ନୂଆଦିଲ୍ଳୀ,୧୪।୨: ପାକ୍ କ୍ରିକେଟରଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ସାଜିଲା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ୍ ଫିଲ୍ମ। ବଦଳିଗଲା ଜୀବନ। ଏଭଳି କିଛି ପ୍ରଭାବ ପଡିଲା ଯେ, ପରିସ୍ଥିତି ଆଗରେ ହାର ନମାନି ପୁଣି କ୍ରିକେଟ ଖେଳିବାର ଇଛା ଫେରିଥିଲା।ଏଭଳି କିଛି କହିଛନ୍ତି, ପାକିସ୍ତାନର ଷ୍ଟାର ସ୍ପିନର ଉସ୍ମାନ ତାରିକ୍। ଭାରତ ବିପକ୍ଷ ମହାମୁକାବିଲା ପୂର୍ବରୁ ନିଜର ବୋଲିଂ ଆକ୍ସନକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଉସ୍ମାନ ନିଜ କ୍ରିକେଟ କ୍ୟାରିୟକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଧୋନୀଙ୍କ କାରଣରୁ ତାଙ୍କ ଜୀବନ ସମୂର୍ଣ୍ଣ ବଦଳି ଯାଇଥିଲା। ସେ କ୍ରିକେଟ୍ ଛାଡି ଦୁବାଇରେ ସେଲସ୍ମ୍ୟାନ୍ ଭାବରେ ଚାକିରୀ କରୁଥିଲେ। କ୍ରିକେଟରେ ବଡ଼ ନାଁ ହେବାର ଆଶା ଛାଡି ଦେଇଥିଲେ।କିନ୍ତୁ୨୦୧୬ ରେ ଏମ୍ଏସ୍ ଧୋନୀ ବାୟୋପିକ୍ ଦେଖିବା ପରେ ଜୀବନ ବଦଳି ଯାଇଥିଲା। ଏହି ଫିଲ୍ମ ତାଙ୍କ ଉପରେ ଏତେ ଗଭୀର ପ୍ରଭାବ ପକାଇଥିଲା ଯେ, ତାଙ୍କ ଚିନ୍ତାଧାରା ବଦଳି ଯାଇଥିଲା।
ଉସ୍ମାନ୍ ତାରିକ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି,ମୁଁ କ୍ରିକେଟ୍ରେ କିଛି କରିପାରିବି ବୋଲି ଭାବିବା ଛାଡି ଦେଇଥିଲି, କିନ୍ତୁ ଦିନେ ମୁଁ ଏହି ଫିଲ୍ମ ଦେଖିଲି। ଏହା ଦେଖି ମୋତେ ଲାଗିଲା ହଁ ମୁଁ କିଛି କରିପାରିବି।’ ଫିଲ୍ମରେ ଧୋନିଙ୍କ ସଂଘର୍ଷପୂର୍ଣ୍ଣ ଜୀବନ, ଟିକେଟ କଲେକ୍ଟରଙ୍କ ଚାକିରୀ ସହ କ୍ରିକେଟର ହେବାର ସ୍ବପ୍ନ ଓ ଶେଷରେ ସଫଳତାର କାହାଣୀ ମୋତେ ଖୁବ୍ ପ୍ରଭାବିତ କରିଥିଲା। ସେ ଦୁବାଇର ଚାକିରୀ ଛାଡି ପାକିସ୍ତାନ ଫେରି ଆସି କ୍ରିକେଟ ଉପରେ ଫୋକସ୍ କରିଥିଲେ। ଉସ୍ମାନ କହିଛନ୍ତି, ଗତ ବର୍ଷ ଯେତେବେଳେ ମୁଁ ମୋ ବିବାହ କାର୍ଯ୍ୟରେ ବ୍ୟସ୍ତ ଥିଲି, ସେତେବେଳେ ମୋର କୋଚ୍ ମୋତେ ପାକିସ୍ତାନୀ ଟିମ୍ରେ ସିଲେକ୍ଟ ହୋଇଥିବାର ଖବର ଦେଇଥିଲେ। ଆରମ୍ଭରୁ ଲାଗୁଥିଲା ମୋ ସହ କେହି ଥଟ୍ଟାମଜା କରୁଛି। କିନ୍ତୁ ଏହି ଖବର ସତ ଥିଲା, ତେଣୁ ମୋତେ ଲାଗିଥିଲା ମୋର ପତ୍ନୀ ମୋ ଲେଡି ଲକ୍(ଭାଗ୍ୟ)ନେଇ ଆସିଛନ୍ତି।’
ଉଲ୍ଲେଖନୀୟ ଯେ, ଉସ୍ମାନ୍ ସବୁବେଳେ ନିଜର ବୋଲିଂ ଆକ୍ସନ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କୁ ଭାରତ ବିରୋଧରେ ହେବାକୁ ଥିବା ମ୍ୟାଚ୍ରେ ପାକିସ୍ତାନର ଏକ୍ସ ଫାକ୍ଟର ବୋଲି ମନେକରାଯାଉଛି। ଭାରତ ବିରୋଧ ମୁକାବିଲା ପୂର୍ବରୁ ଉସ୍ମାନ ତାରିକଙ୍କ ବୋଲିଂ ଆକ୍ସନ ଉପରେ ପ୍ରଶ୍ନ ଉଠିଥିଲା। କିନ୍ତୁ ଉସ୍ମାନ୍ ସ୍ପଷ୍ଟ କରିଛନ୍ତି, ତାଙ୍କର କହୁରୀରେ ‘ଡବଲ ଜଏଣ୍ଟ’ ହେବା କାରଣରୁ ତାଙ୍କର ହାତ ପ୍ରାକୃତିକ ଭାବରେ ମୋଡ଼ି ହୋଇଥାଏ। ତାଙ୍କୁ ଆଇସିସିର ନିୟମ ଅନୁସାରେ, ଦୁଇ ଥର ସ୍ପଷ୍ଟୀକରଣ ଦେବାକୁ ପଡିଛି।
ଆହୁରି ପଢନ୍ତୁ : ହାଣ୍ଡସେକ୍ ବିବାଦ ଉପରେ ପାକିସ୍ତାନ କ୍ୟାପଟେନ୍ଙ୍କ ବଡ଼ ବୟାନ, ଭାରତକୁ ନେଇ ଏଭଳି କହିଲେ ସଲମାନ ଅଲ୍ଲୀ ଆଘା