ତେହରାନ,୧୨/୦୪ ; ମଧ୍ୟପ୍ରାଚ୍ୟ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ଲାଗି ଇସ୍ଲାମାବାଦରେ ଆମେରିକା, ଇରାନ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଆଜି ଏକ ମାର୍କିନ ଯୁଦ୍ଧପୋତ ହୋର୍ମୁଜ ଦେଇ ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲା । ତେବେ ହୋର୍ମୁଜରେ ପ୍ରବେଶ କଲେ ଆକ୍ରମଣ କରାଯିବ ବୋଲି ଇରାନ ଧମକ ଦେବା ପରେ ଯୁଦ୍ଧପୋତଟି ବାଟରୁ ଫେରିଯାଇଥିବା ଜଣାପଡିଛି । ଇରାନ ଗଣମାଧ୍ୟମ ଆଜି ଏହି ସୂଚନା ଦେଇଛି ।
ଆହୁରି ପଢନ୍ତୁ-ଚାପରେ ଆମେରିକୀୟ ସେନା, ୪୦ ଦିନ ଯୁଦ୍ଧରେ ପିଇଛି ୯.୫ ଲକ୍ଷ ଗ୍ୟାଲେନ୍ କଫି
ଇରାନର ଜଣେ ସେନା ଅଧିକାରୀ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ଆଜି ଆମେରିକାର ଏକ ଯୁଦ୍ଧପୋତ ହୋର୍ମୁଜରେ ପ୍ରବେଶ ଲାଗି ଉଦ୍ୟମ କରୁଥିଲା । ଏକଥା ଇରାନର ନୌସେନା ଜାଣିବା ପରେ ତାକୁ ଚେତାବନୀ ଦିଆଯାଇଥିଲା । ୩୦ ମିନିଟ୍ ଭିତରେ ହୋର୍ମୁଜ ସୀମା ଛାଡି ପଳାଇବାକୁ କୁହାଯାଇଥିଲା । ନଚେତ ଆକ୍ରମଣ କରାଯିବ ବୋଲି ଚେତବାନୀ ଜାରି କରାଯାଇଥିଲା । ଫଳରେ ଯୁଦ୍ଧପୋତଟି ସେଠାରୁ ପଳାଇଥିଲା । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ହୋର୍ମୁଜକୁ ଖାଲି କରିବା ଲାଗି ଉଦ୍ୟମ ଆରମ୍ଭ କରାଯାଇଛି । ଇରାନ ହୋର୍ମୁଜରେ ବିଛାଇଥିବା ମାଇନ୍ସ ହଟାଇବା ଲାଗି ଅମେରିକାର ଯୁଦ୍ଧପୋତକୁ ପଠାଯାଇଛି । ସେଠାରୁ ମାଇନ୍ସ ହଟାଯିବା ପରେ ଜାହାଜ ଚଳାଚଳ ସ୍ୱାଭାବିକ ହୋଇପାରିବ ବୋଲି ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଥିଲେ ।