ତେହରାନ/ୱାଶିଂଟନ,୧୮/୦୫: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ସଙ୍କଟର ଅବସାନ ସହ ଯୁଦ୍ଧ ବନ୍ଦ କରିବା ଲାଗି ଇରାନ ପକ୍ଷରୁ ଆମେରିକାକୁ ୫ଟି ସର୍ତ୍ତ ଦିଆଯାଇଥିଲା । ହେଲେ ଆମେରିକା ତାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଓଲଟି ଇରାନ ଆଗରେ ୫ଟି ଦାବି ରଖିଛି । ଯାହାକୁ ଇରାନ ସ୍ୱୀକାର କରିବା ସପକ୍ଷରେ ନାହିଁ । ଏଭଳି ସ୍ଥିତରେ ପୁଣି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି ।

ସୂଚନା ଅନୁସାରେ ଶାନ୍ତି ଆଲୋଚନ କରିବା ଲାଗି ଇରାନ ପକ୍ଷରୁ ଆମେରିକା ନିକଟରେ ୫ଟି ସର୍ତ୍ତ ରଖାଯାଇଥିଲା । ସେଥିରେ ଇରାନ ସହ ଲେବାନନରେ ଚାଲିଥିବା ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ଇରାନ ଉପରେ ଲଗାଯାଇଥିବା ସମସ୍ତ ପ୍ରତିବନ୍ଧକ ହଟାଇବା, ବିଭିନ୍ନ ଦେଶରେ ଜବତ କରାଯାଇଥିବା ସମ୍ପତ୍ତି ଜାରି କରିବା, ଯୁଦ୍ଧ ଯୋଗୁ ଇରାନର ଯେଉଁସବୁ କ୍ଷତି ହୋଇଛି ତାର ଭରଣା କରିବା ଏବଂ ହୋର୍ମୁଜ ଜଳମାର୍ଗରେ ଇରାନର ଅଧିକାରକୁ ଆମେରିକା ସ୍ୱୀକୃତି ଦେବା ଭଳି ସର୍ତ୍ତ ରହିଥିଲା । ହେଲେ ଆମେରିକା ଏସବୁ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଦେଇଛି । ବରଂ ଆମେରିକା ଇରାନ ନିକଟରେ ୫ଟି ଦାବି ରଖିଛି ।

ସେଥିରେ କୁହାଯାଇଛି ଯେ ଇରାନ ପାଖରେ ରହିଥିବା ୪୦୦ କି.ଗ୍ରା ସମୃଦ୍ଧ ୟୁରାନିୟମକୁ ଆମେରିକାକୁ ହସ୍ତାନ୍ତର କରିବାକୁ ପଡିବ । ଇରାନ କେବଳ ମାତ୍ର ଗୋଟିଏ ପରମାଣୁ କେନ୍ଦ୍ର କାର୍ଯ୍ୟକ୍ଷମ ରଖିପାରିବ । ସେହିଭଳି ବିଭିନ୍ନ ଦେଶରେ ଜବତ କରାଯାଇଥିବା ଇରାନର ସମ୍ପତ୍ତିକୁ ମଧ୍ୟ ଜାରି କରିବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି । ଏଥିସହ ଇରାନକୁ କୌଣସି ପ୍ରକାର କ୍ଷତିପୂରଣ ଦେବାକୁ ମନା କରିଦେଇଛି । ଆମେରିକା ଏକଥା ମଧ୍ୟ କହିଛି ଯେ ଲେବାନନ ସମେତ ସମସ୍ତ ଯୁଦ୍ଧର ଅବସାନ କୂଟନୈତିକ ସ୍ତରରେ ଆଲୋଚନା ଦ୍ୱାରା ହୋଇପାରିବ ।

ଅଧିକ ପଢ଼ନ୍ତୁ :-  Aviation Incident: ଏୟାର ଶୋ'ରେ ମଝି ଆକାଶରେ ପିଟି ହେଲା ୨ ୟୁଏସ୍ F-18 ଯୁଦ୍ଧ ବିମାନ, କ୍ରାସ ହୋଇ ଜଳିଗଲା

ଆମେରିକା ଓ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ଜାରି ରହିଛି । କିନ୍ତୁ ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ କେବେ ବନ୍ଦ ହେବ ତାହା କେହି କହିପାରୁନାହାନ୍ତି । ସେପଟେ ଇରାନ ଉପରେ ଆମେରିକା ପୁଣିଥରେ ଆକ୍ରମଣ କରିବ ବୋଲି ଖବର ସାମ୍ନାକୁ ଆସିବା ପରେ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି । ଗତ ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲ ସେନା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ଯୁଦ୍ଧକୁ ୩ ମାସ ହେବାକୁ ବସିଛି । କିନ୍ତୁ ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଥିବାରୁ ସମାଧାନ ବାଟ ବାହାରିପାରୁନାହିଁ । ଇରାନ ବିଦେଶ ମନ୍ତ୍ରଣାଳୟ କହିଛି କି ଆମେରିକା ଯୁଦ୍ଧ ଯୋଗୁ ଯାହା ହାସଲ କରିପାରି ନଥିଲା ତାହା ଏବେ କୂଟନୈତିକ ସ୍ତରରେ ହାସଲ କରିବାକୁ ଉଦ୍ୟମ କରୁଛି ।