ୱାଶିଂଟନ,୧୫/୦୮: ୟୁକ୍ରେନ୍‌ରେ ରୁଷର ଯୁଦ୍ଧର ସମାପ୍ତି ଲକ୍ଷ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପରସ୍ପରକୁ  ଭେଟିବେ । ୩ ବର୍ଷରୁ ଅଧିକ ସମୟ ଧରି  ଚାଲିଥିବା ଏହି ଯୁଦ୍ଧରେ ବିରତି ଲଗାଇବା  ପାଇଁ ରୁଷ ଉପରେ ଚାପ ପକାଇବା ନିମନ୍ତେ  ଭାରତକୁ ଟାର୍ଗେଟ କରି ଆସିଛନ୍ତି ଟ୍ରମ୍ପ । ରୁଷ ତେଲ କ୍ରୟକୁ ବିରୋଧ କରି ଭାରତ ଉପରେ  ମୋଟା ଟାରିଫ୍‌ ଲଗାଇ ଚାଲିଛନ୍ତି । ଏବେ  ଆମେରିକା ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟ  ଚେତାବନୀ ଦେଇଛନ୍ତି ଯେ, ପୁଟିନ୍‌ଙ୍କ ସହ  ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଲାସ୍କା ବୈଠକ ବିଫଳ  ହେଲେ ୱାଶିଂଟନ ଭାରତ ଉପରେ ଅତିରିକ୍ତ  ଟାରିଫ୍‌ ଆହୁରି ବଢ଼ାଇବ ।  

ପ୍ରକାଶଯୋଗ୍ୟ, ଟ୍ରମ୍ପ ଭାରତ ଉପରେ  ୨୫% ଶୁଳ୍କ ସହ ଏକ ଜରିମାନା ଲଗାଇଛନ୍ତି ।  ଏହାସହିତ ଆଉ ୨୫% ଶୁଳ୍କ ଅଗଷ୍ଟ ୨୭ରୁ ଲାଗିବ । ଅର୍ଥାତ୍‌ ଆମେରିକାରେ ଭାରତୀୟ  ଉତ୍ପାଦଗୁଡ଼ିକ ଉପରେ ମୋଟ ଶୁଳ୍କ ୫୦% କୁ ବଢ଼ିଯିବ । ରୁଷଠାରୁ ତେଲ କ୍ରୟ ଯୋଗୁ ଭାରତକୁ ନାଲି ଆଖି ଦେଖାଉଛନ୍ତି ସେ ।  

ନିଜ ମୁତାବକ ବାଣିଜ୍ୟ ଚୁକ୍ତି କରିବା ପାଇଁ  ଭାରତ ଉପରେ ଲଗାତର ଚାପ ପକାଇଚାଲିଛି  ଆମେରିକା । ଭାରତୀୟ ଉତ୍ପାଦ ଉପରେ ୨୫% ଶୁଳ୍କ ଘୋଷଣା ପରେ ଅଧିକ ୨୫  ଶୁଳ୍କ ଲଦିବାର ଧମକ ଦେଇଛନ୍ତି ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ । ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ  କରିବା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ  ଉପରେ ଚାପ ପକାଇବାକୁ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏବେ ଭାରତ । ରୁଷ ସହ କାରବାର କଲେ ଭାରତ ଉପରେ ଚଢ଼ା ଟାରିଫ୍‌ ଲଗାଯିବ ବୋଲି  ସେ ଦେଉଛନ୍ତି ଲଗାତର ଧମକ । ବ୍ରିକ୍‌ସ ରାଷ୍ଟ୍ରସମୂହରେ ଭାରତର ସଦସ୍ୟତା ଉପରେ ବର୍ଷିଥିଲେ ଟ୍ରମ୍ପ । ଏହି ଗ୍ରୁପ୍‌ରେ ରହି ଭାରତ  ରୁଷ ସହିତ ଘନିଷ୍ଠ ସମ୍ପର୍କ ବନାଉଥିବା  କହିଥିଲେ । ଉଭୟ ଭାରତ ଏବଂ ରୁଷ ନିଜ  ନିଜର ମୃତ ଅର୍ଥନୀତିକୁ ନେଇ ବୁଡ଼ିଯାଆନ୍ତୁ  ବୋଲି ଏକ ଅପମାନଜନକ ବୟାନ ମଧ୍ୟ ସେ  ଦେଇଥିଲେ । ଉକ୍ତ ବୟାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । 

ତେବେ ବୁଧବାର ବ୍ଲୁମ୍‌ବର୍ଗ ଟିଭିକୁ  ଦେଇଥିବା ଏକ ସାକ୍ଷାତ୍‌କାରରେ ବେସେଣ୍ଟ  କହିଛନ୍ତି ଯେ, ରୁଷ ତେଲ କ୍ରୟ ପାଇଁ ଆମେ  ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇଛୁ । ଯଦି  ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା ସଫଳ ନ ହୁଏ  ତେବେ ଏହି ଶୁଳ୍କ ଆହୁରି ବଢ଼ିଯିବ । ଭାରତ  ପାଇଁ ଟ୍ରମ୍ପ ଏବଂ ପୁଟିନ୍‌ଙ୍କ ଆଲାସ୍କା ବୈଠକ  ଗୁରୁତ୍ୱ ବହନ କରୁଛି । 

ଏହି ବୈଠକର  ଫଳାଫଳ ନିର୍ଦ୍ଧାରଣ କରିବ ଯେ, ଆମେରିକା  ସହ ଭାରତର ବ୍ୟବସାୟିକ ସମ୍ପର୍କ କିଭଳି  ରହିବ । ୨୦୨୧ରୁ ୨୦୨୫ ମଧ୍ୟରେ ଭାରତର  ସର୍ବବୃହତ୍‌ ବାଣିଜ୍ୟିକ ସହଯୋଗୀ ରହିଥିଲା ଆମେରିକା । ୨୦୨୪ରେ ଭାରତ-ଆମେରିକା  ଦ୍ୱିପାକ୍ଷିକ ବାଣିଜ୍ୟ ଥିଲା ୧୩୦ ବିଲିୟନ  ଡଲାର । ସେଠାକୁ ୮୭ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିଛି ଭାରତ । ସେହିଭଳି ୨୯  ବିଲିୟନ ଡଲାର ସେବା ରପ୍ତାନି କରିଛି । ଚଢ଼ା  ଶୁଳ୍କ ଯୋଗୁ ଆମେରିକାରେ ଭାରତୀୟ ସାମଗ୍ରୀ  ଏବଂ ସେବା ଚାହିଦା କମିବ । ଏହାଦ୍ୱାରା  ଭାରତରେ ବଡ଼ ସଂଖ୍ୟାରେ ଛଟେଇ ସମ୍ଭାବନା  ରହିଥିବା ଅନୁମାନ କରିଛନ୍ତି ବିଶେଷଜ୍ଞ।