଧିତ ତୈଳ, ପେଟ୍ରୋଲିୟମ ଉତ୍ପାଦ ଏବଂ ସମ୍ବନ୍ଧିତ ସେବାର ରପ୍ତାନି ପାଇଁ ଆବଶ୍ୟକ ଛାଡ଼ ଦେବ। ଏଥିରେ ବ୍ୟାଙ୍କିଂ, ବୀମା ଏବଂ ପରିବହନ ଭଳି ସମ୍ବନ୍ଧିତ ସେବା ମଧ୍ୟ ଅନ୍ତର୍ଭୁକ୍ତ ହେବ।

୧୧-ଆମେରିକା ଇରାନରୁ ଜମା କିମ୍ବା ଜବତ କରିଥିବା ଯେକୌଣସି ପାଣ୍ଠି କିମ୍ବା ସମ୍ପତ୍ତି ଫେରାଇବ। ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏହି ପରିମାଣରୁ ଖର୍ଚ୍ଚ କରିପାରିବ। ଆମେରିକା ଅଶୋଧିତ ତୈଳ, ପେଟ୍ରୋଲିୟମ ଉତ୍ପାଦ ଏବଂ ସମ୍ବନ୍ଧିତ ବ୍ୟାଙ୍କିଂ ଏବଂ ବୀମା ସେବାର ରପ୍ତାନି ପାଇଁ ଇରାନକୁ ତୁରନ୍ତ ଛାଡ଼ କରିବ।

୧୨-ଆମେରିକା ଏବଂ ଇରାନ ସହମତ ହୋଇଛନ୍ତି ଯେ ଏମଓୟୁର ସଫଳ କାର୍ଯ୍ୟକାରିତା ଏବଂ ଭବିଷ୍ୟତର ଚୂଡ଼ାନ୍ତ ଚୁକ୍ତିନାମାର ପାଳନ ତଦାରଖ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ।

୧୩-ଏମଓୟୁ ସ୍ୱାକ୍ଷର ଏବଂ ଏହାର ଅନୁଚ୍ଛେଦ ୧, ୪, ୫, ୧୦ ଏବଂ ୧୧ କାର୍ଯ୍ୟକାରୀ ହେବା ପରେ,  ଦୁଇ ଦେଶ ଚୂଡ଼ାନ୍ତ ଚୁକ୍ତିନାମାର ଅବଶିଷ୍ଟ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଆଲୋଚନା ଆରମ୍ଭ କରିବେ।

୧୪-ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ର ଏକ ବାଧ୍ୟତାମୂଳକ ପ୍ରସ୍ତାବ ମାଧ୍ୟମରେ ଚୂଡ଼ାନ୍ତ ଚୁକ୍ତିନାମାକୁ ଅନୁମୋଦନ କରାଯିବ।

ଆହୁରି ପଢନ୍ତୁ- ଆମେରିକା-ଇରାନ ଯୁଦ୍ଧ ଶେଷ, ପ୍ୟାରିସରେ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ, ତେହରାନର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ଲାଗିଲା ରୋକ୍