ନୂଆଦିଲ୍ଲୀ,୯।୬: ଆମେରିକାରେ କାକୁଡି, ପିଆଜ ଓ  ଟମାଟୋ ପରେ ଏବେ ଅଣ୍ଡା ବି ପାଲଟିଲା ବିଷ। ସାଲମୋନେଲା ନାମକ ବ୍ୟାକ୍ଟେରିଆକୁ ନେଇ ଆତଙ୍କ। ଦେଶର ଅଲଗା ଅଲଗା ରାଜ୍ୟରେ ସଂକ୍ରମଣ ମାମଲା ଏବେ ସରକାରଙ୍କ ଚିନ୍ତା ବଢାଇଛି। ଅଣ୍ଡାରେ ସାଲମୋନଲୋର ନମୁନା ମିଳିବା ପରେ ପୁରା ଆମେରିକାର ପ୍ରାୟ ୧୭ ଲକ୍ଷ ଅଣ୍ଡା ଦୋକାନରୁ କମ୍ପାନୀକୁ ଫେରାଇ ଅଣାଯାଇଛି।

ଖାଦ୍ୟ ପାଲଟୁଛି ବିଷ। ଅଣ୍ଡା ଖାଇବାକୁ ଲାଗୁଛି ଡର। ପରିବା ପରେ ଏବେ ଅଣ୍ଡାରେ ମିଳିଲା ସାଲମୋନେଲା  ବ୍ୟାକ୍ଟେରିଆର। ଆମେରିକାରେ ଖାଇବା ଜିନିଷରେ ବ୍ୟାପୁଥିବା ଏହି ବ୍ୟାକ୍ଟେରିଆ ଖାଦ୍ୟ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। କାର୍ଲିଫର୍ଣ୍ଣିଆ ସହ ୭ ରାଜ୍ୟରେ ପ୍ରାୟ ୮୦ ଜଣ ବିଷାକ୍ତ ଅଣ୍ଡା ଖାଇବା ପରେ ଅସୁସ୍ଥ ହୋଇଛନ୍ତି। ଏହା ଭିତରୁ ଅନେକ ଗୁରୁତର ରହିଛନ୍ତି। ଏପର୍ଯ୍ୟନ୍ତ ୨୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଦୋକାନରୁ ଅଣ୍ଡା ଚାଲିଯିବା ପରେ ଏବେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସଂକ୍ରମିତ ଅଣ୍ଡାକୁ ଫୋପାଡି ଦିଆଯାଉ କିମ୍ବା ତାକୁ ଷ୍ଟୋର ପର୍ଯ୍ୟନ୍ତ ପହଁଞ୍ଚାଇ ଦିଆଯାଉ। ସେଠାରୁ କମ୍ପାନୀ ତାକୁ ସଂକ୍ରମଣମୁକ୍ତ କରିବା ପାଇଁ ପଠାଇବ। ସେଭଳି ଲୋକଙ୍କୁ ସଂକ୍ରମଣ ରୋକିବା ପାଇଁ ହାତକୁ ଭଲ ଭାବରେ ଧୋଇବାକୁ ଅପିଲ କରାଯାଇଛି। ଅଣ୍ଡା ଖାଇବା ପରେ ଡିହାଇଡ୍ରେସନ୍‌ କିମ୍ବା ଜ୍ବର ଭଳି ଗୁରୁତର ଲକ୍ଷଣ ଦେଖାଯାଉଥିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।

ବିଶେଷଜ୍ଞଙ୍କ ମତରେ ସାଲମୋନେଲା ଏକ କ୍ଷତିକାରକ ମାଇକ୍ରୋଅର୍ଗାନିଜିମ। ମଣିଷ ଶରୀର ପର୍ଯ୍ୟନ୍ତ ପହଁଞ୍ଚିବା ପରେ ୧୨ ରୁ ୭୨ ଘଣ୍ଟା ଭିତରେ ଝାଡା, ଜ୍ବର ଓ ପେଟରେ ଯନ୍ତ୍ରଣା ହୋଇପାରେ। ଶିଶୁ,ବୟସ୍କ ଓ ଦୁର୍ବଳ ଇମ୍ୟୁନିଟି୍‌ ସିଷ୍ଟମ ଥିବା ଲୋକଙ୍କ ଭତରେ ଏହା ଗମ୍ଭୀର ଓ ଘାତକ ସଂକ୍ରମଣର କାରଣ ହୋଇପାରେ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଫ୍ରିଜିଂ ଓ ଶୁଷ୍କ ପରିବେଶରେ ରଖିବା  ଫଳରେ ବ୍ୟାକ୍ଟେରିଆ ବୃଦ୍ଧିକୁ ରୋକି ହେବ। କିନ୍ତୁ ସାଲମୋନେଲାକୁ ସମ୍ପୂର୍ଣ୍ଣ ଭାବରେ  ନଷ୍ଟ କରି ହେବନି।