ନୂଆଦିଳ୍ଳୀ,୧୪।୨: ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧୫ରେ କଲୋମ୍ବୋରେ ହେବ ମହା-ମୁକାବିଲା। ତେବେ ଏଥର ଦୁଇ ଦେଶର ଖେଳାଳି ହାତ ମିଳାଇବେ କି ନାହିଁ ? ଏହି ମ୍ୟାଚ୍ ନେଇ ଅନିଶ୍ଚିତତା ରହିଛି। ଏସିଆ କପ୍ ଭଳି ଏଥର ହାଣ୍ଡସେକ୍ କରିବେନି କି କରିବେ,ତାକୁ ନେଇ ଚର୍ଚ୍ଚା ଚାଲିଛି। ଏସବୁ ଭିତରେ ଶନିବାର ସାମ୍ବାଦିକ ସମ୍ମିଳନୀରେ କ୍ୟାପଟେନ୍ ସଲମାନ ଅଲ୍ଲୀ ଆଘା ନିଜର ମତ ଦେଇଛନ୍ତି। ତାଙ୍କୁ ଯେତେବେଳେ ପଚରା ଯାଇଥିଲା ଦୁଇ ଦେଶର ଖେଳାଳି ପରସ୍ପର ସହ ହାତ ମିଳାଇବେ କି ନାହିଁ। ଏହାର ଉତ୍ତରରେ ଆଘା କହିଥିଲେ,ଏହା ଭାରତ ଉପରେ ନିର୍ଭର କରେ, ସେ ଖେଳ ଭାବନା ସହ ଖେଳିବାକୁ ଚାହୁଁଛି କି ନାହିଁ। ଏହା ତାଙ୍କୁ ନିଷ୍ପତ୍ତି ନେବାକୁ ହେବ।
ମ୍ୟାଚ୍କୁ ନେଇ ପାକିସ୍ତାନର କ୍ୟାପଟେନ୍ କହିଛନ୍ତି, ଭାରତ ବିରୋଧରେ ଆମର ରେକର୍ଡ ଭଲ ନାହଁ, କିନ୍ତୁ ଆମେ ଇତିହାସ ବଦଳାଇ ପାରିବୁନି। ପ୍ରତିଦିନ ଏକ ନୂଆ ବିବାଦ ହେବାରେ ଲାଗିଥାଏ।’ ଏପ୍ରିଲରେ ହୋଇଥିବା ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ସହ ପାରସ୍ପାରିକ ସମ୍ପର୍କ ଖରାପ ସ୍ତରରେ ରହିଛି। ଏହାର ପ୍ରଭାବ କ୍ରିକେଟ ଉପରେ ମଧ୍ୟ ପଡିଛି। ଏସିଆ କପ୍ ୨୦୨୫ ବେଳେ ହୋଇଥିବା ତିନି ମ୍ୟାଚ୍ରେ ଭାରତୀୟ ଖେଳାଳି ପାକିସ୍ତାନର ଖେଳାଳିଙ୍କ ସହ ମ୍ୟାଚ୍ ପରେ ହେବାକୁ ଥିବା ପାରମ୍ପାରିକ ‘ହାଣ୍ଡସେକ୍’ କରିନଥିଲେ।
ମହିଳା କ୍ରିକେଟ୍ ଟିମ୍ ଓ ଜୁନିଅର ଟିମ୍ ମଧ୍ୟ ଏଭଳି କରିଛି। ଓ୍ବିମେନ୍ସ ଓ୍ବାର୍ଲ୍ଡ କପ୍, ଅଣ୍ଡର-୧୯ ଏସିଆ କପ୍, ଅଣ୍ଡର-୧୯ ବିଶ୍ବକପ୍ ଓ ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ମଧ୍ୟ ଦୁଇଟିମ୍ର ଖେଳାଳି ପରସ୍ପରକୁ ହାଣ୍ଡସେକ୍ କରିନଥିଲେ। ପାକିସ୍ତାନକୁ ହରାଇ ଏସିଆ କପ୍ ଟାଇଟଲ ଜିତିଥିବା ଭାରତୀୟ ଟିମ୍ ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ନେବାକୁ ମନା କରିଦେଇଥିଲା।
ବାଂଲାଦେଶ କ୍ରିକେଟ ବୋର୍ଡ ଦ୍ବାରା ଟି-୨୦ ବିଶ୍ବକପ୍ରୁ ବାହାର ହେବା ଓ ତାଙ୍କ ସ୍ଥାନରେ ଆଇସିସି ଦ୍ବାରା ସ୍କଟଲାଣ୍ଡକୁ ସୁଯୋଗ ଦେବାପରେ ପାକିସ୍ତାନ ବାଂଲାଦେଶର ସମର୍ଥନରେ ଭାରତ ସହ ୧୫ ଫେବୃଆରୀ ମ୍ୟାଚ୍ ଖେଳିବାକୁ ନେଇ ମନା କରିଦେଇଥିଲା। ଆଇସିସିର ମଧ୍ୟସ୍ଥତା ପରେ ପାକିସ୍ତାନ ନିଜର ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ରବିବାର କଲୋମ୍ବୋରେ ମ୍ୟାଚ୍ ବ୍ୟତୀତ ଦୁଇଟି ଟିମ୍ର ଖେଳାଳିଙ୍କ ଭିତରେ ପାରସ୍ପାରିକ ବ୍ୟବହାର କିଭଳି ରହିଥାଏ। ଏହା ଉପରେ ମଧ୍ୟ ଫ୍ୟାନ୍ସଙ୍କ ନଜର ରହିବ।