ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତକୁ ସାରା ବିଶ୍ୱର ଦେଶ ଗୁଡିକରୁ ସମର୍ଥନ ମିଳିବାରେ ଲାଗିଛି। ଆମେରିକା , ରୁଷ୍‌ ସହ ଅଧିକାଂଶ ଦେଶ ଆତଙ୍କୀ ହମଲାକୁ ନିନ୍ଦା କରିଛନ୍ତି। ଏବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍‌ ଓ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ହୋଇଛି, ଯେଉଁଥିରେ ଆମେରିକା ବଡ଼ ଘୋଷଣା କରିଛି ଯେ, ସେ ଭାରତର ଡିଫେନସର ଅଧିକାରକୁ ସମର୍ଥନ କରୁଛି। ଏହା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ ଏସ୍‌ ଜୟଶଙ୍କର ଓ ପାକିସ୍ତାନୀ ପିଏମ୍‌ ଶହବାଜ ଶରିଫଙ୍କ ସହ କଥା ହୋଇ ଉତ୍ତେଜନା ହ୍ରାସ କରିବାକୁ ଅପିଲ କରିଥିଲେ। ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ। ଚୀନ୍‌ ଭଳି ଦେଶ ପାକିସ୍ତାନକୁ ସମର୍ଥନ ଦେଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ପୋଷ୍ଟ କରିଛନ୍ତି , ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗସେଥଙ୍କ ସହ କଥା ହୋଇଛି ଏବଂ ଜମ୍ମୁ ଓ କାଶ୍ମୀରର ପହଲଗାମରେ ନୃଶଂସ ଆତଙ୍କବାଦୀ ହମଲାରେ ନିର୍ଦ୍ଦୋଷ ନାଗରିକଙ୍କ ଦୁଃଖଦ ମୃତ୍ୟୁରେ ନିଜର ଗଭୀର ସମବେଦନା ବ୍ୟକ୍ତି କରିଛନ୍ତି। ହେଗସେଥ୍‌ କହିଛନ୍ତି ଯେ , ଆମେରିକା ଭାରତ ସହ ଏକାଠି ଠିଆ ହୋଇଛି ଏବଂ ଭାରତର ଆତ୍ମରକ୍ଷାର ଅଧିକାରର ସମର୍ଥନ କରିଥାଏ । ସେ ଆତଙ୍କବାଦ ବିରୋଧରେ ଭାରତର ଲଢେଇରେ ଆମେରିକାର ସରକାରଙ୍କ ଦୃଢ ସମର୍ଥନକୁ ଦୋହରାଇଛନ୍ତି।

ରାଜନାଥ ସିଂହ ଆହୁରି କହିଛନ୍ତି ଯେ, କଥାବାର୍ତ୍ତା ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରୀ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଛନ୍ତି ଯେ, ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ , ପ୍ରଶିକ୍ଷଣ ଓ ପାଣ୍ଠି ଯୋଗାଇବାର ଇତିହାସ ରହିଛି। ବିଶ୍ୱ ସମୁଦାୟ ପାଇଁ ଆତଙ୍କବାଦର ଏମିତି ଜଘନ୍ୟ କାର୍ଯ୍ୟର ସ୍ପଷ୍ଟ ରୂପେ ନିନ୍ଦା କରିବା ଗୁରୁତ୍ତ୍ୱପୂର୍ଣ୍ଣ। ଏହା ପୂର୍ବରୁ , ଭାରତୀୟ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋଙ୍କୁ କହିଥିଲେ , ଗତ ସପ୍ତାହରେ ଜମ୍ମୁ କାଶ୍ମୀରରେ ହୋଇଥିବା ଘାତକ ହମଲାର ଅପରାଧୀଙ୍କୁ ନ୍ୟାୟ ଦିଆଯିବା ଉଚିତ୍‌। 

ଆମେରିକା କହିଛି ଯେ, ରୁବିଓ ବୁଧବାର ପୃଥକ ଟେଲିଫୋନରେ ଦୁଇ ପଡୋଶୀଙ୍କ ମଧ୍ୟରେ ତିକ୍ତ ସଂପର୍କ ବିଷୟରେ ଆଲୋଚନା କରିଥିଲେ ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ଏକାଠି କାମ କରିବାକୁ ଅନୁରୋଧ କରିଥିଲେ।