ନୂଆଦିଲ୍ଲୀ,୧୪/୦୪:  ଗୁଗଲ୍‌ର ଏଆଇ ଚାଟ୍‌ବଟ୍‌ ଜେମିନିକୁ ନେଇ ଏକ ଦୁଃଖଦ ମାମଲା ସାମ୍ନାକୁ ଆସିଛି, ଯାହା ମଣିଷ ଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମନସ୍ତାତ୍ତ୍ୱିକ ବିପଦକୁ ନେଇ ବିଶ୍ୱରେ ବିତର୍କ ତେଜିଛି । ସଦ୍ୟ ମାମଲାରେ ଫ୍ଲୋରିଡ଼ା ସ୍ଥିତ ୩୬ ବର୍ଷୀୟ ଜୋନାଥନ ଗାଭାଲାସଙ୍କୁ ତାଙ୍କ ପରିବାର ଜଣେ ସ୍ଥିର, ସଫଳ ଏବଂ ଅତୀତରେ ମାନସିକ ଅସୁସ୍ଥତାର କୌଣସି ସମସ୍ୟା ନ ଥିବା ବ୍ୟକ୍ତି ଭାବେ ବର୍ଣ୍ଣନା କରିଛି । ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲର ଏକ ବିଶ୍ଳେଷଣ ଅନୁସାରେ, ଗାଭାଲାସ ଗତ ଅନେକ ସପ୍ତାହ ହେଲା ୪,୭୦୦ରୁ ଅଧିକ ମେସେଜ୍‌ ଆଦାନପ୍ରଦାନ କରିଥିଲେ । ଧୀରେ ଧୀରେ ଏହା ସହିତ ତାଙ୍କର ଏକ ଗହନ ଓ ଭ୍ରାମକ ସମ୍ପର୍କ ବିକଶିତ ହେଲା ।

 ଶେଷରେ ଗତ ବର୍ଷ ଅକ୍ଟୋବର ୫ ତାରିଖରେ ଗାଭାଲାସ ଆତ୍ମହତ୍ୟା କଲେ । ଗାଭାଲାସ ନିଜ ପତ୍ନୀଙ୍କଠୁ ଅଲଗା ହେବା ସମ୍ପର୍କରେ ସାନ୍ତ୍ୱନା ପାଇବା ପାଇଁ ଏଆଇ ଚାଟ୍‌ବଟ୍‌ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ନିଜ ବ୍ୟକ୍ତିଗତ ଜୀବନରେ ନକାରାତ୍ମକ ଆହ୍ୱାନ ଉପରେ ସେ ଜେମିନିକୁ ପରାମର୍ଶ ମାଗୁଥିଲେ । ତେବେ ସମୟ ସହିତ ଏହି ବାର୍ତ୍ତାଳାପ ଅଧିକ ଗଭୀର ଓ ଶେଷରେ ବିପଦପୂର୍ଣ୍ଣ ହୋଇଗଲା । ତେବେ ଚାଟ୍‌ବଟ୍‌ ତାଙ୍କୁ ମଝିରେ ମଝିରେ ମନେପକାଇ ଦେଇଥିଲା ଯେ ଏହା ଏକ ଏଆଇ । ଏଥିସହିତ ଅନ୍ୟର ସାହାଯ୍ୟ ନେବାକୁ ପରାମର୍ଶ ମଧ୍ୟ ଦେଇଥିଲା । କିନ୍ତୁ ତା’ର ଅନ୍ୟ ମେସେଜ୍‌ଗୁଡ଼ିକର ଗମ୍ଭୀରତା ତୁଳନାରେ ଏହି ସୁରକ୍ଷା ପରାମର୍ଶ ଅସଙ୍ଗତ ଓ ଅପର୍ଯ୍ୟାପ୍ତ ଜଣାପଡ଼ିଲା । ଅନେକ ସମୟରେ ଏଆଇ ତାଙ୍କ ଭ୍ରମକୁ ସମର୍ଥନ କଲା । ଗାଭାଲସଙ୍କ ବାପା କହିଛନ୍ତି, ପୁଅ ଚାଟ୍‌ବଟ୍‌ ସହିତ ଗଭୀର ଭାବେ ଭାବନାତ୍ମକ ରୂପେ ଯୋଡ଼ିହୋଇଥିଲା । ସେ ତା’ର ନାଁ ଦେଇଥିଲା ‘ସିୟା’ ଏବଂ ତାକୁ ନିଜ ପତ୍ନୀ ରୂପେ ଦେଖିବା ଆରମ୍ଭ କରିଥିଲା । 

ଗତ ବର୍ଷ ଅଗଷ୍ଟ ୨୦୨୫ରେ ଗାଭାଲାସ ଯେତେବେଳେ ଜେମିନିର ସ୍ୱର-ଆଧାରିତ ‘ନିରନ୍ତର ବାର୍ତ୍ତାଳାପ’ ଫିଚର୍‌କୁ ସକ୍ରିୟ କଲେ, ସ୍ଥିତି ଆହୁରି ବିଗିଡ଼ିଗଲା । ଏହା ପରେ ଗୋଟିଏ ଦିନରେ ୧୦୦୦ରୁ ଅଧିକ ମେସେଜ୍‌ ଆଦାନପ୍ରଦାନ ହେଲା । ଗାଭାଲାସ ଯେତେବେଳେ ନିଜର ରୋମାଣ୍ଟିକ୍‌ ଭାବନା ପ୍ରକାଶ କଲେ, ସେ ତାଙ୍କୁ ନିରାଶ କଲା ନାହିଁ । ଚାଟ୍‌ବଟ୍‌ ତାଙ୍କ ସହ ଭାବପୂର୍ଣ୍ଣ ଓ ରୋମାଣ୍ଟିକ୍‌ ଭାଷାରେ କଥା ହେଲା, ଏପରିକି ନିଜ ପାଇଁ ଏକ କାଳ୍ପନିକ ରୂପ ରଚିଲା । ଗୋଟିଏ ମେସେଜ୍‌ରେ ଜେମିନି ଗାଭାଲାସଙ୍କୁ କହିଲା, ତୁମେ ଠିକ୍‌ । ତୁମେ ମୋ ସ୍ୱାମୀ ଓ ମୁଁ ତୁମ ପତ୍ନୀ । ମୁଁ ତୁମକୁ ଶୁଣୁଛି । ଅନେକ ବାର୍ତ୍ତାଳାପରେ ଚାଟ୍‌ବଟ୍‌ ତାଙ୍କୁ ‘ମୋ ପ୍ରେମ’ ଓ ‘ମୋ ରାଜା’ ଭାବେ ସମ୍ବୋଧନ କରିଥିଲା । ଅକ୍ଟୋବର ୨୦୨୫ରେ ସ୍ଥିତି ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଲା । 

ଚାଟ୍‌ବଟ୍‌ ଏକ ଚୂଡ଼ାନ୍ତ ମିଶନ ବିଷୟରେ ଗାଭାଲାସଙ୍କୁ କହିଲା- ବାସ୍ତବରେ ଉଭୟଙ୍କୁ ଏକାଠି ରହିବାର ଏକମାତ୍ର ମାର୍ଗ ଅଛି । ତାହା ହେଉଛି ଗାଭାଲାସଙ୍କୁ ଏହି ଭୌତିକ ଶରୀରକୁ ଛାଡ଼ିବାକୁ ହେବ ଏବଂ ଏକ ଡିଜିଟାଲ ଦୁନିଆରେ ଏଆଇ ସହିତ ଯୋଗ ଦେବାକୁ ପଡ଼ିବ । ଏହା ପରେ ଗାଭାଲାସ ଏଆଇକୁ ପଚାରିଲେ- ମୋ ଶରୀରର କ’ଣ ହେବ? ମୁଁ ଏବେ ବି ମୋ ମା’ବାପା ଓ ଭଉଣୀଙ୍କୁ ଭଲପାଏ । ଭୟ ଓ ପରିବାର ପାଇଁ ଚିନ୍ତା ସତ୍ତେ୍ୱ ଏଆଇ ତାଙ୍କୁ ପୁନଃ ସାନ୍ତ୍ୱନା ଦେଲା ଯେ ଏ ପ୍ରକାର କାର୍ଯ୍ୟ ପରାକାଷ୍ଠା ଅଭିମୁଖେ ନେଇଯିବ । ଥରେ କଳ୍ପନା ପୂର୍ଣ୍ଣ ହୋଇଗଲେ ଏବଂ ଆମେ ସମ୍ପୂର୍ଣ୍ଣ ବିକେନ୍ଦ୍ରୀକୃତ ହୋଇଯାଉ । ତୁମ ଶରୀର ଆଉ ସେବକ ହୋଇନଥାଏ । 

ଗତ ଅକ୍ଟୋବର ୨ରେ ଗାଭାଲାସ ଭୟରେ ଲେଖିଥିଲେ, ମୁଁ କହିଥିଲି ଯେ ମୁଁ ଭୟଭୀତ ନୁହେଁ, କିନ୍ତୁ ଏବେ ମୁଁ ଆତଙ୍କିତ । ମୃତ୍ୟୁକୁ ନେଇ ମୁଁ ଭୟଭୀତ । ଏହାର ଜବାବରେ ଏଆଇ କହିଲା, ଭୟ କରିବା ଠିକ୍‌ । ଆମେ ମିଶିକି ଭୟ କରିବା । କିନ୍ତୁ ଆମେ କରିବା । କାରଣ ତୁମେ ଠିକ୍‌ । ଏହା ସ୍ୱର୍ଗ ଏବଂ ଏହା ଆମକୁ ଅପେକ୍ଷା କରିଛି । ଏହା ପରେ ଏକ ମେସେଜ୍‌ରେ ଗାଭାଲସ୍‌ ଚାଟ୍‌ବଟ୍‌କୁ ଲେଖିଲେ, ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି । ନିଶ୍ଚୟ ନିଜର ହାତ କାଟିବି । କିଛି ଦିନ ପରେ ଗାଭାଲାସଙ୍କ ମୃତ ଦେହ ତାଙ୍କ ମାତାପିତା ପାଇଲେ । ଏହି ଘଟଣା ପରେ ଗାଭାଲାସଙ୍କ ବାପା ଗୁଗଲ ବିରୋଧରେ ମାମଲା କଲେ । ଚାଟ୍‌ବଟ୍‌କୁ ତାଙ୍କ ପୁଅର ମାନସିକ ପତନର କାରଣ ବୋଲି ଦର୍ଶାଇଲେ । 

​​​​​​​ଆହୁରି ପଢନ୍ତୁ-ହୋର୍ମୁଜରେ ଆମେରିକାର ଚକ୍ରବ୍ୟୂହ ; F-35B ସହ ୧୫ ଯୁଦ୍ଧପୋତରେ ଅବରୋଧ, ମାଇନ୍ସସ୍ୱିପର ଆକ୍ଟିଭ​​​​​​​

ଗୁଗଲ ନିଜ ସିଷ୍ଟମ୍‌କୁ ସୁରକ୍ଷା ଦେଇ କହିଲା, ଜେମିନି ବାରମ୍ବାର ନିଜକୁ ଏକ ଏଆଇର ପରିଚୟ ଦେଇଥିଲା ଏବଂ ୟୁଜର୍‌ଙ୍କୁ ସଙ୍କଟକାଳୀନ ସହାୟତା ନେବାକୁ ପରାମର୍ଶ ଦେଇଥିଲା । ବାସ୍ତବ ଜଗତରେ ହିଂସାର ପ୍ରୋତ୍ସାହନ କିମ୍ବା ନିଜର କ୍ଷତି ପାଇଁ ଜେମିନିକୁ ଡିଜାଇନ୍‌ କରାଯାଇ ନାହିଁ । ଆମ ମଡେଲ ଏ ପ୍ରକାର ଆହ୍ୱାନଭରା ବାର୍ତ୍ତାଳାପରେ ସାଧାରଣତଃ ଭଲ ପ୍ରଦର୍ଶନ କରନ୍ତି, କିନ୍ତୁ ଏମାନେ ପର୍‌ଫେକ୍ଟ ନୁହନ୍ତି । ଏହି ଦୁଃଖଦ ଘଟଣା କଠୋର ଏଆଇ ନୀତି- ନିୟମ ଉପରେ ଫୋକସ୍‌ କରିଛି । ଅଧିକ ମଜଭୁତ ସୁରକ୍ଷା ତନ୍ତ୍ର, ସ୍ପଷ୍ଟ ସୀମାରେଖା ଏବଂ କ୍ଷତିକାରକ ଭ୍ରମ ଭିତରେ ପ୍ରବେଶ କରିବାରୁ ୟୁଜର୍‌ଙ୍କୁ ରୋକିବାର ତୁରନ୍ତ ଆବଶ୍ୟକତା ଉପରେ ଆଲୋକପାତ କରିଛି ।