ନୂଆଦିଲ୍ଲୀ,୨୮/୧୧; ଆମେରିକାରେ ବୁଧବାର ହ୍ୱାଇଟ ହାଉସ୍ ନିକଟରେ ଗୁଳିକାଣ୍ଡ ହୋଇଛି । ଏଥିରେ ନ୍ୟାସନାଲ ଗାର୍ଡ୍ସର ୨ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟ ସାରା ବେକଷ୍ଟ୍ରାମଙ୍କର ମୃତ୍ୟୁ ହୋଇଛି । ଅନ୍ୟଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ହ୍ୱାଇଟ୍ ହାଉସରେ ହୋଇଥିବା ଏହି ଗୁଳକାଣ୍ଡ ଘଟଣା ପରେ ବଡ଼ ଆକ୍ସନ ନେବାକୁ ଯାଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବାଇଡେନ୍ ସରକାରରେ ଯେଉଁମାନଙ୍କୁ ଗ୍ରୀନ କାର୍ଡ ଦିଆଯାଇଥିବା ତାହା ଯାଞ୍ଚ ହେବ । ଆଫଗାନିସ୍ତାନ ସମେତ ୧୯ ଦେଶ ଟ୍ରମ୍ପଙ୍କ ରାଡାରରେ ରହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ଡୋ ବାଇଡେନଙ୍କ ସମୟରେ ୧୯ଟି ଦେଶର ନାଗରିକଙ୍କୁ ପ୍ରଦାନ କରାଯାଇଥିବା ଶରଣାର୍ଥୀ ମାମଲା ଏବଂ ଗ୍ରୀନ କାର୍ଡର ବ୍ୟାପକ ସମୀକ୍ଷା କରିବାକୁ ନିଷ୍ପତ୍ତି ଦେଇଛନ୍ତି । ୨୦୨୧ ମସିହାରେ ଆମେରିକାରେ ପହଞ୍ଚିଥିବା ଆପଗାନ ନାଗରିକ ରହମାନୁଲ୍ଲାହ ଲାକନୱାଲ ୱାସିଂଟନ ଡିସିରେ ଗୁଳିକାଣ୍ଡ ଘଟାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ଟ୍ରମ୍ପଙ୍କ ଗ୍ରୀନ କାର୍ଡ ଯାଞ୍ଚର ସମ୍ମୁଖୀନ ହେବାକୁ ଥିବା ୧୯ଟି ଦେଶଗୁଡିକ ହେଲା ଆଫଗାନିସ୍ତାନ, ମିଆଁମାର, ଚାଡ୍, କଙ୍ଗୋ-ବ୍ରାଜାଭିଲ୍, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ,ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଦାନ ଏବଂ ୟେମେନ୍ । କ୍ୟୁବା, ଲାଓସ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲା ସମେତ ଅନ୍ୟ ୭ଟି ଦେଶ ଆଂଶିକ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ଏବଂ କିଛି ଅସ୍ଥାୟୀ କାର୍ଯ୍ୟ ଭିସାକୁ ଅନମୁତି ମିଳିବ ।

ଏଫ୍ବିଆଇ ଅଧିକାରୀଙ୍କ ସୂଚନା ଅନୁସାରେ, ହ୍ୱାଇଟ୍ ହାଉସ୍ ଫାୟାରିଂ ଘଟଣାରେ ଆକ୍ରମଣକାରୀ ଆଫଗାନିସ୍ତାନର ଜଣେ ଶରଣାର୍ଥୀଙ୍କୁ ଗିରଫ କରାଯାଇଛି । ସନ୍ଦିଗ୍ଧ ଆକ୍ରମଣକାରୀ ହେଲେ ରହମାନୁଲ୍ଲାହ ଲାକନୱାଲ (୨୯) । ସେ ୨୦୨୧ ଅଗଷ୍ଟରେ ଆଫଗାନିସ୍ତାନରୁ ଆମେରିକା ଆସିଥିଲେ । ୨୦୨୪ରେ ସେ ଶରଣାର୍ଥୀ ମାନ୍ୟତା ଲାଗି ଆବେଦନ କରିଥିଲେ । ୨୦୨୫ ଏପ୍ରିଲରେ ତାଙ୍କୁ ମଞ୍ଜୁରି ମିଳିଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଅଭିହିତ କରିଛନ୍ତି । ଏଥିରେ ଯିଏ ବି ସମ୍ପୃକ୍ତ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି ।