ୱାଶିଂଟନ,୧୫/୦୮: ୟୁକ୍ରେନ୍ରେ ରୁଷର ଯୁଦ୍ଧର ସମାପ୍ତି ଲକ୍ଷ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରସ୍ପରକୁ ଭେଟିବେ । ୩ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ବିରତି ଲଗାଇବା ପାଇଁ ରୁଷ ଉପରେ ଚାପ ପକାଇବା ନିମନ୍ତେ ଭାରତକୁ ଟାର୍ଗେଟ କରି ଆସିଛନ୍ତି ଟ୍ରମ୍ପ । ରୁଷ ତେଲ କ୍ରୟକୁ ବିରୋଧ କରି ଭାରତ ଉପରେ ମୋଟା ଟାରିଫ୍ ଲଗାଇ ଚାଲିଛନ୍ତି । ଏବେ ଆମେରିକା ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ ଚେତାବନୀ ଦେଇଛନ୍ତି ଯେ, ପୁଟିନ୍ଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଲାସ୍କା ବୈଠକ ବିଫଳ ହେଲେ ୱାଶିଂଟନ ଭାରତ ଉପରେ ଅତିରିକ୍ତ ଟାରିଫ୍ ଆହୁରି ବଢ଼ାଇବ ।
ପ୍ରକାଶଯୋଗ୍ୟ, ଟ୍ରମ୍ପ ଭାରତ ଉପରେ ୨୫% ଶୁଳ୍କ ସହ ଏକ ଜରିମାନା ଲଗାଇଛନ୍ତି । ଏହାସହିତ ଆଉ ୨୫% ଶୁଳ୍କ ଅଗଷ୍ଟ ୨୭ରୁ ଲାଗିବ । ଅର୍ଥାତ୍ ଆମେରିକାରେ ଭାରତୀୟ ଉତ୍ପାଦଗୁଡ଼ିକ ଉପରେ ମୋଟ ଶୁଳ୍କ ୫୦% କୁ ବଢ଼ିଯିବ । ରୁଷଠାରୁ ତେଲ କ୍ରୟ ଯୋଗୁ ଭାରତକୁ ନାଲି ଆଖି ଦେଖାଉଛନ୍ତି ସେ ।
ନିଜ ମୁତାବକ ବାଣିଜ୍ୟ ଚୁକ୍ତି କରିବା ପାଇଁ ଭାରତ ଉପରେ ଲଗାତର ଚାପ ପକାଇଚାଲିଛି ଆମେରିକା । ଭାରତୀୟ ଉତ୍ପାଦ ଉପରେ ୨୫% ଶୁଳ୍କ ଘୋଷଣା ପରେ ଅଧିକ ୨୫ ଶୁଳ୍କ ଲଦିବାର ଧମକ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୟୁକ୍ରେନ୍ରେ ଯୁଦ୍ଧ ବନ୍ଦ କରିବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଉପରେ ଚାପ ପକାଇବାକୁ ଟ୍ରମ୍ପଙ୍କ ଟାର୍ଗେଟ୍ରେ ଏବେ ଭାରତ । ରୁଷ ସହ କାରବାର କଲେ ଭାରତ ଉପରେ ଚଢ଼ା ଟାରିଫ୍ ଲଗାଯିବ ବୋଲି ସେ ଦେଉଛନ୍ତି ଲଗାତର ଧମକ । ବ୍ରିକ୍ସ ରାଷ୍ଟ୍ରସମୂହରେ ଭାରତର ସଦସ୍ୟତା ଉପରେ ବର୍ଷିଥିଲେ ଟ୍ରମ୍ପ । ଏହି ଗ୍ରୁପ୍ରେ ରହି ଭାରତ ରୁଷ ସହିତ ଘନିଷ୍ଠ ସମ୍ପର୍କ ବନାଉଥିବା କହିଥିଲେ । ଉଭୟ ଭାରତ ଏବଂ ରୁଷ ନିଜ ନିଜର ମୃତ ଅର୍ଥନୀତିକୁ ନେଇ ବୁଡ଼ିଯାଆନ୍ତୁ ବୋଲି ଏକ ଅପମାନଜନକ ବୟାନ ମଧ୍ୟ ସେ ଦେଇଥିଲେ । ଉକ୍ତ ବୟାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।
ତେବେ ବୁଧବାର ବ୍ଲୁମ୍ବର୍ଗ ଟିଭିକୁ ଦେଇଥିବା ଏକ ସାକ୍ଷାତ୍କାରରେ ବେସେଣ୍ଟ କହିଛନ୍ତି ଯେ, ରୁଷ ତେଲ କ୍ରୟ ପାଇଁ ଆମେ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇଛୁ । ଯଦି ପୁଟିନ୍ଙ୍କ ସହିତ କଥାବାର୍ତ୍ତା ସଫଳ ନ ହୁଏ ତେବେ ଏହି ଶୁଳ୍କ ଆହୁରି ବଢ଼ିଯିବ । ଭାରତ ପାଇଁ ଟ୍ରମ୍ପ ଏବଂ ପୁଟିନ୍ଙ୍କ ଆଲାସ୍କା ବୈଠକ ଗୁରୁତ୍ୱ ବହନ କରୁଛି ।
ଏହି ବୈଠକର ଫଳାଫଳ ନିର୍ଦ୍ଧାରଣ କରିବ ଯେ, ଆମେରିକା ସହ ଭାରତର ବ୍ୟବସାୟିକ ସମ୍ପର୍କ କିଭଳି ରହିବ । ୨୦୨୧ରୁ ୨୦୨୫ ମଧ୍ୟରେ ଭାରତର ସର୍ବବୃହତ୍ ବାଣିଜ୍ୟିକ ସହଯୋଗୀ ରହିଥିଲା ଆମେରିକା । ୨୦୨୪ରେ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଥିଲା ୧୩୦ ବିଲିୟନ ଡଲାର । ସେଠାକୁ ୮୭ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିଛି ଭାରତ । ସେହିଭଳି ୨୯ ବିଲିୟନ ଡଲାର ସେବା ରପ୍ତାନି କରିଛି । ଚଢ଼ା ଶୁଳ୍କ ଯୋଗୁ ଆମେରିକାରେ ଭାରତୀୟ ସାମଗ୍ରୀ ଏବଂ ସେବା ଚାହିଦା କମିବ । ଏହାଦ୍ୱାରା ଭାରତରେ ବଡ଼ ସଂଖ୍ୟାରେ ଛଟେଇ ସମ୍ଭାବନା ରହିଥିବା ଅନୁମାନ କରିଛନ୍ତି ବିଶେଷଜ୍ଞ।