ୱାଶିଂଟନ ଡିସି, ୧୮/୦୫: ଭେନେଜୁଏଲାର ପ୍ରବାସୀଙ୍କୁ ଦେଶରୁ ତଡିବା  ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଛନ୍ତି । କୋର୍ଟ କହିଛନ୍ତି ସରକାର କୌଣସି ପ୍ରବାସୀଙ୍କୁ ଦେଶରୁ ତଡିବା ପୂର୍ବରୁ ସେମାନଙ୍କୁ ଆଇନଗତ ସହାୟତା ନେବାର ସୁଯୋଗ ଦେବାକୁ ହେବ । 

୨୪ ଘଣ୍ଟା ଭିତରେ ବିନା ଶୁଣାଣିରେ  ପ୍ରବାସୀଙ୍କୁ ଦେଶ ଛାଡିବା ଲାଗି ଟ୍ରମ୍ପ ଯେଉଁ  ନିର୍ଦ୍ଦେଶ ଦେଇଛନ୍ତି ତାହା ଆଦୌ ଠିକ୍‌  ନୁହେଁ । ବର୍ତ୍ତମାନ ଭେନେଜୁଏଲାର ଏହି  ପ୍ରବାସୀମାନେ ଟେକ୍ସାସର ଏକ ଜେଲ୍‌ରେ ବନ୍ଦୀ ଅଛନ୍ତି । ଟ୍ରମ୍ପ ପ୍ରଶାସନ ୧୭୯୮ ଏଲିୟନ  ଏନିମିଜ ଆକ୍ଟ ଅଧୀନରେ ସେମାନଙ୍କୁ ତୁରନ୍ତ ଦେଶରୁ ବିତାଡିତ କରିବାକୁ ଚାହୁଁଛନ୍ତି । ଏହି  ଆଇନ ଯୁଦ୍ଧ ସମୟରେ ଅଣାଯାଇଥିଲା ।  ଯେଉଁଥିରେ ଶତ୍ରୁମାନଙ୍କୁ ଦେଶରୁ ତଡିବା ଲାଗି କୌଣସି ପ୍ରକାର ଆଇନଗତ ସହାୟତା ଦିଆଯାଇ ନଥାଏ । କିନ୍ତୁ ଆମେରିକା ସମ୍ବିଧାନର କିଛି ପ୍ରାବଧାନ ଜରିଆରେ  ଏହାକୁ କୋର୍ଟରେ ଚାଲେଞ୍ଜ କରାଯାଇଥିଲା ।  

ଗତ ଏପ୍ରିଲରେ ତଳକୋର୍ଟ  (ଫିଫ୍‌ଥ ସର୍କିଟ କୋର୍ଟ)  ଏହା ଉପରେ ଶୁଣାଣି କରିବା ଲାଗି ମନା କରିଦେଇଥିଲେ ।  ଯାହାଫଳରେ ମାମଲା ସୁପ୍ରିମକୋର୍ଟକୁ ଆସିଥିଲା ।  ପୂର୍ବରୁ ଗତ ମାର୍ଚ୍ଚରେ ମଧ୍ୟ  ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଏଭଳି ଆଦେଶ ଉପରେ ଅସ୍ଥାୟୀ  ରୋକ୍‌ ଲଗାଇଥିଲେ । କହିଥିଲେ ଏହି  ମାମଲାର ସମ୍ପୂର୍ଣ୍ଣ ଶୁଣାଣି ନ ହେବା ପର୍ଯ୍ୟନ୍ତ ଏଲିୟନ ଏନିମିଜ୍‌ ଆକ୍ଟ ଅଧୀନରେ କାହାକୁ  ଦେଶରୁ ତଡାଯାଇପାରିବ ନାହିଁ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଟ୍ରମ୍ପ  କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି ବିଚାରପତିମାନେ ଆମକୁ ଅପରାଧୀଙ୍କୁ ଦେଶରୁ ତଡିବା ଲାଗି ଅନୁମତି ଦେବେ ନାହିଁ ।