ନୂଆଦିଲ୍ଲୀ,୦୩/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ଟାରିଫ୍ ସମଗ୍ର ଦୁନିଆରେ ହଲଚଲ ସୃଷ୍ଟି କରିଛି । ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ର ବିରୋଧ କରାଯାଉଛି । ଏବେ ପୁଣି ଟ୍ରମ୍ପ ଭାରତକୁ ଟାରିଫ୍ ନେଇ ବଡ ବୟାନ ଦେଇଛନ୍ତି । ଭାରତର ବାଣିଜ୍ୟ ନୀତି ଏକପାଖିଆ । ଭାରତ ଆମେରିକା ଉପରେ ବିଶ୍ୱର ସର୍ବାଧିକ ଶୁଳ୍କ ଲଗାଉଛି । ଆମ ଉତ୍ପାଦ ଉପରେ ଭାରତ ସର୍ବାଧିକ ଟିକସ ଆଦାୟ କରୁଛି । ଯଦି ଆମେ ଟାରିଫ୍ ଲଗାଇ ନଥାନ୍ତୁ ତେବେ 'ଜିରୋ ଟାରିଫ୍'ର ଅଫର ଆସିନଥାନ୍ତା ।
ଡୋନାଲ୍ଡ ଟ୍ରମ୍ପ୍ ଭାରତ ସମେତ ଅନେକ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କକୁ ଯଥାର୍ଥ ବୋଲି କହିଛନ୍ତି। ଶୁଳ୍କ ଆମେରିକୀୟ ଚାକିରି ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଗସ୍ତ ପରେ ଟାରିଫ୍ ପ୍ରସଙ୍ଗରେ ତାଙ୍କର ତାଉ ଦେଖାଇଛନ୍ତି । ଶୁଳ୍କକୁ ନେଇ ନେଇ ଭାରତ ବିରୋଧରେ ବଡ଼ ବୟାନ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, '' ଆମେରିକା ବହୁତ ଶକ୍ତିଶାଳୀ ଏବଂ ଏହା ବିନା ବିଶ୍ୱରେ କିଛି ରହିବ ନାହିଁ । ଭାରତ ଯାହା ବି ସାମଗ୍ରୀ ତିଆରି କରୁଥିଲା, ତାହା ଆମେରିକାକୁ ପଠାଉଥିଲା, କିନ୍ତୁ ୧୦୦ ପ୍ରତିଶତ ଶୁଳ୍କ ଯୋଗୁଁ ଆମେ ଭାରତକୁ କିଛି ପଠାଇପାରିଲୁ ନାହିଁ । ଆମେ ଭାରତ ସହିତ ଅଧିକ ବାଣିଜ୍ୟ କରୁନଥିଲୁ, କିନ୍ତୁ ସେମାନେ ଆମ ସହିତ ବାଣିଜ୍ୟ ଜାରି ରଖିଥିଲେ, କାରଣ ଆମେ ସେମାନଙ୍କଠାରୁ କୌଣସି ଶୁଳ୍କ ନେଉ ନଥିଲୁ, ଏହା ଆମର ମୂର୍ଖତା ଥିଲା । ସେମାନେ ଯାହା ବି ସାମଗ୍ରୀ ତିଆରି କରୁଥିଲେ, ତାହା ଆମେରିକୀୟ ବଜାରକୁ ପଠାଇଥିଲେ । ସେମାନେ ଆମଠାରୁ ୧୦୦% ଶୁଳ୍କ ନେଉଥିଲେ।"
'ଆମେରିକା ବିନା କିଛି ରହିବ ନାହିଁ'- ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, "ଆମେରିକା ବିନା ଦୁନିଆରେ କିଛି ରହିବ ନାହିଁ । ଆମେରିକା ବହୁତ ବଡ଼ ଏବଂ ଶକ୍ତିଶାଳୀ । ମୁଁ କିଛି ବର୍ଷ ମଧ୍ୟରେ ଏହାକୁ ବହୁତ ବଡ଼ କରି ସାରିଛି । ମୁଁ ବିଶ୍ୱରେ ଅନେକ ଯୁଦ୍ଧ ବନ୍ଦ କରିଛି ଏବଂ ବାଣିଜ୍ୟ ବଳରେ ଏହି ଯୁଦ୍ଧଗୁଡ଼ିକ ବନ୍ଦ ହୋଇଛି । ବାଣିଜ୍ୟରେ ଶୁଳ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।"
ଶୁଳ୍କକୁ ନେଇ କାହିଁକି ହଙ୍ଗାମା ? ଆମେରିକା ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । କିନ୍ତୁ ଏହାକୁ ଆହୁରି ୨୫ ପ୍ରତିଶତ ବୃଦ୍ଧି କରିଛି । ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି । ଭାରତ ରୁଷଠାରୁ ତେଲ କିଣିବା ଉଚିତ୍ ନୁହେଁ, କିନ୍ତୁ ଭାରତ ରୁଷ ସହିତ ବାଣିଜ୍ୟ ସମ୍ପର୍କରେ କୌଣସି ପରିବର୍ତ୍ତନ କରିନାହିଁ । ଏହି କାରଣରୁ ଟ୍ରମ୍ପ୍ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିଥିଲେ ।