ଦାରା ସିଂ । ବିଗତ ୨୭ ବର୍ଷ ଧରି ଏକ ଚର୍ଚ୍ଚିତ ନାମ । ଜେଲ୍ର ଅନ୍ଧାର କୋଠରୀରୁ ଖୁବ ଶୀଘ୍ର ତାଙ୍କୁ ମିଳିବ ମୁକ୍ତି । ଏହି ଖବର ଏବେ ଏବେ ମନେ ପକାଇ ଦେଇଛି ସେଇ କାଳରାତିକୁ । ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ମଧ୍ୟରାତ୍ର । ମୟୂରଭଞ୍ଜ ଜିଲ୍ଲାର ଅଖ୍ୟାତ ଆଦିବାସୀ ଗ୍ରାମ ମନୋହରପୁର । ଅନ୍ଧକାର ରାତିରେ ଘଟିଥିଲା ଏକ ଘଟଣା । ଯାହାକି ଓଡ଼ିଶା ଇତିହାସରେ ନୃଶଂସତାର ନୂଆ ପରିଭାଷା ଲେଖିଥିଲା । ଚର୍ଚ୍ଚ ସାମନାରେ ଥିବା ଏକ କାରାଭାନ (ଜିପ୍)ରେ ନିଦ୍ରାଗତ ଥିଲେ ଅଷ୍ଟ୍ରେଲୀୟ ମିସନାରୀ ୫୮ ବର୍ଷୀୟ ଗ୍ରାହାମ ଷ୍ଟେନ୍ସ ଏବଂ ଦୁଇ ପୁଅ ଜଣେ ୧୦ ବର୍ଷର ଫିଲିପ ଅନ୍ୟ ଜଣେ ୬ ବର୍ଷର ତିମୋଥି । ଏବେ ଯାହାକୁ ଭିଡ଼ ହିଂସା କୁହାଯାଉଛି, ସେହିପରି ଏକ ଭିଡ଼ର ନୃଶଂସତା ଦେଖିବାକୁ ମିଳିଥିଲା । ଜିପ୍ରେ ନିଆଁ ଲଗାଇ ଦିଆଯାଇଥିଲା ଏବଂ ବାପା ଓ ଦୁଇ ପୁତ୍ର ଜୀଅନ୍ତା ଜଳି ଯାଇଥିଲେ । ‘ଦାରା ସିଂ ଜିନ୍ଦାବାଦ୍, .... ଜିନ୍ଦାବାଦ୍, ଧ୍ୱନି ମଧ୍ୟରେ ହଜି ଯାଇଥିଲା ବାପପୁଅଙ୍କ କରୁଣ ଆର୍ତ୍ତନାଦ । ଭିଡ଼ର ନେତୃତ୍ୱ ନେଇଥିଲେ ଦାରା ସିଂ । କେବଳ ଜାତୀୟ ନୁହେଁ ଆନ୍ତର୍ଜାତିକ ମାନଚିତ୍ରରେ ଶାନ୍ତିର ଭୂମି ଓଡ଼ିଶାର ଛବିକୁ ମଳିନ କରିଦେବାକୁ ଏହି ଘଟଣା ଥିଲା ଯଥେଷ୍ଟ । ଏବେ ଦାରା ସିଂଙ୍କ ମୁକ୍ତି ଖବର ପୁଣି ଥରେ ଚର୍ଚ୍ଚାକୁ ଆଣିଛି ସେଇ କାଳରାତିର ଚରିତ୍ରମାନଙ୍କୁ ।

ଦାରା ସିଂ କିଏ ?

ରବିନ୍ଦ୍ର ପାଲ ଓରଫ ଦାରା ସିଂ । ମନୋହରପୁର ଗଣହତ୍ୟାର ମୁଖ୍ୟ ନାୟକ । ଉତ୍ତର ପ୍ରଦେଶର ମୂଳ ବାସିନ୍ଦା । ୧୯୬୨ ଅକ୍ଟୋବର ୨ରେ ଜନ୍ମ । ସ୍ନାତକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଦିଲ୍ଲୀର ଏକ ଗ୍ରୋସେରୀ ଦୋକାନରେ କିଛି ଦିନ କାମ କରିଥିଲେ । ପରେ ଓଡ଼ିଶା ଆସି ମୟୂରଭଞ୍ଜ ଜିଲ୍ଲାର ମଲ୍ଲିପୋଷିର ସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଧୀରେ ଧୀରେ ସେ ନିଜକୁ ହିନ୍ଦୁଙ୍କ ତ୍ରାଣକର୍ତ୍ତା ଭାବେ ପରିଚୟ ଦେଇ ଅନେକ ଅନୁଗତ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ସେ ଗୋ-ସୁରକ୍ଷା ସମିତି, ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦରେ ନିଜକୁ ସାମିଲ କରିଥିଲେ । ଗ୍ରାହାମ ଷ୍ଟେନ୍ସ ଧର୍ମାନ୍ତରୀକରଣ କରୁଥିବା ସେ ଓ ତାଙ୍କ ଅନୁଗତ ମାନେ ନିୟମିତ ଅଭିଯୋଗ କରି ଆସୁଥିଲେ । ୧୯୯୦ ବେଳକୁ ୫ରୁ ଅଧିକ ମାମଲାରେ ସେ ପୁଲିସ ରାଡାରରେ ରହି ସାରିଥିଲେ । ୧୯୯୮ ସେପ୍ଟେମ୍ବରରେ ଜିଲ୍ଲାର ଗୋଡ଼ଭଙ୍ଗା ଘାଟିରେ ଏକ ଗୋରୁ ଟ୍ରକରୁ ଲୁଟ୍ କରିବା ପରେ ନିଆଁ ଲଗାଇ ଦିଆଯାଇଥିଲା । ଟ୍ରକର ଖଲାସୀ ଶେଖ୍ ଇମାମଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । (ଏହି ମାମଲାରେ ପ୍ରମାଣ ଅଭାବରୁ ୨୦୦୬ ଅକ୍ଟୋବରରେ ଦାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ) । ଷ୍ଟେନ୍ସ ହତ୍ୟା ଘଟଣା ପରେ ମଧ୍ୟ ଉକ୍ତ ଅଞ୍ଚଳରେ ତାଙ୍କ ଗୋଷ୍ଠୀର ଆତଙ୍କ ଜାରି ଥିଲା । ୧୯୯୯ ସେପ୍ଟେମ୍ବରରେ ଅଞ୍ଚଳର ଜାମବଣୀ ଗ୍ରାମରେ ଅରୁଲ ଦୋସ ନାମକ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ଧନୁତୀରରେ ହତ୍ୟା କରାଯାଇଥିଲା । (ଏହି ମାମଲାରେ ୨୦୦୭ ସେପ୍ଟେମ୍ବରରେ ଦାରା ଓ ଅନ୍ୟ ୩ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଥିଲା) । ୧୯୯୯ ନଭେମ୍ବରରେ ପଡ଼ିଆବେଡ଼ା ଅଞ୍ଚଳରେ ଗୋରୁ ବେପାରୀ ଶେଖ୍ ରହମାନଙ୍କୁ ଆକ୍ରମଣ କରି ହାତ କାଟି ନିଆଁରେ ପୋଡ଼ି ହତ୍ୟା କରାଯାଇଥିଲା । ଏହି ହତ୍ୟା ମଧ୍ୟ ତାଙ୍କରି ନେତୃତ୍ୱରେ ହୋଇଥିବା ଅଭିଯୋଗ ଥିଲା । (ମାମଲାରେ ୨୦୦୭ ଅକ୍ଟୋବରରେ ଦାରାକୁ ଆଜୀବନ ଜେଲ୍ ହୋଇଥିବା ବେଳେ ଅନ୍ୟ ୨୩ ଜଣ ଖଲାସ ହୋଇଯାଇଥିଲେ ।) ଷ୍ଟେନ୍ସ ହତ୍ୟା ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସ୍ପେଶାଲ ଟାସ୍କ ଫୋର୍ସର ୧୧ଟି ଟିମ୍ ଦାରାଙ୍କୁ ଖୋଜୁଥିଲେ । ସିବିଆଇ ତାଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଏହାସତ୍ତେ୍ୱ ସେ ଜଙ୍ଗଲରେ ଲୁଚି ବୁଲି ମିଡିଆକୁ ସାକ୍ଷାତକାର ଦେବାରେ ସଫଳ ହେଉଥିଲେ । ଶେଷରେ ୨୦୦୦ ଜାନୁଆରୀ ୩୧ରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଷ୍ଟେନ୍ସ ପୋଡ଼ି ମାମଲାରେ ୫୧ ଜଣଙ୍କ ନାମରେ ପ୍ରାଥମିକ ଅଭିଯୋଗ ହୋଇଥିଲା । କିନ୍ତୁ ପରେ ବିଚାର ପ୍ରକ୍ରିୟାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନେକଙ୍କୁ ମାମଲାରୁ ବାଦ୍ ଦିଆଯାଇଥିଲା । ୨୦୦୩ରେ ଏକ ଟ୍ରାଏଲ କୋର୍ଟ ଦାରା ଓ ସାଥୀ ମହେନ୍ଦ୍ର ହେମ୍ବ୍ରମ୍ଙ୍କୁ ଫାଶୀ ଦଣ୍ଡାଦେଶ ଏବଂ ଅନ୍ୟ ୧୨ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ୨୦୦୫ରେ ଓଡ଼ିଶା ହାଇକୋର୍ଟ ସେମାନଙ୍କ ଫାଶୀକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ । ଅନ୍ୟ ୧୨ ଜଣଙ୍କୁ ଦୋଷମୁକ୍ତ କରିଥିଲେ । ୨୦୧୧ ଜାନୁଆରୀ ୧୧ରେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ସେହିପରି ଉତ୍ତମ ବ୍ୟବହାର ପାଇଁ ଅନ୍ୟତମ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମ ୨୦୨୫ ଏପ୍ରିଲରେ ଜେଲରୁ ଖଲାସ ହୋଇଥିଲା । ସେ ଜେଲ୍ରୁ ମୁକ୍ତ ହେବା ପରେ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ‘ଜୟ ଶ୍ରୀରାମ’ ଧ୍ୱନି ସହ ବେକରେ ଫୁଲମାଳ ସହ ତାଙ୍କୁ ସ୍ୱାଗତ କରିଥିଲେ ।

ଗ୍ରାହାମ ଷ୍ଟେନ୍ସ କିଏ ?

୧୯୪୧ରେ ଅଷ୍ଟ୍ରେଲିଆରେ ତାଙ୍କର ଜନ୍ମ । ୧୯୬୫ରେ ସେ ମୟୂରଭଞ୍ଜ ଆସି ଇଭାଞ୍ଜେଲିକାଲ ମିସନାରୀ ଅଧୀନରେ ‘ମୟୂରଭଞ୍ଜ ଲେପ୍ରୋସି ହୋମ୍’ରେ କାମ ଆରମ୍ଭ କରିଥିଲେ । ଆଦିବାସୀ ସମାଜରେ ସେ କୁଷ୍ଠ ନିରାକରଣ ପାଇଁ କାମ କରୁଥିଲେ । ୧୯୮୧ ଜୁନରେ ପତ୍ନୀ ଗ୍ଲାଡିସ ମଧ୍ୟ ତାଙ୍କ ସହ ଏହି କାମରେ ସାମିଲ ହୋଇଥିଲେ । ଷ୍ଟେସନ ବାଇବେଲକୁ ‘ହୋ’ ଭାଷାରେ ଅନୁବାଦ କରିବାରେ ସହାୟତା କରୁଥିଲେ । ଏପରିକି ସେ ଭଲ ଭାବେ ଓଡ଼ିଆ ଭାଷା କହିବା ମଧ୍ୟ ଶିଖିଯାଇଥିଲେ । ପତି-ପତ୍ନୀ ବାରିପଦାରେ ରହୁଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ଗାଁ ଗଣ୍ଡା ଥିଲା ତାଙ୍କ କର୍ମଭୂମି । ତେବେ ହିନ୍ଦୁ ସଂଗଠନ ଗୁଡ଼ିକର ଅଭିଯୋଗ ଥିଲା ଯେ ଷ୍ଟେନ୍ସ ବଳପୂର୍ବକ ଧର୍ମାନ୍ତରୀକରଣ କରୁଛନ୍ତି । ଆଉ ଏହା ହିଁ ହୋଇଥିଲା ତାଙ୍କ ପାଇଁ କାଳ । ଘଟଣା ଦିନ ସେ ଦୁଇ ନିଷ୍ପାପ ପୁଅଙ୍କ ସହ ଆସିଥିଲେ ମନୋହରପୁର । ମନୋହରପୁରରେ ସେଦିନ ଥିଲା ଖ୍ରୀଷ୍ଟିଆନ ସମାଜର ବାର୍ଷିକ ଜଙ୍ଗଲ କ୍ୟାମ୍ପ । ଦୁଇ ପୁଅ ଉଟିରେ ପଢ଼ୁଥିଲେ ଏବଂ ସ୍କୁଲ ଛୁଟିରେ ବାରିପଦା ଆସିଥିଲେ । ଜଙ୍ଗଲ କ୍ୟାମ୍ପରେ ଯୋଗ ଦେବାକୁ ବାପାଙ୍କ ସହ ସେମାନେ ବି ମନୋହରପୁର ଆସିଥିଲେ । ବାରିପଦାରେ ରହି ଯାଇଥିଲେ ପତ୍ନୀ ଓ ଝିଅ ଇସ୍ଥର । ଉତ୍ସବ ଶେଷ ପରେ ଶୀତ ରାତିରେ ବାପାପୁଅ କାରାଭାନ୍ ମଧ୍ୟରେ ଶୋଇଥିଲେ । ଥଣ୍ଡାରୁ ରକ୍ଷା ପାଇବାକୁ କାରାଭାନ ଉପରେ ବିଛାଯାଇଥିଲା ନଡ଼ା । ମଧ୍ୟରାତ୍ରରେ ଦାରା ସିଂ ନେତୃତ୍ୱରେ ୫୦ରୁ ଅଧିକ ସଶସ୍ତ୍ର ଲୋକ କରିଥିଲେ ଆକ୍ରମଣ । ଅନ୍ଧାର ମଧ୍ୟରେ ହୁତୁହୁତୁ ହୋଇ ଜଳିଥିଲା କାରାଭାନଟି । ବାପା ଓ ଦୁଇ ପୁଅ ବାହାରକୁ ବାହାରିବାକୁ ଶତଚେଷ୍ଟା କରି ବିଫଳ ହୋଇଥିଲେ । ନିଆଁରେ ଜୀବନ୍ତ ଦଗ୍ଧ ହୋଇଥିଲେ । ପରେ ହିନ୍ଦୁତ୍ୱର ସ୍ଲୋଗାନ ଦେଇ ଜଙ୍ଗଲ ମଧ୍ୟରେ ହଜି ଯାଇଥିଲେ ଆକ୍ରମଣକାରୀମାନେ ।

ହତ୍ୟାକାରୀଙ୍କୁ କ୍ଷମା କରି ଦେଇଥିଲେ ପତ୍ନୀ ଗ୍ଲାଡିସ୍:

ଗ୍ରାହାମ ଷ୍ଟେନ୍ସଙ୍କ ହତ୍ୟାକୁ ନେଇ ଦେଶବିଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣା ପରେ ଗ୍ରାହାମ ଷ୍ଟେନ୍ସଙ୍କ ସ୍ତ୍ରୀ ଗ୍ଲାଡିସ୍ ଷ୍ଟେନ୍ସ ଦୋଷୀମାନଙ୍କୁ କ୍ଷମା କରିଥିବା କଥା କହି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ସେ ବାରିପଦାରେ ରହି ସମାଜସେବା କାର୍ଯ୍ୟ ଜାରି ରଖିଥିଲେ । ୨୦୦୪ରେ ଅଷ୍ଟ୍ରେଲିଆ ଫେରି ଯାଇଥିଲେ । ୨୦୦୫ରେ ଭାରତ ସରକାର ଗ୍ଲାଡିସ ଷ୍ଟେନ୍ସଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ୨୦୧୬ରେ ସେ ମଦର ଟେରେସା ମେମୋରିଆଲ ଇଣ୍ଟରନ୍ୟାସନାଲ ଆୱାର୍ଡ ପାଇଥିଲେ । ବାରିପଦା ଠାରେ ସ୍ୱାମୀଙ୍କ ସ୍ମୃତିରେ ଚାଲୁଥିବା ଗ୍ରାହାମ ଷ୍ଟେନ୍ସ ମେମୋରିଆଲ ହସ୍ପିଟାଲକୁ ସେ ମଝିରେ ମଝିରେ କେବେ କେମିତି ଆସନ୍ତି ।

ହିନ୍ଦୁ ମଲେ କେହି କାନ୍ଦନ୍ତି ନାହିଁ, ଏବେ କାହିଁକି: ଦାରା

ଷ୍ଟେନ୍ସ ହତ୍ୟା ଘଟଣା ପରେ ଲୁଚି ବୁଲୁଥିବା ବେଳେ ଗଣମାଧ୍ୟମକୁ ଦାରା ସାକ୍ଷାତକାର ଦେଇଥିଲେ । ଷ୍ଟେନ୍ସ ଘଟଣା ବିଶ୍ୱବ୍ୟାପୀ ନିନ୍ଦାର ବିଷୟ ହୋଇଥିବା ପ୍ରସଙ୍ଗରେ ସେ କହିଥିଲେ, ଜଣେ ହିନ୍ଦୁ ମଲେ କେହି କାନ୍ଦନ୍ତି ନାହିଁ । କିନ୍ତୁ ଜଣେ ଖ୍ରୀଷ୍ଟିଆନ ମଲେ କାହିଁକି ଏବେ ଏତେ କାନ୍ଦୁଛନ୍ତି । ମୁଁ ଯାହା କରିଛି ସେଥିପାଇଁ କେତେବେଳେ ବି ଅନୁତପ୍ତ ନୁହେଁ ।

ବାପା,ମା’ ପାଇଁ ଜେଲରେ ହୋଇଥିଲା ଶୁଦ୍ଧି:

ବିଚାରାଧୀନ କଏଦୀ ସହିତ ଦଣ୍ଡିତ ଅପରାଧିଙ୍କୁ ପାରୋଲରେ ଯିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଲେ ଅଦାଲତରେ ପାରୋଲ ପାଇଁ ଆବେଦନ କରିବା ପରେ ଛୁଟିରେ ଯିବାର ବ୍ୟବସ୍ଥା ରହିଛି । ମାତ୍ର ଦାରା ସିଂ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ୨୬ବର୍ଷ ଧରି ଦିନେ ହେଲେ ପାରୋଲରେ ଯାଇନଥିବା ବେଳେ ବାପା ଓ ମା’ ମୃତ୍ୟୁରେ ମଧ୍ୟ ଶୁଦ୍ଧି ପାଇଁ ତାକୁ ଛଡ଼ା ଯାଇନଥିଲା । ଦାରାର ବାପା ୨୦୧୪ ମସିହାରେ ପ୍ରାଣ ହରାଇଥିଲେ । ଶୁଦ୍ଧକ୍ରିୟାରେ ଯୋଗ ଦେବାକୁ ସେ ନିଜର ଓକିଲ ଦ୍ୱାରା ଅଦାଲତରେ ଆବେଦନ କରିଥିଲା । ମାତ୍ର ଅଦାଲତ ଅନୁମତି ଦେଇନଥିଲେ । ସେହିପରି ମା’ ମୃତ୍ୟୁରେ ମଧ୍ୟ ଦାରାକୁ ଛୁଟିରେ ଯିବାକୁ ଅନୁମତି ମିଳିନଥିଲା । ତେଣୁ ସେ ଜେଲ କର୍ତ୍ତୃପକ୍ଷଙ୍କୁ ଶୁଦ୍ଧି ହେବା ପାଇଁ ଆବେଦନ କରିଥିଲା । ଜେଲ କର୍ତ୍ତୃପକ୍ଷ ଶୁଦ୍ଧି ହେବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ସେଥିପାଇଁ ଜେଲ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଜେଲ ପରିସରରେ କେଶ ପକାଇ ବାପା, ମା’ଙ୍କ ପ୍ରତି ବଡ଼ପୁଅର କର୍ତ୍ତବ୍ୟ ସେ କେନ୍ଦୁଝର ଜେଲରୁ ତୁଲାଇଥିଲା ।

ଏ ନିଷ୍ପତ୍ତି ନ୍ୟାୟ ନୁହେଁ, ଆମେ ଅସନ୍ତୁଷ୍ଟ: ଶେଖ୍ ମନାନ

୧୯୯୯ ଅଗଷ୍ଟ ୨୬ରେ ମୟୁରଭଞ୍ଜ ଜିଲ୍ଲା ପଡ଼ିଆବେଡ଼ା ହାଟରେ ଶେଖ୍ ରେହେମାନଙ୍କୁ ହତ୍ୟା କରିଥିଲେ ଦାରା ସିଂ । ସେଦିନ ଥିଲା ରାକ୍ଷୀ ପୂର୍ଣ୍ଣିମା । ରେହମାନଙ୍କୁ ହତ୍ୟା କରି ହତ୍ୟାକାରୀମାନେ ପୋଡ଼ି ଦେଇଥିଲେ । ଏସବୁ ଆମ ମନରୁ ଲିଭିନି । ଆମର ଅନେକ କ୍ଷତି ହୋଇଛି ଯାହା କି କେବେ ଭରଣା ହୋଇପାରିବନି । ଜେଲରେ ରହି ଜଣଙ୍କର ଆଚରଣରେ ପରିବର୍ତ୍ତନ ହେଇପାରେ । କିନ୍ତୁ ପ୍ରକୃତି କେବେବି ବଦଳେ ନାହିଁ । ଜେଲରୁ ବାହାରି ସେ ଯେ ପୁଣି ସେଇ କାମ କରିବେ ନାହିଁ କିଏ କହିବ । ଜେଲ ଦଣ୍ଡ ଦଣ୍ଡ ନୁହେଁ । ଏପରି ନିଷ୍ପତ୍ତି ନ୍ୟାୟ ନୁହେଁ । ଆମେ ଏଥିରେ ସନ୍ତୁଷ୍ଟ ନୁହେଁ । ଦାରା ଜେଲରୁ ମୁକୁଳିବେ ବୋଲି ଶୁଣିବା ପରେ ‘ପ୍ରମେୟ’କୁ ଏକ ପ୍ରତିକ୍ରିୟାରେ କହିଛନ୍ତି ଶେଖ୍ ରେହେମାନଙ୍କ ବଡ଼ ଭାଇ ଶେଖ୍ ମନାନ୍ ।

ଦାରାଙ୍କ ମୁକ୍ତିରେ ଲୋକଙ୍କୁ ସାନ୍ତ୍ୱନା ମିଳିବ: ବିଧାୟକ

ଦାରାଙ୍କ ମୁକ୍ତି ନେଇ ତଥାପି ସନ୍ଦେହ ରହିଛି । ଆଜୀବନ କାରାଦଣ୍ଡ ଭାବେ ବହୁ ବର୍ଷ ଜେଲ୍ରେ ରହି ସାରିଲେଣି । ଏହା ପରେ ବି ତାଙ୍କୁ ଜେଲରେ ରଖିବା ନ୍ୟାୟସଙ୍ଗତ ନୁହେଁ । ଆମ ଅଞ୍ଚଳର ଲୋକମାନଙ୍କର ଦାରା ସିଂଙ୍କ ମୁକ୍ତିକୁ ନେଇ ଆଶା ଓ ବିଶ୍ୱାସ ରହିଛି । ଲୋକମାନଙ୍କ ଆଶା ଓ ଅପେକ୍ଷାକୁ ଉପେକ୍ଷା କରାଯିବା ଉଚିତ ନୁହେଁ । ଅପରାଧ ସତ୍ତେ୍ୱ ତାଙ୍କ ପାଖରେ ତ ନିଶ୍ଚିତ ଭାବେ ଭଲ ଗୁଣ ରହିଛି । ସେ ମୁକ୍ତି ପାଇବା ଉଚିତ । ତାହା ହେଲେ ଲୋକଙ୍କୁ ସାନ୍ତ୍ୱନା ମିଳିବ ।

ଜେଲ୍ରୁ ରୋଜଗାର କଏଦୀଙ୍କ ପାଇଁ ଖର୍ଚ୍ଚ କଲେ:

କେନ୍ଦୁଝର ଜେଲରେ ଅନେକ ବର୍ଷ ରହିବା ପରେ ଦୈନିକ ୧୦୦ ଟଙ୍କା ପର୍ଯ୍ୟନ୍ତ ସେ ଶ୍ରମ ଦାନ କରି ରୋଜଗାର କରୁଥିଲେ ଦାରା ସିଂ । ଏହି ଟଙ୍କା ସେ ସହଯୋଗୀ କଏଦୀଙ୍କ ପଛରେ ଖର୍ଚ୍ଚ କରିଥାନ୍ତି । କାହାର ପରିବାରରେ ଅସୁବିଧା ଥିଲେ ଦାରା ଜାଣିବା ମାତ୍ରେ ରୋଜଗାର ଅର୍ଥକୁ ତାଙ୍କ ପାଇଁ ଖର୍ଚ୍ଚ କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି । କେବଳ ଏତିକି ନୁହେଁ କରୋନା ସମୟରେ ମଧ୍ୟ ଦାରା ଅନେକ ଟଙ୍କା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ରାଜନୀତି ନୁହେଁ, ସମାଜସେବାରେ ଅବଶିଷ୍ଟ ସମୟ କାଟିବେ:

ବଜରଙ୍ଗ ଦଳ ସହିତ ଜଡ଼ିତ ଦାରା ସିଂ ଜୀବନର ଶ୍ରେଷ୍ଠ ସମୟ ଜେଲରେ କାଟିବା ପରେ ଅବଶିଷ୍ଟ ସମୟ ସାମାଜିକ କାର୍ଯ୍ୟ କରି କାଟିବାକୁ ମନସ୍ଥ କରିଛନ୍ତି । ରାଜନୀତି ପ୍ରତି ତାଙ୍କର ଆଗ୍ରହ ନଥିବା ବେଳେ ସମାଜସେବା ପ୍ରତି ଦୁର୍ବଳତା ରହିଛି । ସମାଜରେ ଅନଗ୍ରସର, ନିରକ୍ଷର ଲୋକଙ୍କ ପାଇଁ ବାକି ସମୟ ଦେବେ । ମନୋହରପୁରରେ ରହି ନିଜର ଭବିଷ୍ୟତ ଗଢ଼ିବାକୁ ସେ ମନସ୍ଥ କରିଥିବା ଅନ୍ୟତମ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ୍ଙ୍କ ନିକଟରେ ପ୍ରକାଶ କରିଛନ୍ତି ।

ମୁକ୍ତି ପରେ ସୂର୍ଯ୍ୟ ମନ୍ଦିରରେ ମାନସିକ ପୂରଣ କରିବେ:

ଦାରା ବିଭିନ୍ନ ଦେବଦେବୀ ପ୍ରତି ଅନେକ ଦୁର୍ବଳତା ଏବଂ ବିଶ୍ୱାସ ରହିଥିବା ବେଳେ ସୂର୍ଯ୍ୟ ଦେବତାଙ୍କୁ ନିୟମିତ ପୂଜା କରିଥାନ୍ତି । ଜେଲରୁ ମୁକ୍ତି ପରେ ପ୍ରଥମେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବା ପରେ ସୂର୍ଯ୍ୟ ମନ୍ଦିର ଯାଇ ମାନସିକ ପୂରଣ କରିବେ ବୋଲି ଜଣାପଡ଼ିଛି ।

ଦୋଷ ଠାରୁ ଦଣ୍ଡ ବଳି ଯାଇଛି: ସୁପ୍ରିମକୋଟ୍

ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାରୀ ଦାରା ଓରଫ ରବୀନ୍ଦ୍ର କୁମାର ପାଲ୍ଙ୍କୁ ଜେଲରୁ ଖଲାସ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅସାମ୍ବିଧାନିକ ଭାବେ ଦାରାକୁ ଦୋଷଠାରୁ ଅଧିକ ଦଣ୍ଡ ଦିଆଯାଇଥିବାରୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ଅଗଷ୍ଟ ୧୫ ତାରିଖ ପୂର୍ବରୁ କାରାଗାରରୁ ମୁକ୍ତ ହେବେ । ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ଏହି ସୂଚନା ଦେଇଛନ୍ତି । ସୁପ୍ରିମ କୋର୍ଟର ଜଷ୍ଟିସ୍ ମନୋଜ ମିଶ୍ର ଓ ବିଜୟ ବିଷ୍ଣୁଙ୍କ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ଦୋଷ ଠାରୁ ଦଣ୍ଡ ଅଧିକ ଭୋଗି ସାରିଥିବାରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପୂର୍ବରୁ ଜେଲରୁ ଖଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ୨୬ ବର୍ଷ ଜେଲ୍ରେ ରହିବା ପରେ ଦାରା ଖଲାସ ପାଇଁ ବାଟ ଫିଟିଛି । ଜୀବନର ଅଧିକ ସମୟ ଜେଲ୍ରେ ବିତାଇ ସାରିଥିବାରୁ ଏବଂ ବୟସ ଅଧିକ ହୋଇଥିବା କାରଣରୁ ଜେଲରୁ ମୁକ୍ତି ପାଇଁ ଦାରା ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମାଗିଥିଲେ । ଜେଲ୍ରେ ରହୁଥିବା ଯେଉଁ ବନ୍ଦୀ କରିଥିବା ଅପରାଧ ପାଇଁ ଅନୁତପ୍ତ ଏବଂ ନିଜର ଚରିତ୍ର ପରିବର୍ତ୍ତନ କରିବା ସହିତ ଜେଲରୁ ଖଲାସ ହେଲେ ସାଧାରଣ ଜୀବନ ଅତିବାହିତ କରିବେ, ସେଭଳି ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ରାଜ୍ୟ ସରକାର ପକ୍ଷରୁ ପଠାଯାଇଥିଲା । ଏହି ତାଲିକାରେ ବହୁ ଚର୍ଚ୍ଚିତ ଷ୍ଟେନ୍ସ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ଓରଫ ରବୀନ୍ଦ୍ର କୁମାର ପାଲ ନାମ ରହିଥିଲା । ଏହାବ୍ୟତିତ ବିଭିନ୍ନ ହତ୍ୟାକାଣ୍ଡ ସହିତ ଜଘନ୍ୟ ଅପରାଧ କରି ଜେଲଦଣ୍ଡ ଭୋଗୁଥିବା ୫୬ ଜଣଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ସୁପାରିସ କରାଯାଇଥିଲା । ପ୍ରତିଥର ଦାରା ସିଂହଙ୍କ ନାମ ସୁପାରିସ ହେଉଥିବା ବେଳେ ରାଜ୍ୟ ସମୀକ୍ଷା ବୋର୍ଡରେ ଖଲାସ ପ୍ରସ୍ତାବ ଖାରଜ ହୋଇ ଆସୁଥିଲା ।

ପୂର୍ବରୁ ୧୪ ବର୍ଷ ଦଣ୍ଡ ଭୋଗି ସାରିଥିବା ଅପରାଧିଙ୍କୁ ଖଲାସ ପାଇଁ ସୁପାରିସ ପ୍ରଥମେ ୨୦୧୬ ମସିହାରେ କରାଯାଇଥିଲା । ଗତବର୍ଷ ପୁଣି ଏପ୍ରିଲ ମାସରେ ଦାରା ସହିତ ମହେନ୍ଦ୍ର ସମେତ ୧୬ ଜଣଙ୍କ ନାମ ରାଜ୍ୟ ବୋର୍ଡ ନିକଟକୁ ପଠାଯାଇଥିଲା । ଦାରା ଓ ମହେନ୍ଦ୍ରକୁ ୨୨ ବର୍ଷ ଧରି ଜେଲରେ କେଉଁ କାରଣରୁ ସରକାର ଅଟକ ରଖିଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜଣେ ଧର୍ମ ପ୍ରଚାରକକୁ ୧୪ ବର୍ଷ ପରେ ଜେଲରେ ରଖିବା ଅଧିକାର ସରକାରର ନାହିଁ । ତୁରନ୍ତ ତାଙ୍କୁ ଖଲାସ କରିବା ଦାବିରେ ଦେଶର ସର୍ବୋଚ୍ଚ ଅଦାଲତରେ ଆଶ୍ରୟ ନେଇଥିଲେ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ । ମୁକେଶ ଓ ସୁପ୍ରିମକୋର୍ଟର ଖ୍ୟାତନାମା ଆଇନଜୀବୀ ଡ. ଏ ପି ସିଂ କେନ୍ଦୁଝର କାରାଗାରରେ ଦାରାଙ୍କୁ ମଧ୍ୟ ୨୦୨୧ ମସିହାରେ ଭେଟିବା ପରେ ସର୍ବୋଚ୍ଚ ଅଦାଲତରେ ଆଶ୍ରୟ ନେଇଥିଲେ । ଏହାପୂର୍ବରୁ ଧର୍ମରକ୍ଷକ ଶ୍ରୀ ଦାରା ସେନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ସହିତ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାରାର ଖଲାସ ପାଇଁ ସ୍ମାରକପତ୍ର ଦେଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ଏଥିନେଇ ସୂଚନା ଦେଇ ଦାରା ସିଂହଙ୍କ ଘଟଣାରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟ ସରକାର ଗତ ୬ ତାରିଖରେ ଖଲାସ ନିଷ୍ପତ୍ତି ନେଇଥିଲେ ।