ୱାଶିଂଟନ ଡିସି,୨୧/୦୫ : ଆମେରିକୀୟ ସଂସଦରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା । ଟ୍ରମ୍ପଙ୍କ ସୈନ୍ୟ ଶକ୍ତିକୁ ସୀମିତ କରିବା ଲାଗି ଉଦ୍ଦିଷ୍ଟ ଏକ ପ୍ରସ୍ତାବ ସଂସଦରେ ଗୃହୀତ ହୋଇଛି । ଏ ନେଇ ହୋଇଥିବା ଭୋଟିଂରେ ରିପବ୍ଲିକାନ୍ ପାର୍ଟିର ୪ ଜଣ ସାଂସଦ ବି ଡେମୋକ୍ରାଟଙ୍କ ସାଥ୍ ଦେଇଛନ୍ତି । ଆଉ ୩ ରିପବ୍ଲିକାନ୍ ସାଂସଦ ଭୋଟିଂରେ ସାମିଲ ନ ହୋଇ ପରୋକ୍ଷରେ ଟ୍ରମ୍ପଙ୍କୁ ବିରୋଧ କରିଛନ୍ତି । ଇରାନ ଯୁଦ୍ଧ ରୋକିବା ଦିଗରେ ଏହା ସହାୟକ ହେବା ଆଶା କରାଯାଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଯୁଦ୍ଧ ବନ୍ଦ ହେଉ ବୋଲି ଆମେରିକା ଚାହୁଁଛି । କେବଳ ଟ୍ରମ୍ପ୍ ଓ ତାଙ୍କର କିଛି ସହଯୋଗୀ ନିଜ ଜିଦରେ ପଛକୁ ହଟିବାକୁ ଚାହୁଁନାହାନ୍ତି ।

ଆମେରିକୀୟ ସଂସଦରେ ୫୦-୪୭ ଅନୁପାତରେ ପ୍ରସ୍ତାବ ପାସ୍ ହୋଇଛି । ତେବେ ଏହା ଆଇନରେ ପରିଣତ ହେବା ପାଇଁ ଆଉ କିଛି ପର୍ଯ୍ୟାୟ ଦେଇ ଏହାକୁ ଯିବାକୁ ପଡ଼ିପାରେ । ଯଦି ପ୍ରସ୍ତାବଟି ଆଇନରେ ପରିଣତ ହୁଏ, ତେବେ ଟ୍ରମ୍ପ୍ ସରକାରକୁ ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବା ସକାଶେ କଂଗ୍ରେସର ମଞ୍ଜୁରି ନେବାକୁ ପଡ଼ିବ । ଏବେ ସିନେଟରେ ଏହା ଉପରେ ଅନ୍ତିମ ଭୋଟିଂ ବାକି ରହିଛି । ଏହାପରେ ଏହାକୁ ରିପବ୍ଲିକାନ ବହୁମତ ଥିବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସର ମଞ୍ଜୁରି ନେବାକୁ ହେବ । ଏତିକିରେ କଥା ଶେଷ ହେବନାହିଁ । ଏହାପରେ ବି ଟ୍ରମ୍ପ୍ ଏହା ବିରୋଧରେ ନିଜ ଭିଟୋ କ୍ଷମତା ଉପଯୋଗ କରିପାରନ୍ତି । ଏହାପରେ ସେହି ଭିଟୋକୁ ରଦ୍ଦ କରିବା ସକାଶେ ସିନେଟ୍ ଏବଂ ହାଉସ୍ରେ ଦୃଇତୃତୀୟାଂଶ ବହୁମତ ଆବଶ୍ୟକ ପଡ଼ିବ, ଯାହା କି କଷ୍ଟକର ହୋଇପାରେ ।

ସଦ୍ୟ ଭୋଟ ବିରୋଧୀ ପକ୍ଷ ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି । ଯୁଦ୍ଧ ଆରମ୍ଭରୁ ଅନେକ ବିରୋଧୀ ନେତା କହିଥିଲେ କି ଯୁଦ୍ଧ ଆରମ୍ଭ କରିବା କିମ୍ବା ସେନା ପଠାଇବାର ଅଧିକାର ରାଷ୍ଟ୍ରପତି ନୁହେଁ, ବରଂ ସଂସଦ ପାଖରେ ରହିବା ଉଚିତ । ଆମେରିକୀୟ ସମ୍ବିଧାନରେ ବି ଏହି ବ୍ୟବସ୍ଥା ରହିଛି । ଏହି ପ୍ରସ୍ତାବକୁ ଭର୍ଜିନିଆର ଡେମୋକ୍ରାଟ ସିନେଟର ଟିମ୍ କେନ୍ ଆଣିଥିଲେ । ବିତର୍କ ବେଳେ କେନ୍ କହିଲେ, ଏବେ ଯୁଦ୍ଧବିରତି ବାବଦରେ ଚର୍ଚ୍ଚା ହେଉଥିବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସଂସଦ ସାମ୍ନାରେ ନିଜ ରଣନୀତି ଜଣାଇବାକୁ ପଡିବ। ଯୁଦ୍ଧ ଆରମ୍ଭ କରିବାର ଅଧିକାର କେବଳ ଟ୍ରମ୍ପଙ୍କ ପାଖରେ ନାହିଁ। ସଂସଦର ବି କିଛି କ୍ଷମତା ରହିଛି। ତେବେ ଆମେରିକା ସୁରକ୍ଷା ସକାଶେ ଟ୍ରମ୍ପ ନିଜ ଅଧିକାର ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଥିବା ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି।

ଆମେରିକାରେ ପ୍ରଚଳିତ ଆଇନ ଅନୁସାରେ, ରାଷ୍ଟ୍ରପତି ସଂସଦର ମଞ୍ଜୁରି ନନେଇ କେବଳ ୬୦ ଦିନ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହାପରେ ଯୁଦ୍ଧ ଶେଷ କରିବାକୁ ହେବ କିମ୍ବା ଏହାକୁ ଆଗକୁ ବଢ଼ାଇବା ଲାଗି କଂଗ୍ରେସ (ସଂସଦ)ର ଅନୁମତି ନେବାକୁ ପଡ଼ିବ ଅଥବା ସେନାର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ୩୦ ଦିନର ଅତିରିକ୍ତ ମହଲତ ଲୋଡ଼ିବାକୁ ହେବ। 

ଏହି ଖବରଟିକୁ ପଢନ୍ତୁPM Modi Trump Meeting: ଇରାନ ଯୁଦ୍ଧ ମଧ୍ୟରେ ମୋଦୀ-ଟ୍ରମ୍ପ ମହାମିଳନ ! ଜୁନ୍ ମାସରେ ଫ୍ରାନ୍ସରେ ହେବ ବଡ଼ ବୈଠକ