ନୂଆଦିଲ୍ଲୀ,୦୪/୦୧; ଅଶୋଧିତ ତୈଳ ଭରପୂର ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲା ଉପରେ ସାଙ୍ଘାତିକ ଆକ୍ରମଣ କରିଛି ଆମେରିକା । ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ ୨ଟା (ଭାରତୀୟ ସମୟ ଶନିବାର ପୂର୍ବାହ୍ନ ୧୧ଟା ୩୦)ରେ ରାଜଧାନୀ କାରାକାସ୍ ସମେତ ୪ଟି ସହର ଉପରେ ହୋଇଛି ଏୟାରଷ୍ଟ୍ରାଇକ୍ । ଆପାଚି, ଚିନୁକ୍ ହେଲିକପ୍ଟର ଏବଂ ଏଫ୍୩୫ ବିମାନରୁ ଭୟଙ୍କର ମିସାଇଲ୍ ମାଡ଼ କରାଯାଇଛି । କେବଳ ସାମରିକ ଘାଟିଗୁଡ଼ିକୁ କରାଯାଇଛି ଟାର୍ଗେଟ୍ । ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ କିଛି ନାଗରିକ ଓ ସୈନିକ ସାମିଲ ଅଛନ୍ତି । ପ୍ରାୟ ୩୦ ମିନିଟ୍ ଧରି ୧୫୦ ବିମାନରୁ ମିସାଇଲ୍ ମାଡ଼ ହୋଇଥିଲା । ଆମେରିକାର ଏହି ଆକ୍ରମଣକୁ ରୁଷ୍ ,ଚୀନ ସମେତ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି ।
ଲାଇଭ୍ ଦେଖୁଥିଲେ ଟ୍ରମ୍ପ- ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଧରିବାକୁ ଆମେରିକୀୟ ସ୍ପେଶାଲ୍ ଫୋର୍ସର ଅଭିଯାନ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାକୁ ଲାଇଭ୍ ଦେଖୁଥିଲେ । ଅପରେସନ୍ ଶେଷ ପରେ ଟ୍ରମ୍ପ ଏକ ମିଡିଆ ସଂସ୍ଥାକୁ ଏହା କହିଛନ୍ତି । ଟ୍ରମ୍ପଙ୍କ ଅନୁସାରେ, ମାଦୁରୋଙ୍କୁ ଜୀବନ୍ତ ଭାବେ ଧରିବାକୁ ଚାଲିଥିବା ଅପରେସନ୍ରୁ ସେ ଲାଇଭ୍ ଦେଖିଥିଲେ । ଏହା ଏକ ଟିଭି ଶୋ’ ଦେଖିବା ଭଳି ଥିଲା । ଏହି ଜଟିଳ ଅପରେସନ୍ ହେଲିକପ୍ଟର, ଯୁଦ୍ଧ ବିମାନ ସହ ଅନେକ ବିମାନ ଭାଗ ନେଇଥିଲା । ଏଥିଲାଗି ବହୁ ପୂର୍ବରୁ ବିସ୍ତୃତ ଯୋଜନା ହୋଇଥିଲା । ଏପରିକି ଭଲ ପାଗ ଲାଗି ଅପରେସନ୍ ପୂର୍ବରୁ ୪ ଦିନ ଧରି ଅପେକ୍ଷା ମଧ୍ୟ କରାଯାଇଥିଲା । ଅପରେସନ୍ରେ କିଛି ଆମେରିକୀୟ କମାଣ୍ଡୋ ଆହତ ହୋଇଥିବାବେଳେ କାହାରି ମୃତ୍ୟୁ ଘଟିନଥିବା ସେ ସ୍ପଷ୍ଟ କରିଛନ୍ତି । ଏଥିସହ ସ୍ପେଶାଲ୍ ଫୋର୍ସକୁ ଟ୍ରମ୍ପ ପ୍ରଶଂସା କରିଛନ୍ତ ।
ଭେନେଜୁଏଲା ଉପରେ ହମ୍ଲା ହୋଇଥିବା ନେଇ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଥିଲେ । ଆମେରିକାର ସେନା ମାଦୁରୋଙ୍କୁ ଗିରଫ କରିଥିବା ସେ କହିଥିଲେ । ବେଡ୍ରୁମ୍ରୁ ମାଦୁରୋ ଓ ପତ୍ନୀଙ୍କୁ ଘୋଷାଡ଼ି ନିଆଯିବାର ଦୃଶ୍ୟକୁ ଲାଇଭ୍ ଦେଖିଥିଲେ ଟ୍ରମ୍ପ୍ । ଏଣିକି ଭେନେଜୁଏଲାରେ ଯାହା ଘଟିବ, ସେଥିରେ ଆମେରିକାର ପ୍ରମୁଖ ଭୂମିକା ରହିବ । ଦେଶର ନେତା କିଏ ହେବ, ତାହା ଆମେରିକା ହିଁ ଧାର୍ଯ୍ୟ କରିବା ନେଇ ସେ କହିଛନ୍ତି । ଭେନେଜୁଏଲା ଉପରେ ଆକ୍ରମଣ ଲାଗି ଟ୍ରମ୍ପ୍ ଏକ ସପ୍ତାହ ତଳେ ନିର୍ଦ୍ଦେଶ ଦେଇଥିଲେ । ଗୁଇନ୍ଦା ଏଜେନ୍ସି ସିଆଇଏ ସହାୟତାରେ ମାଦୁରୋଙ୍କୁ ଧରାଯାଇଛି । ଟ୍ରମ୍ପ୍ କହିଛନ୍ତି, ଆମେ ଭେନେଜୁଏଲାର ଲୋକଙ୍କ ସ୍ୱାଧୀନତା ଚାହୁଁଛୁ ।
ରାଷ୍ଟ୍ରପତି, ପତ୍ନୀଙ୍କୁ ଉଠାଇନେଲେ- ଏୟାରଷ୍ଟ୍ରାଇକ୍ ମଧ୍ୟରେ ଆମେରିକାର ଡେଲ୍ଟା ଫୋର୍ସ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ପତ୍ନୀ ସିଲିୟା ଫ୍ଲୋରେସ୍ଙ୍କୁ ରାଜଧାନୀ କାରାକାସ୍ରୁ ଉଠାଇ ନେଇଛି । ବେଡ୍ରୁମ୍ରେ ପଶି ସେମାନଙ୍କୁ ଘୋଷାଡ଼ି ନିଆଯାଇଛି । ଏହାପରେ ସେମାନଙ୍କୁ ଜାହାଜ ଯୋଗେ ନ୍ୟୁୟର୍କ ସ୍ଥାନାନ୍ତର କରାଯାଇଛି । ସଂଘୀୟ କୋର୍ଟରେ ମାଦୁରୋଙ୍କ ଡ୍ରଗ୍ସ କାରବାର ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପର ହିସାବ ହେବା ନେଇ ଆମେରିକା କହିଛି ।