ନୂଆଦିଲ୍ଲୀ,୦୬/୦୪: ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ଓ ତାର ଫଳାଫଳକୁ  ନେଇ ସମଗ୍ର ବିଶ୍ୱ ଚିନ୍ତିତ ହୋଇପଡିଥିଲା ବେଳେ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ନେଇ ଟ୍ରମ୍ପ  ପ୍ରଶାସନ ଏକ ବଡ ପଦକ୍ଷେପ ନେଇଛନ୍ତି ।  ପେଣ୍ଟାଗନ ପକ୍ଷରୁ ଭାରତ ମହାସାଗର ଅଞ୍ଚଳରେ ସବୁଠାରୁ ଘାତକ ଲଢ଼ୁଆ ବିମାନ ବି-୨  ବମ୍ବର ମୁତୟନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।  ଏଥିସହ ଭାରତ ମହାସାଗର ଓ ଭାରତ-ପ୍ରଶାନ୍ତ  ମହାସାଗର ଅଞ୍ଚଳକୁ ୩ଟି ବିମାନବାହୀ ଯୁଦ୍ଧଜାହାଜ  ପଠାଇବାକୁ କୁହାଯାଇଛି । ଏହି ନିର୍ଦ୍ଦେଶ ପରେ ଭାରତ ମହାସାଗରରେ ଥିବା ଆମେରିକା  ଓ ବ୍ରିଟେନର ସଂଯୁକ୍ତ ବିମାନ ଘାଟି ଡିଏଗୋ ଗାର୍ସିଆରେ ୬ଟି ବି-୨ ବମ୍ବର ମୁତୟନ କରାଯାଇଛି । ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ଭାବେ ଜଣାପଡିଛି । 

ଆମେରିକା ନିକଟରେ ମୋଟ ୨୦ଟି ବି-୨ ବମ୍ବର  ରହିଛି । ଏହା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧବିମାନ ଭାବେ ପରିଚିତ । ସେଥିରୁ ୬ଟିକୁ ଭାରତ ମହାସାଗର ଅଞ୍ଚଳରେ ମୁତୟନ କରାଯାଇଛି । ଯାହାକି ବି-୨ ବମ୍ବର  ଫ୍ଲିଟର ୩୦ ପ୍ରତିଶତ । ଏହା ଆମେରିକାର ଏକ ବଡ ରଣନୀତିକ ପଦକ୍ଷେପକୁ ଦର୍ଶାଉଛି । 

ସେହିଭଳି  ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସାମରିକ ଶକ୍ତି ବଢ଼ାଇବାକୁ ମଧ୍ୟ ଆମେରିକା ନିଷ୍ପତ୍ତି ନେଇଛି । ସେଠାରେ  ବର୍ତ୍ତମାନ ଗୋଟିଏ ବିମାନବାହୀ ଯୁଦ୍ଧଜାହାଜ ରହିଥିଲା  ବେଳେ ଏହି ସଂଖ୍ୟା ୩କୁ ବଢ଼ାଇବା ଲାଗି କୁହାଯାଇଛି ।  ସେଥିରୁ ୨ଟି ଭାରତ ମହାସାଗର ଓ ଗୋଟିଏ ଦକ୍ଷିଣ  ଚୀନ୍‌ ସାଗର ସଂଲଗ୍ନ ପଶ୍ଚିମ ପ୍ରଶାନ୍ତ ମହାସାଗର  ଅଞ୍ଚଳରେ ମୁତୟନ କରାଯିବ । ଏଥିସହ ମଧ୍ୟପ୍ରାଚ୍ୟକୁ ଆମେରିକାର ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ କାର୍ଲ ଭିନସନ  ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଆରବ  ସାଗରରେ ଅନ୍ୟତମ ଯୁଦ୍ଧଜାହାଜ ୟୁଏସ୍‌ଏସ୍‌ ହାରି  ଏସ୍‌ ଟ୍ରୁମାନ ପୂର୍ବଭଳି ନିୟୋଜିତ ରହିବ । ସେହିଭଳି  ତୃତୀୟ ବିମାନବାହୀ ଯୁଦ୍ଧଜାହାଜ ୟୁଏସ୍‌ଏସ ନିମିଜ୍‌  ଓ ତାର କ୍ୟାରିୟର ଷ୍ଟ୍ରାଇକ ଗ୍ରୁପକୁ ଦକ୍ଷିଣ ଚୀନ୍‌  ସାଗରକୁ ପଠାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । 

ଏସିଆ ମହାଦେଶ ପାଇଁ ଆମେରିକାର ରଣନୀତି ଏତିକିରେ ଶେଷ ହେଉନାହିଁ । ବର୍ତ୍ତମାନ ଯେଉଁସବୁ ଅଞ୍ଚଳରେ ଆମେରିକାର ସୈନ୍ୟ ଓ ସାମରିକ ଉପକରଣ ନିୟୋଜିତ ରହିଛି ସେଠାରେ ତାର ସଂଖ୍ୟା ବଢ଼ାଇବାକୁ ପ୍ରତିରକ୍ଷା ସଚିବ ପିଟର ହେଗ୍‌ସେଥ ନିର୍ଦ୍ଦେଶ ଦେଇଥିବା ପେଣ୍ଟାଗନର  ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ  ହଠାତ୍‌ ଏଭଳି ପଦକ୍ଷେପ ସମ୍ପର୍କରେ ଉକ୍ତ ଅଧିକାରୀ  ଜଣକ କହିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ ଆମେରିକାର ସାମରିକ ସ୍ଥିତି ମଜଭୁତ କରିବା ଲାଗି ଏହା କରାଯାଉଛି ।  ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ରମାନେ ନିରାପତ୍ତା  ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଚାହାନ୍ତି । କୌଣସି ପ୍ରକାର  ଆହ୍ୱାନର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ମଧ୍ୟ ଅଛନ୍ତି ।

ଆମେରିକୀୟଙ୍କୁ ମିଳିବ ଆଶ୍ୱସ୍ତି, ଖୁବ୍‌ଶୀଘ୍ର ହ୍ୱାଇଟ୍‌ ହାଉସ୍‌ ଛାଡ଼ିବେ ଏଲନ୍‌ ମସ୍କ