ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ରବିବାର ଘୋଷଣା କରିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ୟୁକ୍ରେନକୁ ଟୋମାହକ୍ କ୍ଷେପଣାସ୍ତ୍ର ଯୋଗାଇବା ବିଷୟରେ ବିଚାର କରୁଛି। ଟୋମାହକ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୫୦୦ କିଲୋମିଟର। ଯଦି ୟୁକ୍ରେନ ଏହି କ୍ଷେପଣାସ୍ତ୍ର ପାଏ, ତେବେ ଏହା ରୁଷର ରାଜଧାନୀ ମସ୍କୋକୁ ଟାର୍ଗେଟ କରିପାରିବ। ଭାନ୍ସ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ଚୁକ୍ତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସେ କହିଛନ୍ତି, ‘ଆମେ ୟୁରୋପୀୟ ଦେଶମାନଙ୍କ ଅନେକ ଦାବି ଉପରେ ବିଚାର କରୁଛୁ।’ ଗତ ସପ୍ତାହରେ, ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଆମେରିକାକୁ ଟୋମାହକ୍ କ୍ଷେପଣାସ୍ତ୍ର ଯୋଗାଇବାକୁ ଦାବି କରିଥିଲେ  । ସେ କହିଥିଲେ ଯେ, ଏହା ରୁଷକୁ ଶାନ୍ତି ଆଲୋଚନା ପାଇଁ ବାଧ୍ୟ କରିପାରିବ।

ଆମେରିକା ଏହାକୁ ପ୍ରଥମେ ୟୁରୋପକୁ ବିକ୍ରୟ କରିବ । ତା'ପରେ ୟୁକ୍ରେନ ଏହି ମିସାଇଲ୍‌ ପାଇବ ବୋଲି କୁହାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରମ୍ପ ପ୍ରଥମେ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଣକୁ ବିରୋଧ କରୁଥିଲେ । କିନ୍ତୁ ରୁଷ ରାଷ୍ଟ୍ରପତି ପୁଟିନ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ମନା କରିବା ପରେ ଟ୍ରମ୍ପ କ୍ଷୁବ୍ଧ ହୋଇଉଠିଛନ୍ତି । ୟୁକ୍ରେନକୁ ସିଧାସଳଖ ଟୋମାହକ ଯୋଗାଣ ପରିବର୍ତ୍ତେ, ଆମେରିକା ସେଗୁଡ଼ିକୁ ନାଟୋ ଦେଶଗୁଡ଼ିକୁ ବିକ୍ରୟ କରିବ । ଯେଉଁମାନେ ପରେ ସେଗୁଡ଼ିକୁ ୟୁକ୍ରେନକୁ ଯୋଗାଇବେ । 

ସେପଟେ ରୁଷ ଭାନ୍ସଙ୍କ ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛି ।  କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ, କ୍ଷେପଣାସ୍ତ୍ରଗୁଡ଼ିକ ଯୁଦ୍ଧକ୍ଷେତ୍ରରେ କୌଣସି ବଡ଼ ପରିବର୍ତ୍ତନ ଆଣିବ ନାହିଁ । କିନ୍ତୁ ପ୍ରଶ୍ନ ଉଠିବ ଯେ,  ଲକ୍ଷ୍ୟ ନିର୍ଣ୍ଣୟ କିଏ କରିବ ଆମେରିକା ନା ୟୁକ୍ରେନ । ରୁଷ ଏହା ମଧ୍ୟ କହିଛି ଯେ, ଟୋମାହକ୍ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବା ପାଇଁ ଏହାର ଏକ ଦୃଢ଼ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଅଛି। ରୁଷ ସାମରିକ ବିଶେଷଜ୍ଞ ୟୁରି ନୁଟୋଭ ଚେତାବନୀ ଦେଇଛନ୍ତି, ଟ୍ରମ୍ପଙ୍କ ନିଷ୍ପତ୍ତି ମସ୍କୋ ଏବଂ ୱାଶିଂଟନ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିବ। ପୁଟିନ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ, ରୁଷ ବିରୁଦ୍ଧରେ ପାଶ୍ଚାତ୍ୟ ଅସ୍ତ୍ର ବ୍ୟବହାରକୁ ନାଟୋ ଦ୍ୱାରା ‘ପ୍ରତ୍ୟକ୍ଷ ସମ୍ପୃକ୍ତି’ ବୋଲି ବିବେଚନା କରାଯିବ। ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳ ଟୋମାହକ୍ କ୍ଷେପଣାସ୍ତ୍ର ପରିସର ମଧ୍ୟରେ ଆସିବ ।

ଟୋମାହକ୍ କ୍ଷେପଣାସ୍ତ୍ରଗୁଡ଼ିକ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ସାମରିକ ଘାଟି, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଲଜିଷ୍ଟିକ୍ସ ହବ୍‌ଗୁଡ଼ିକୁ ଟାର୍ଗେଟ କରିପାରିବ। ଏହି କ୍ଷେପଣାସ୍ତ୍ରଗୁଡ଼ିକର ଦୂରତା ୟୁକ୍ରେନର  ATACMS କ୍ଷେପଣାସ୍ତ୍ର (୩୦୦ କିଲୋମିଟର ଦୂରତା) ତୁଳନାରେ ବହୁତ ଅଧିକ। ତଥାପି, ଏଗୁଡ଼ିକୁ ପରିଚାଳନା କରିବା ପାଇଁ ବିଶେଷଜ୍ଞ ଲଞ୍ଚର ଏବଂ ତାଲିମ ଆବଶ୍ୟକ। ଆମେରିକାର କିଛି ପୁରୁଣା ଟୋମାହକ୍ ଲଞ୍ଚର ଅଛି ଯାହାକୁ ରୁଷ ବିରୁଦ୍ଧରେ ବ୍ୟବହାର କରାଯାଇପାରିବ।